ରାଜ୍ୟରେ ଯଥେଷ୍ଟ ପରିମାଣରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରହିଛି : ମନ୍ତ୍ରୀ ଶ୍ରୀ ସ୍ୱାଇଁ

Share It

ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ବେଆଇନ ମହଜୁଦ ଓ କଳାବଜାରୀ ଉପରେ ରାଜ୍ୟ ସରକାର କଡା ନଜର ରଖିଛନ୍ତି । ଏଥି ନିମନ୍ତେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରିବା ସହିତ ଜିଲ୍ଲା ଯୋଗାଣ ଅଧିକାରୀମାନେ ଓ ଅନ୍ୟ କ୍ଷେତ୍ର ଅଧିକାରୀମାନେ ନିଜେ ଜିଲ୍ଲାରେ ବୁଲିବା ସହ ବେଆଇନ ମହଜୁଦକାରୀ ଓ କଳାବଜାରୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସଂପ୍ରତି ରାଜ୍ୟରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି । ବର୍ତ୍ତମାନ ରାଜ୍ୟରେ ଚାଉଳ, ଡାଲି, ଓ ଗହମଜାତୀୟ ଦ୍ରବ୍ୟ ଯଥା – ଅଟା, ମଇଦା, ସୁଜି ଏବଂ ଖାଇବା ତେଲ, ଆଳୁ , ପିଆଜ, ଚିନି ଇତ୍ୟାଦି ଖାଉଟି ସାମଗ୍ରୀ ଚାହିଦାଠାରୁ ଅଧିକ ରହିଛି । କୋଭିଡ-୧୯ ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ସମଗ୍ର ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଥିଲେ ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଏବଂ ପରିବା, କ୍ଷୀର ଓ ମାଛମାଂସ ଦୋକାନ ସକାଳ ୬ ଘଟିକାରୁ ଅପରାହ୍ନ ୧୨ ଘଟିକା ଯାଏଁ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଖୋଲା ରହୁଛି । ଏଥି ସହିତ ଲକଡାଉନ ସମୟରେ ଅତ୍ୟାବ୍ୟଶକୀୟ ସାମଗ୍ରୀର ଆମଦାନୀ ଓ ପରିବହନରେ କୌଣସି କଟକଣା ନାହିଁ । ତେଣୁ ଜନସାଧାରଣ କେବଳ ନିଜର ଆବଶ୍ୟକତା ଅନୁଯାୟୀ ଖାଉଟି ସାମଗ୍ରୀ କିଣିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଭୟଭୀତ ହୋଇ ଅଯଥାରେ ଅଧିକ ପରିମାଣରେ ସାମଗ୍ରୀ କିଣି ମହଜୁଦ ରଖନ୍ତୁ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ଏଥି ସହିତ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ରାଜ୍ୟର ବ୍ୟବସାୟୀମାନେ ମଧ୍ୟ ଏହିସବୁ ସାମଗ୍ରୀର ଚାହିଦା ଅନୁଯାୟୀ ଆମଦାନୀ କରୁଛନ୍ତି । ରାଜ୍ୟ ସରକାର ଯୋଗାଣ ବିଭାଗର କର୍ମଚାରୀମାନେ ଏହାର ତଦାରଖ କରି ଦୈନିକ ରିପୋର୍ଟ ସରକାରଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ଜନସାଧାରଣ କୌଣସି ଗୁଜବରେ ବିଶ୍ୱାସ ନକରି ନିଜର ଆବଶ୍ୟକତା ଅନୁଯାୟୀ କିଣାକିଣି କରିବା ସହିତ କଳାବଜାରୀଙ୍କୁ ରୋକିବା ପାଇଁ ସରକାରଙ୍କୁ ସହଯୋଗ କରନ୍ତୁ ବୋଲି ଶ୍ରୀ ସ୍ୱାଇଁ ଅନୁରୋଧ କରିଛନ୍ତି ।


Share It

Comments are closed.