ଭୁବନେଶ୍ବର,୦୧/୦୪: ୪ ଘଣ୍ଟା ଧରି ଆଲୋଚନା ପରେ ବିଶ୍ୱବିଦ୍ୟାଳୟ ଶିକ୍ଷକ କ୍ୟାଡରରେ ସଂରକ୍ଷଣ ବିଲ୍ ୨୦୨୬ ଗୃହରେ ପାରିତ।ଏହି ବିଲ ଟିକୁ ସିଲେକ୍ଟ କମିଟି ପଠାଇବାକୁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ କୁମାର ସାହୁ, ଅଶୋକ ଦାସ, ଧ୍ରୁବ ଚରଣ ସାହୁ, ଗଣେଶ୍ୱର ବେହେରା ଦାବି କରିଥିଲେ ହେଁ ଏହାକୁ ତୁରନ୍ତ ଲାଗୁ କରିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୁକ୍ତି ବାଢିଥିଲେ। ଏହାପରେ ବାଚସ୍ପତି ସୁରମା ପାଢ଼ୀ ବିଲ୍ ଉପରେ ଆଲୋଚନା ଆରମ୍ଭ କରିଥିଲେ।
ବିରୋଧୀ ଦଳର ସଦସ୍ୟମାନେ ଏହି ବିଲକୁ କଡ଼ା ବିରୋଧ କରିଥିଲେ ହେଁ ଶାସକ ଦଳ ପକ୍ଷରୁ ସନ୍ତୋଷ ଖଟୁଆ, ମାନସ କୁମାର ଦତ୍ତ, ଆମର କୁମାର ନାୟକ, ରୂପୁ ଭତ୍ରା, ଗୌରୀ ଶଙ୍କର ମାଝୀ, ରଘୁନାଥ ଜଗଦଳା ବିଲକୁ ପାରିତ କରିବାକୁ ଯୁକ୍ତି ବାଢିଥିଲେ।
ବିଭିନ୍ନ ଧାରା ଉପରେ ସଂଶୋଧନ ଆଣିବାକୁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ଅରୁଣ କୁମାର ସାହୁ ତର୍କ କରିଥିଲେ। ସେମାନେ କହିଥିଲେ ଯେ, ବିଶ୍ୱ ବିଦ୍ୟାଳୟକୁ ଏକକ ଭାବେ ଧରିଲେ କେଉଁଭଳି ଭାବେ ବିଭିନ୍ନ ବିଭାଗରେ ସଂରକ୍ଷିତ ବର୍ଗଙ୍କୁ ନିଯୁକ୍ତି ଦିଆଯିବ ? ଏନେଇ ସରକାର କିଛି ଫର୍ମୁଲା ପ୍ରସ୍ତୁତ କରିଛନ୍ତି କି ? କେନ୍ଦ୍ର ସରକାର କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ପାଇଁ ଯେଉଁ ନିୟମ କରିଛନ୍ତି । ସେହି ନିୟମକୁ ରାଜ୍ୟରେ କାହିଁକି ଲାଗୁ କରାଯାଉଛି । ରାଜ୍ୟ ସରକାର ରାଜ୍ୟ ବିଶ୍ୱବିଦ୍ୟାଳୟ ଗୁଡ଼ିକ ପାଇଁ ଅର୍ଥ ଦେଉଥିବାରୁ ରାଜ୍ୟକୁ ସୁହାଇଲା ଭଳି ନିୟମ କରାଯାଉ।
କିନ୍ତୁ ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, ଗୋଟିଏ ବିଭାଗରେ ୬ ରୁ କମ ପଦବୀରେ ନିଯୁକ୍ତ ଦିଆଗଲେ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ସମ୍ଭବ ହେଉନାହିଁ । ତେଣୁ ବିଶ୍ୱବିଦ୍ୟାଳୟକୁ ଏକ ଭାବେ ନେଇ ମୋଟ ପଦବୀ ଉପରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ । ପୂର୍ବରୁ ଥିବା ହରାଇଜଣ୍ଟାଲ ବ୍ୟବସ୍ଥା ବଦଳରେ ଭର୍ଟିକାଲ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ ।
ସେହିପରି କୁଳପତି ନିଯୁକ୍ତି ଦେବେ ନାହିଁ, କୁଳପତିଙ୍କ ଅଧକ୍ଷତାରେ ଗଠିତ କମିଟି ନିଯୁକ୍ତି ଦେବେ। ବିଶ୍ୱବିଦ୍ୟାଳୟକୁ ଏକକ ଭାବେ ନେବା ନିଷ୍ପତି ପୂର୍ବ ସରକାରରେ ମଧ୍ୟ ୨୦୧୯ ମସିହାରେ ହୋଇଥିଲା । ହେଲେ ଏହାକୁ ୧ ମାସ ମଧ୍ୟରେ ପ୍ରତ୍ୟାହାର କରିନିଆଯାଇଥିଲା । ପୂର୍ବ ସରକାର ଅମଳରେ ଆଇନ ଥାଇ ବି ସେମାନେ ପଦବୀ ପୂରଣ କରି ପାରିନଥିଲେ । ଆମେ ନୂଆ ଆଇନ ଆଣିବା ସହ କଥା ଶୀଘ୍ର ସମସ୍ତ ଶିକ୍ଷକ ପଦବୀ ନିୟମ ଅନୁଯାୟୀ ପୂରଣ କରିବୁ ।
ଏବେ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଗୁଡିକରେ ୨୦୮୬ ଟି ମଞ୍ଜୁରୀ ପ୍ରାପ୍ତ ପଦବୀ ଥିବା ବେଳେ ୬୫୯ ଜଣ ଶିକ୍ଷକ ଅଛନ୍ତି । ବିଶ୍ୱ ବିଦ୍ୟାଳୟ ଗୁଡିକରେ ୭୦ ପ୍ରତିଶତ ଶିକ୍ଷକ ପଦବୀ ଖାଲି ରହିଛି। ଏହା ଦ୍ୱାରା ଶିକ୍ଷାର ଗୁଣବତ୍ତା ଉପରେ ବ୍ୟାପକ ପ୍ରଭାବ ପଡୁଛି । ତେଣୁ ଏହି ଆଇନ ପ୍ରଣୟନ କରି ଶୀଘ୍ର ସମସ୍ତ ଖାଲି ପଦବୀ ପୂରଣ କରାଯିବ। ଏହାସହ ରାଜ୍ୟ ସରକାରଙ୍କ ସଂରକ୍ଷଣ ନୀତି ଅନୁଯାୟୀ ଏସସି, ଏସଟି, ଏସଇବିସି ଏବଂ ଅନ୍ୟାନ୍ୟ ଯୋଗ୍ୟ ବର୍ଗର ପ୍ରତିନିଧିତ୍ୱ ସୁନିଶ୍ଚିତ କରାଯିବ । ଏହି ଆଇନ ପ୍ରଣୟନ ସମୟରେ ଓଡ଼ିଶା ବିଧାନସଭା ଅଧିବେଶନ ଚାଲୁନଥିବାରୁ ରାଜ୍ୟପାଳ ୩୦ .୧.୨୦୨୬ ରେ ଓଡ଼ିଶା ରାଜ୍ୟ ସରକାରୀ ( ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଅଧ୍ୟାଦେଶ, ୨୦୨୬ ପ୍ରଣୟନ କରିଥିଲେ ବୋଲି ମନ୍ତ୍ରୀ କହିଥିଲେ।
Next Post

Comments are closed.