ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ୩ଦିନ ଧରି ଅନୁଷ୍ଠିତ ହେବ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ

Share It

ଜନତା ମଇଦାନରେ ଜୁନ୍‌ ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ

ଭୁବନେଶ୍ବର: ଆଗାମୀ ଜୁନ ମାସରେ ନୂଆ ସରକାର ଗଠନ ହେବାର ଏକ ବର୍ଷ ପୂର୍ତ୍ତି ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ବର୍ଷକ ମଧ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ଉଲ୍ଲେଖନୀୟ ସଫଳତା  ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା, ବିଭିନ୍ନ ବିଭାଗରେ  ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରି  ରାଜ୍ୟର ବିକାଶର ଧାରାକୁ ଆଗକୁ ନେବା ଲକ୍ଷ୍ୟ ରଖି ସରକାରଙ୍କ ତରଫରୁ ଆଗାମୀ ଜୁନ୍‌ ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟ, ଜିଲ୍ଲା ଓ ବ୍ଲକସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସଂପର୍କରେ ପ୍ରଶାସନିକ ସ୍ତରରେ ଦ୍ୱିତୀୟ ପ୍ରସ୍ତୁତି ବୈଠକ  ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାରଙ୍କ ସହିତ ଅନ୍ୟ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ଏ ସଂପର୍କରେ ଗତ ୨୫ ଅପ୍ରେଲରେ ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକର ନିଷ୍ପତ୍ତି ଆଧାରରେ ବିଭିନ୍ନ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସଂପାଦନ ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।
       

ଗୃହ ବିଭାଗ ତରଫରୁ ଆହୂତ ଏହି ବୈଠକର ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା  ଦେଇଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା  ବିଭିନ୍ନ ଯୋଜନାର ଫଳପ୍ରସୂ ପଦକ୍ଷେପ, ପ୍ରଣୀତ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ କାର୍ଯ୍ୟାନ୍ୱୟନ ଏବଂ ବହୁବିଧ କଲ୍ୟାଣକାରୀ ଯୋଜନାରେ ସଂପର୍କରେ ଜନସଚେତନତା ସୃଷ୍ଟି ଉପରେ ଏହି କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହେବ ।
             

ରାଜ୍ୟସ୍ତରୀୟ ସାଧାରଣ ସଭା ଏବଂ ବିକାଶ ମେଳା ପ୍ରଦର୍ଶନୀ ଜୁନ୍‌ ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ  ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ଜିଲ୍ଲାସ୍ତରରେ ତିନି ଦିନିଆ ସଭା ଓ କାର୍ଯ୍ୟକ୍ରମ ଏବଂ  ଜିଲ୍ଲା ପ୍ରଶାସନ ଏବଂ ଓରମାସ ସହଯୋଗରେ ୫ ଦିନ ଧରି  ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଭୁବନେଶ୍ୱର ଜନତା ମଇଦାନ ଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପୂର୍ତ୍ତ ବିଭାଗ, ଓଡିଶା  ଖଣି ନିଗମ(ଓଏମସି) ସମେତ ଓଡ଼ିଆ ଭାଷା. ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକ ସଂପର୍କ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ , ପଂଚାୟତିରାଜ ଓ ପାନୀୟ ଜଳ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ,ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ, ସ୍ୱାସ୍ଥ୍ୟ, ଉଚ୍ଚ ଶିକ୍ଷା, ଗଣଶିକ୍ଷା, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା, ହସ୍ତତନ୍ତ ଓ ବୟନ ଶିଳ୍ପ, ଆଦି ସଂପୃକ୍ତ ବିଭିନ୍ନ ବିଭାଗକୁ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ସହଯୋଗ ପାଇଁ ପରାମର୍ଶ ଦିଆଯାଇଛି । ପ୍ରତି କାର୍ଯ୍ୟକ୍ରମରେ ବିଷୟଭିତ୍ତିକ ଆଲୋଚନା, ସାଂସ୍କୃତିକ କାର୍ଯ୍ୟକ୍ରମ, ବ୍ଲକ ସ୍ତରରେ ସୂଚନା, ଶିକ୍ଷା ଓ ଯୋଗଯୋଗ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହେବ ।

