ଦେଶର ପ୍ରଗତି ତଥା ଅର୍ଥନୈତିକ ଅଭିବୃଦ୍ଧିରେ ମହିଳାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ : ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ
ଭୁବନେଶ୍ଵର, ତା: ୧୧/୦୩/୨୫: ଶିଳ୍ପ, କୃଷି, ବାଣିଜ୍ୟ ପ୍ରତ୍ୟେକ ବିଭାଗରେ ଆମ ନାରୀ ସମାଜ ନିଜର ପାରଦର୍ଶିତା ପ୍ରଦର୍ଶନ କରି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ତେଣୁ ଦେଶର ପ୍ରଗତି ତଥା ଅର୍ଥନୈତିକ ଅଭିବୃଦ୍ଧିରେ ମହିଳାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମାନ୍ୟବର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ତଥା ଏମଏସଏମଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ “ସୃଜନରୁ ପ୍ରଭାବ: ସ୍ଥାୟୀ କୃଷି ଖାଦ୍ୟ ପ୍ରଣାଳୀ ପାଇଁ ଲିଙ୍ଗଗତ ପରିବର୍ତ୍ତନମୂଳକ ଆଚରଣ” ଉପରେ ସ୍ଥାନୀୟ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ (ସିୱା)ଠାରେ ଆୟୋଜିତ ତିନି ଦିନିଆ ବିଶ୍ଵ ସମ୍ମିଳନୀର ଉଦଯାପନୀ ସମାରୋହରେ ଯୋଗ ଦେଇ କହିଛନ୍ତି ।
କୃଷି କ୍ଷେତ୍ରରେ ମହିଳାମାନଙ୍କୁ ସମାନ ସୁଯୋଗ ପ୍ରଦାନ କରିବାକୁ ବିଶ୍ଵ ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା । ସେମାନେ ସାମନା କରୁଥିବା ବିଭିନ୍ନ ପ୍ରତିବନ୍ଧକ ଗୁଡ଼ିକୁ ଭାଙ୍ଗିବା ପାଇଁ ସମ୍ମିଳିତ ପ୍ରୟାସ ନିମନ୍ତେ ଆହ୍ୱାନ ଦିଆ ଯାଇଥିଲା । କୃଷିରେ ଲିଙ୍ଗଗତ ସମାନତା, ମହିଳା ସଶକ୍ତିକରଣ ଏବଂ ଅନ୍ତର୍ଭୁକ୍ତିକରଣ ନୀତି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡ଼ିକର ସମାଧାନ ପାଇଁ ଏହି ସମ୍ମିଳନୀ ଏକ ପ୍ରକୃଷ୍ଟ ମଞ୍ଚ ଥିଲା ବୋଲି ନିମନ୍ତ୍ରିତ ଅତିଥିମାନେ ମତ ବ୍ୟକ୍ତ କରିଥିଲେ ।

କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନର ନିର୍ଦ୍ଦେଶକ ଓ ସମ୍ମିଳନୀର ଆୟୋଜକ ସଚିବ ଡକ୍ଟର ମ୍ରିଦୁଳା ଦେବୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ । ବିଭାଗ ଅଧ୍ୟକ୍ଷ ଡକ୍ଟର ସୁକାନ୍ତ କୁମାର ଷଡଙ୍ଗୀ, ଜାତୀୟ ଦୁଗ୍ଧ ଉନ୍ନୟନ ପରିଷଦର ଆଞ୍ଚଳିକ ମୁଖ୍ୟ (କୋଲକାତା) ଡକ୍ଟର ସବ୍ୟସାଚୀ ରାୟ, ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମ କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ଡକ୍ଟର ହିମାଂଶୁ ବଳ, ବିଭିନ୍ନ ରାଜ୍ୟର ମହିଳା ଚାଷୀ, ଗବେଷକ, ନୀତି ନିର୍ଦ୍ଧାରକ, ଶିକ୍ଷାବିତ, ଉଦ୍ୟୋଗୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମାଣ୍ଡିଆ ରାଣୀ ରାଇମତି ଘିଉରିଆ, ଉଦୀୟମାନ ମହିଳା ଉଦ୍ୟୋଗୀ ଓ ସଫଳ ମହିଳା ଚାଷୀଙ୍କୁ ସମ୍ମାନୀତ କରାଯାଇଥିଲା । ବିଭାଗ ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପଣ୍ଡା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.