Israel-Iran War : ତିନି ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ, ଜଣେ ଆହତ
ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ବଢୁଥିବା ସଂଘର୍ଷ ମଧ୍ୟରେ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ବିଦେଶୀ ପତାକାଧାରୀ ଜାହାଜରେ କାର୍ଯ୍ୟ କରୁଥିବା ଅତିକମରେ ତିନିଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଛି ଏବଂ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ମଙ୍ଗଳବାର ଦିନ ଭାରତୀୟ ଜାହାଜ ଚଳାଚଳ ମହାନିର୍ଦ୍ଦେଶାଳୟ (Directorate General of Shipping) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆମେରିକା, ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ବଢୁଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ପ୍ରମୁଖ ବାଣିଜ୍ୟିକ ପଥଗୁଡ଼ିକ ବିପଦପୂର୍ଣ୍ଣ ହୋଇପଡ଼ିଥିବା ବେଳେ ଏହି ଅଘଟଣ ଘଟିଛି।
ଜାହାଜ ଚଳାଚଳ ମହାନିର୍ଦ୍ଦେଶାଳୟ କହିଛି ଯେ, “ଏହି ଅଞ୍ଚଳରେ ଭାରତୀୟ ନାବିକମାନଙ୍କୁ ନେଇ ଚାରୋଟି ଘଟଣା ରିପୋର୍ଟ କରାଯାଇଛି। ଏଥିରେ ତିନିଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନାବିକ ଆହତ ହୋଇଛନ୍ତି। ସେମାନେ ସମସ୍ତେ ବିଦେଶୀ ପତାକାଧାରୀ ଜାହାଜରେ କାର୍ଯ୍ୟ କରୁଥିଲେ।”
ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁର କିଛି ଦିନ ପରେ ମଙ୍ଗଳବାର ଦିନ ମଧ୍ୟ ଆମେରିକା ଏବଂ ଇସ୍ରାଏଲର ବିମାନ ଆକ୍ରମଣ ଇରାନ ଉପରେ ଜାରି ରହିଛି। ଅନ୍ୟପଟେ ଟେହେରାନ (ଇରାନ) ଏବଂ ତାହାର ସହଯୋଗୀମାନେ ଇସ୍ରାଏଲ୍, ପଡ଼ୋଶୀ ଗଲ୍ଫ ଦେଶ ଏବଂ ବିଶ୍ୱର ତୈଳ ଓ ଗ୍ୟାସ୍ ଯୋଗାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଶକ୍ତି ଭିତ୍ତିଭୂମି ଉପରେ ପ୍ରତିଶୋଧମୂଳକ ଆକ୍ରମଣ କରୁଛନ୍ତି।
ଆମେରିକା, ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ବଢୁଥିବା ଏହି ସଂଘର୍ଷ ଯୋଗୁଁ ସାମୁଦ୍ରିକ ପରିଚାଳକମାନଙ୍କୁ ବିପଦର ଆକଳନ କରିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏହି ଯୁଦ୍ଧ ସ୍ଥିତି ଯୋଗୁଁ ହରମୁଜ ପ୍ରଣାଳୀ ଏବଂ ଓମାନ ଉପସାଗର ଭଳି ପ୍ରମୁଖ ବାଣିଜ୍ୟ ପଥ ପ୍ରତି ଗୁରୁତର ବିପଦ ସୃଷ୍ଟି ହୋଇଛି। ବାଣିଜ୍ୟିକ ଜାହାଜ ଏବଂ କ୍ରୁ ମେମ୍ବରମାନଙ୍କ ଉପରେ ଆକ୍ରମଣ ବଢୁଥିବାରୁ ବର୍ତ୍ତମାନ ୨୦୦ରୁ ଅଧିକ ଜାହାଜ ସେହି ଅଞ୍ଚଳରେ ଅଟକି ରହିଛନ୍ତି କିମ୍ବା ନିଜର ଗତିପଥ ବଦଳାଉଛନ୍ତି।
ଏକ ଆଡଭାଇଜରିରେ ଜାହାଜ ଚଳାଚଳ ମହାନିର୍ଦ୍ଦେଶାଳୟ କହିଛି ଯେ, ପାରସ୍ୟ ଉପସାଗର, ହରମୁଜ ପ୍ରଣାଳୀ, ଓମାନ ଉପସାଗର ଏବଂ ଏହାର ସଂଲଗ୍ନ ସମୁଦ୍ର ଅଞ୍ଚଳରେ ସୃଷ୍ଟି ହୋଇଥିବା ସୁରକ୍ଷା ପରିସ୍ଥିତି ଉପରେ ସେମାନେ ତୀକ୍ଷ୍ଣ ନଜର ରଖିଛନ୍ତି। ନିକଟରେ ଘଟିଥିବା ଭୂ-ରାଜନୈତିକ ଘଟଣାବଳୀ ଯୋଗୁଁ ମିସାଇଲ୍ ଏବଂ ଡ୍ରୋନ୍ ସକ୍ରିୟତା, ଇଲେକ୍ଟ୍ରୋନିକ୍ ହସ୍ତକ୍ଷେପ ଏବଂ ଅନ୍ୟାନ୍ୟ ସାମୁଦ୍ରିକ ସୁରକ୍ଷା ଚିନ୍ତା ବଢ଼ିବାରେ ଲାଗିଛି।