ସରକାରଙ୍କ ୧ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ବିଭାଗର ଉଲ୍ଲେଖନୀୟ କାର୍ଯ୍ୟ ସଫଳତାକୁ ସ୍ଥାନିତ କରି ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଏକ ପୁସ୍ତିକା ପ୍ରକାଶ ପାଇବ । ଏହା ବ୍ୟତୀତ ବିଭିନ୍ନ ବିଭାଗମାନେ  ମଧ୍ୟ ନିଜ ନିଜ ସ୍ତରରେ ବିଭାଗୀୟ ସଫଳତାକୁ ନେଇ ପୁସ୍ତିକା ପ୍ରକାଶନ କରିବାକୁ ପରାମର୍ଶ ଦିଆଯାଇଛି ।  ପ୍ରକାଶ ପାଇବାକୁ ଥିବା ଏହି ପୁସ୍ତିକାରେ  ମହିଳା ସଶକ୍ତିକରଣ ଓ ମିଶନ ଶକ୍ତି,  କୃଷି, କୃଷକ ଓ ଜଳସେଚନ, ଶିଳ୍ପ ତଥା ଶିଳ୍ପ ଭିତ୍ତିକ ନିଯୁକ୍ତି, ଓଡ଼ିଆ ଅସ୍ମିତା ଓ ଶ୍ରୀମନ୍ଦିର,  ଜନ କୈନ୍ଦ୍ରିକ ଶାସନ ପରିଚାଳନା, ସ୍ୱାସ୍ଥ୍ୟ, ଶିକ୍ଷା ଆଦି ସଂପର୍କରେ ଗୁରୁତ୍ୱ ରହିବ । ରାଜ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମର ଉଲ୍କେଖନୀୟ ସଫଳତା ସଂପର୍କରେ ମଧ୍ୟ ଏଥିରେ ସ୍ଥାନିତ ହେବ । ଅନୁସୂଚିତ ଜନଜାତି, ଭିନ୍ନକ୍ଷମ ଓ ସମାଜର ଅବହେଳିତ ଲୋକମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପ୍ରତି ବଦ୍ଧିତା, ପୃଷ୍ଟି ହୀନତା ଦୂରୀକରଣ ଆଦି ସଂପର୍କିତ ସଫଳ କାର୍ଯ୍ୟକାରିତା ମଧ୍ୟ ଏହି ପୁସ୍ତକରେ ପ୍ରକାଶ ପାଇବ ।  ଗ୍ରାମ୍ୟ ଉନ୍ନୟନରେ ଗ୍ରାମ ପଞ୍ଚାୟୟତ କିପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି, ତାହାକୁ ଫୋକସ  କରାଯିବ ।

ବିଭିନ୍ନ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କିତ ସଫଳ କାହାଣୀକୁ ନେଇ ବିଭାଗମାନଙ୍କୁ  ସମ୍ବାଦ ପତ୍ର ଓ ଗଣମାଧ୍ୟମରେ  ପ୍ରକାଶନ, ପ୍ରଚାର ପ୍ରସାର ସଂଗେ ସଂଗେ  ପ୍ରାମାଣିକ ଭିଡିଓ ଚିତ୍ର ପ୍ରସ୍ତୁତି ପାଇଁ ପରାମର୍ଶ ଦିଆଯାଇଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମକୁ ନେଇ “ପ୍ରଗତି ପ୍ରବାହ” ପୁସ୍ତିକାର ପ୍ରଥମ ସଂସ୍କରଣ ପ୍ରକାଶ ପାଇବ । ଏଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରୁ ଜନସାଧାରଣ କିପରି ଉପକୃତ ହୋଇଛନ୍ତି, ସେଥିରେ ମୁଖ୍ୟତଃ ସ୍ଥାନିତ ହେବ । ପ୍ରତ୍ୟେକ ବିଭାଗକୁ ଏଥିପାଇଁ ସଫଳ କାହାଣୀ ଦେବାକୁ ପରାମର୍ଶ ଦିଆଯାଇଛି । ସଂସ୍କୃତି  ବିଭାଗ ପକ୍ଷରୁ ଲଳିତ କଳା ଏକାଡେମୀ ସହଯୋଗରେ ଏକ ଆର୍ଟିଷ୍ଟ କ୍ୟାମ୍ପ(ଚିତ୍ରକଳା  ଶିବିର)  ଅନୁଷ୍ଠିତ ହେବ ।

୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପରିପ୍ରେକ୍ଷୀରେ ବିଭିନ୍ନ  ଓ କଲେଜରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କି କି ସ୍ୱପ୍ନ ରହିଛି, ସେ ସଂପର୍କରେ ସେମାନଙ୍କ ମଧ୍ୟରେ  ପ୍ରତିଯୋଗିତା କରାଯାଇ ପୁରସ୍କୃତ କରିବାକୁ  ମୁଖ୍ୟ ଶାସନ ସଚିବ  ପରାମର୍ଶ ଦେଇଥିଲେ ।   ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରୁ  ଜନ ସାଧାରଣ କିପରି ସୁଫଳ ପାଉଛନ୍ତି ଏବଂ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ  ସେମାନଙ୍କ ସଂପୃକ୍ତି  ପ୍ରତିଫଳିତ ହେବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ ।

ଏହି ସବୁ କାର୍ଯ୍ୟକ୍ରମ ପାଇଁ  ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ  ଅଧ୍ୟକ୍ଷତାରେ ଏକ କମିଟି କରାଯାଇ କାର୍ଯ୍ୟ ତଦାରଖ ଓ ସମନ୍ୱୟ କରିବାକୁ ପରାମର୍ଶ ଦିଆଯାଇଛି । ଏଥି ସହିତ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ କରାଯିବାକୁ ଥିବା ବିଭିନ୍ନ ଉଦ୍‌ଘାଟନ, ଶିଳାନ୍ୟାସ ଆଦି କାର୍ଯ୍ୟକ୍ରମର ପ୍ରସ୍ତୁତିକୁ ଅଗ୍ରାଧିକାର ଭିତ୍ତିରେ କରାଯିବା ସଂପର୍କରେ ବୈଠକରେ ଗୁରୁତ୍ୱ  ଦିଆଯାଇଥିଲା  ।


Share It

Comments are closed.