ରବିଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ସଂପନ୍ନ ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ

Share It

କରୋନା ଭାଇରସର ମୁକାବିଲା ନିମନ୍ତେ ସମଗ୍ର ଦେଶ ସମେତ ରାଜ୍ୟରେ ଲକ୍‌ଡାଉନ ବଳବତ୍ତର ରହିଥିବା ଦୃଷ୍ଟିରୁ ରାଜ୍ୟରେ ଲୋକମାନଙ୍କର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ତ୍ୱରାନ୍ୱିତ ପଦକ୍ଷେପ ନେବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଲୋକସେବା ଭବନଠାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଏବଂ କାର୍ଯ୍ୟକ୍ରମର ସମୀକ୍ଷା କରିବା ଅବସରରେ ଅଗ୍ରୀମ ତ୍ରୈମାସିକ ପିଡିଏସ ରାସନ ସାମଗ୍ରୀ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା, ନଗଦ ଅର୍ଥ ବଣ୍ଟନ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ନୂତନ ହିତାଧିକାରୀଙ୍କୁ ସାମିଲ କରିବା ଏବଂ ରବିଧାନ ସଂଗ୍ରହ ଆଦି କାର୍ଯ୍ୟକୁ ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏସବୁ କାର୍ଯ୍ୟ ସଂପାଦନ ଦିଗରେ ସାମାଜିକ ଦୂରତ୍ୱ ରକ୍ଷା କରି ଏବଂ କୋଭିଡ ସମ୍ପର୍କିତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାକୁ କଡାକଡି ଅନୁପାଳନ କରିବା ପାଇଁ କହିଥିଲେ ।
କରୋନା ଭଳି ଏକ ଅସ୍ୱାଭାବିକ ପରିସ୍ଥିତିରେ ସାରା ରାଜ୍ୟରେ ଲକ ଡାଉନ ଜାରି ରହିଥିବାବେଳେ ବିଭାଗୀୟ କର୍ମକର୍ତ୍ତା ଓ କ୍ଷେତ୍ର ଅଧିକାରୀମାନେ ନିଷ୍ଠା ଓ ଆନ୍ତରିକତା ଓ ଉତ୍ସଗୀକୃତ ମନୋଭାବ ନେଇ ହିତାଧିକାରୀମାନଙ୍କୁ ପିଡିଏସ ସାମାଗ୍ରୀ ବଣ୍ଟନ, ନଗଦ ଅର୍ଥ ବଣ୍ଟନ ଏବଂ ରାଜ୍ୟ ଖାଦୟ ସୁରକ୍ଷା ଯୋଜନାରେ ନୂତନ ହିତାଧକାରୀଙ୍କ ନାମ ସାମିଲ ଆଦି କାର୍ଯ୍ୟ ସଂପାଦନ କରିଥିବାରୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସନ୍ତୋଷ ପ୍ରକାଶ କରିଛନ୍ତି ।
ଆଜି ପର୍ଯ୍ୟନ୍ତ ୮୩ ଲକ୍ଷ ୫୫ ହଜାର ୭୩୪ ଜଣ ରାସନ କାର୍ଡଧାରୀ ପରିବାରଙ୍କୁ ଅଗ୍ରୀମ ତ୍ରୈମାସିକ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି । ଏଥ ସହିତ ଆଜି ସୁଦ୍ଧା ୮୮ ଲକ୍ଷ ୯୩ ହଜାର ୬୬୪ ଜଣ ପିଡିଏସ ରାସନକାର୍ଡଧାରୀ ପରିବାର ପିଛା ନଗଦ ରିଲିଫ ୧୦୦୦ ଟଙ୍କା ଆକାରରେ ମୋଟ ୮୮୯ କୋଟି ୩୬ ଲକ୍ଷ ୬୪ ଟଙ୍କା ବଣ୍ଟନ କରାଯାଇଛି । ରାଜ୍ୟରେ ମାର୍ଚ୍ଚ ୨୧ ତାରିଖରୁ ଆଜି ପର୍ଯ୍ୟନ୍ତ ୩୦, ୫୪୦ଟି ପରିବାର ମୋଟ ୮୩,୩୧୨ ଜଣ ନୂତନ ହିତାଧକାରୀଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି ଏବଂ ଏହି ପ୍ରକ୍ରିୟା ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି । ଏଥି ସହିତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଜାତୀୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ମୁଣ୍ଡପିଛା ୫ କେଜି ଚାଉଳ ୩ ମାସ ପାଇଁ ଏବଂ କାର୍ଡ ପିଛା ୧ କେଜି ହରଡ ଡାଲି ୩ ମାସ ପାଇଁ ମାଗଣାରେ ବଣ୍ଟନ କାର୍ଯ୍ୟ ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ମଧ୍ୟ ଅତିରିକ୍ତ ଚାଉଳ ଓ ଡାଲି ବିନା ମୂଲ୍ୟରେ ବଣ୍ଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।


Share It

Comments are closed.