ସମସ୍ତ ସଂଶ୍ଳିଷ୍ଟ ପକ୍ଷଙ୍କୁ ଅଧିକ ସତର୍କ ରହିବାକୁ ଏବଂ ଯାତ୍ରା ପୂର୍ବରୁ ବିପଦର ସଠିକ୍ ଆକଳନ କରିବାକୁ ପରାମର୍ଶ ଦିଆଯାଇଛି। ସେହି ଅଞ୍ଚଳରେ ଚଳାଚଳ କରୁଥିବା ଜାହାଜଗୁଡ଼ିକୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା, ଯୋଗାଯୋଗ ପ୍ରସ୍ତୁତ ରଖିବା ଏବଂ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ଜଣାଇବାକୁ କୁହାଯାଇଛି। ବିପଦପୂର୍ଣ୍ଣ ଅଞ୍ଚଳ ଦେଇ ଯାତ୍ରା କରିବା ପୂର୍ବରୁ ପରିସ୍ଥିତିକୁ ଭଲ ଭାବେ ଯାଞ୍ଚ କରିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।
ଜାହାଜ ଚଳାଚଳ ମହାନିର୍ଦ୍ଦେଶାଳୟ (Directorate General of Shipping) କହିଛି ଯେ, ଜାହାଜରେ ଥିବା ଅନ୍ୟ ସମସ୍ତ ଭାରତୀୟ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ସେମାନଙ୍କର ସୁରକ୍ଷା, କଲ୍ୟାଣ ଏବଂ ସମୟୋଚିତ ସହାୟତା ନିଶ୍ଚିତ କରିବା ପାଇଁ ଅନ୍ୟ ସମସ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ମିଶି କାମ କରାଯାଉଛି ବୋଲି ନିର୍ଦ୍ଦେଶାଳୟ ସୂଚନା ଦେଇଛି। ଏହା ସହିତ ପ୍ରଭାବିତ ନାବିକ ଏବଂ ସେମାନଙ୍କ ପରିବାରକୁ ସମସ୍ତ ଆବଶ୍ୟକୀୟ ସହଯୋଗ ଓ ସୁବିଧା ଯୋଗାଇ ଦିଆଯାଉଛି।
ନିର୍ଦ୍ଦେଶାଳୟ ଆହୁରି ମଧ୍ୟ କହିଛି ଯେ, ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ଏବଂ ଭାରତୀୟ ପତାକାଧାରୀ ଜାହାଜଗୁଡ଼ିକର ‘ରିଅଲ-ଟାଇମ୍ ଟ୍ରାକିଂ’ (ସେମାନେ କେଉଁଠି ଅଛନ୍ତି ତାର ସୂଚନା) ୨୪ ଘଣ୍ଟା ମନିଟରିଂ କରାଯାଉଛି। ଜାହାଜର ମାଲିକ ଏବଂ ପରିଚାଳକମାନଙ୍କ ପାଇଁ କିଛି ଜରୁରୀ ନିୟମାବଳୀ ଜାରି କରାଯାଇଛି। ଏହି ସମ୍ପର୍କରେ ଭାରତୀୟ ନୌସେନା, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, IFC-IOR, MRCC ଏବଂ ଭାରତୀୟ ଦୂତାବାସଗୁଡ଼ିକ ସହିତ ନିରନ୍ତର ସମ୍ପର୍କ ରକ୍ଷା କରାଯାଉଛି।
ଜାହାଜ ଚଳାଚଳ କମ୍ପାନୀଗୁଡ଼ିକୁ ମଧ୍ୟ ନାବିକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ସମୟରେ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବାକୁ ଏବଂ ନାବିକ ଓ ସେମାନଙ୍କ ପରିବାର ସହିତ ନିୟମିତ ଯୋଗାଯୋଗ ରଖିବାକୁ ପରାମର୍ଶ ଦିଆଯାଇଛି।
ନିର୍ଦ୍ଦେଶାଳୟ ସୂଚନା ଦେଇଛି ଯେ, ଏକ ସ୍ୱତନ୍ତ୍ର ‘କ୍ଵିକ୍ ରେସପନ୍ସ ଟିମ୍’ (Quick Response Team) ଗଠନ କରାଯାଇଛି। ଏହି ଟିମ୍ ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ଯେକୌଣସି ଜରୁରୀ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବ ଏବଂ ଭାରତୀୟ ନାବିକ ଓ ସେମାନଙ୍କ ପରିବାରକୁ ତୁରନ୍ତ ସହାୟତା ଯୋଗାଇଦେବ।
Comments are closed.