ରାଜ୍ୟରେ ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟ ମଇ ୧୩ ତାରିଖରୁ ଆରମ୍ଭ
ରବିଋତୁ ୨୦୨୦-୨୧ ପାଇଁ ପଞ୍ଜୀକୃତ ଚାଷୀମାନଙ୍କଠାରୁ ମୂଲ୍ୟ ସହାୟକ ଯୋଜନାରେ ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟ ମାର୍କଫେଡ ଦ୍ୱାରା ମଇ ୧୩ ତାରିଖଠାରୁ ଆରମ୍ଭ ହେଉଛି । କୋଭିଜ-୧୯ ସ୍ଥିତିରେ ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟକୁ ତ୍ୱରାନ୍ୱିତ କରି ମୂଲ୍ୟ ସହାୟକ ଯୋଜନାର ଲାଭ ସିଧାସଳଖ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ସଂଗ୍ରହ କେନ୍ଦ୍ରଗୁଡିକରେ ମାସ୍କ ପରିଧାନ, ସାମାଜିକ ଦୂରତ୍ୱ ଓ କାଭିଡ ମାର୍ଗଦର୍ଶିକାକୁ କଡାକଡା ଭାବେ ଅନୁପାଳନ କରିବା ପାଇଁ ମନ୍ତ୍ରୀ ଶ୍୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଭାରତ ସରକାର ଦ୍ୱାରା ମୁଗ, ବିରି , ଚିନାବାଦାମ ଓ ସୂର୍ଯ୍ୟମୁଖୀ ମଂଜି ସଂଗ୍ରହ ନିମନ୍ତେ ମୂଲ୍ୟ ସହାୟକ ଯୋଜନାରେ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରାଯାଇଛି । ଏଫ.ଏ.କ୍ୟୁ ମାନର ମୁଗର ସର୍ବନିମ୍ନ ମୂଲ୍ୟ କିଣ୍ଟାଲ ପିଛା ୭୧୯୬ ଟଙ୍କା, ବିରି କିଣ୍ଟାଲ ପିଛା ୬୦୦୦ ଟଙ୍କା, ସୂର୍ଯ୍ୟମୁଖୀ ମଂଜି କ୍ୱିଣ୍ଟାଲ ଦର ୫୮୮୫ ଟଙ୍କା ଓ ଚିନାବାଦାମ କ୍ୱିଣ୍ଟାଲ ପିଛା ୫୨୭୫ ଟଙ୍କା ଦର ସ୍ଥିର କରାଯାଇଛି । ନାଫେଡ ପକ୍ଷରୁ ରାଜ୍ୟରେ ସମବାୟ ବିଭାଗ ଅଧିନସ୍ଥ ମାର୍କଫେଡ ସଂସ୍ଥା ଦ୍ୱାରା ବିଭିନ୍ନ ପ୍ୟାକ୍ସ, ଲ୍ୟାମ୍ପସ ଓ ନିୟନ୍ତ୍ରିତ ବଜାର କମିଟି ଜରିଆରେ ନାମ ପଂଜୀକରଣ କରିଥିବା ଚାଷୀମାନଙ୍କ ଠାରୁ ଏହା ସଂଗ୍ରହ କରାଯିବ ।
ଚଳିତ ରବି ଋତୁ ୨୦୨୦-୨୧ରେ ରାଜ୍ୟରେ ସର୍ବାଧିକ ୧୩୨୫୦ ମେଟ୍ରିକ ଟନ ମୁଗ , ୭୦୦ ମେଟ୍ରିକ ଟନ ବିରି, ୭୭୭୫ ମେଟ୍ରିକ ଟନ ଚିନାବାଦାମ ଓ ୬୭୫ ମେଟ୍ରିକ ଟନ ସୂର୍ଯ୍ୟମୁଖୀ ମଂଜି ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରଯାଇଛି । ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟ ୨୦୨୧ ମଇ ୧୩ ତାରିଖରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ଏହି ମର୍ମରେ ସମବାୟ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି ।
ଡାଲି ଓ ତୈଳବୀଜ ସଂଗ୍ରହ ନିମନ୍ତେ ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ କେନ୍ଦ୍ର ନିର୍ଦ୍ଧାରଣ କରିବା ସହିତ ପ୍ରକୃତ ଚାଷୀମାନଙ୍କର ନାମ ପଂଜୀକରଣ ଏବଂ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚାଷୀ ଚିହ୍ନଟ ନିମନ୍ତେ ଆଧାର କାର୍ଡ କିମ୍ବା ଅନ୍ୟ ନିର୍ଦ୍ଧାରିତ ପରିପତ୍ର ଜରୁରୀ ଅଟେ । ଡାଲି ଓ ତୈଳବୀଜ ଉତ୍ପାଦନ ହାରକୁ ଦୃଷ୍ଟିରେ ରଖି ଏକର ପିଛା ୨ କ୍ୱିଣ୍ଟାଲ ମୁଗ ଓ ବିରି ସଂଗ୍ରହ ନିମନ୍ତେ ଧାର୍ଯ୍ୟ କରାଯାଇଥିବାବେଳେ ଏକର ପିଛା ୬ କ୍ୱିଣ୍ଟାଲ ସଂଗ୍ର ପାଇଁ ସ୍ଥିର କରାଯାଇଛି ।
Comments are closed.