୨୫୦ ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କରିଲେ ମୁଖ୍ୟମନ୍ତ୍ରୀ

Share It

ଭୁବନେଶ୍ଵର,୧୦/୦୨:ରାଜ୍ୟର ଜରୁରୀକାଳୀନ ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧିକ ୨୫୦ ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି। ରାଜ୍ୟ ସରକାର ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ୪୨୮ଟି ନୂଆ ଆମ୍ବୁଲାନ୍ସ ଯୋଡ଼ିଛନ୍ତି ମୋହନ ସରକାର। ପ୍ରଥମ ପର୍ଯ୍ୟାୟରେ ୨୦୨୫ ମସିହା ଡିସେମ୍ବର ୨୩ ତାରିଖ ଦିନ ୧୫୦ଟି ଆମ୍ବୁଲାନ୍ସ ଲୋକାର୍ପିତ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଅଧିକ ୨୫୦ ଟି ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି । ଏଥିରେ ବିମାନବନ୍ଦର ନିମନ୍ତେ ୫ ଟି ଏବଂ ଝାରସୁଗୁଡ଼ା ସ୍ଥିତ କାର୍ଡିଆକ୍ କେୟାର୍ ହସ୍ପିଟାଲ ନିମନ୍ତେ ୨ଟି ଅତ୍ୟାଧୁନିକ ଲାଇଫ୍ ସପୋର୍ଟ (ALS) ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି ।

ପ୍ରତି ଆମ୍ବୁଲାନ୍ସ ପିଛା ୨୫.୭୭ ଲକ୍ଷ ଟଙ୍କା ହିସାବରେ ୪୨୮ଟି ଆମ୍ବୁଲାନ୍ସ ପାଇଁ ପ୍ରାୟ ୧୧୧ କୋଟି ଟଙ୍କା ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ବିନିଯୋଗ କରିଛନ୍ତି । ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଓଡ଼ିଶାରେ ୨୦୧୩ ମାର୍ଚ୍ଚ ୫ ତାରିଖ ଦିନ ଆରମ୍ଭ ହୋଇଥିଲା, ଏବଂ ବର୍ତ୍ତମାନ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ମୋଟ ୮୬୬ଟି ଆମ୍ବୁଲାନ୍ସ ଜନସାଧାରଣଙ୍କ ସେବାରେ ନିୟୋଜିତ ଅଛି । ଏଥିରେ ୪୪୯ଟି ବେସିକ ଲାଇଫ ସପୋର୍ଟ(BLS) ଆମ୍ବୁଲାନ୍ସ, ୪୧୧ଟି ଆଡ୍‌ଭାନ୍‌ସ୍‌ ଲାଇଫ ସପୋର୍ଟ (ALS) ଆମ୍ବୁଲାନ୍ସ ଏବଂ ୬ଟି ବୋଟ୍ ଆମ୍ବୁଲାନ୍ସ ରହିଛି । ଏହିସବୁ ଆମ୍ବୁଲାନ୍ସ ଦ୍ବାରା ଜନସାଧାରଣଙ୍କୁ ହସିଟାଲ୍ ଯିବା ନିମନ୍ତେ ଜରୁରୀକାଳୀନ ସ୍ଥାନାନ୍ତରଣ ସେବା ଦେୟମୁକ୍ତ ଭାବେ ଯୋଗାଇ ଦିଆଯାଉଛି ।

ଏହା ସହିତ, ରାଜ୍ୟରେ ଗର୍ଭବତୀ ମହିଳା ଓ ଅସୁସ୍ଥ ଶିଶୁମାନଙ୍କ ସୁରକ୍ଷିତ ପରିବହନ ପାଇଁ “ଜନନୀ ଏକ୍ସପ୍ରେସ୍” ଯୋଜନା ଅଧୀନରେ ୫୦୦ଟି ଆମ୍ବୁଲାନ୍ସ ନିୟୋଜିତ ରହିଛି ।

ବର୍ତ୍ତମାନ ୧୦୮ ଆମ୍ବୁଲାନ୍ସ ଓ ଜନନୀ ଏକ୍ସପ୍ରେସ୍ ସେବା ମାଧ୍ଯମରେ ପ୍ରତିଦିନ ହାରାହାରି ୫୦୦୦ରୁ ଅଧିକ ରୋଗୀଙ୍କୁ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇ ଚିକିତ୍ସା ସୁବିଧା ଦିଆଯାଉଛି । ନୂଆ ଆମ୍ବୁଲାନ୍ସଗୁଡ଼ିକୁ ପର୍ଯ୍ୟାୟକ୍ରମେ ସେବାରେ ସମ୍ମିଳିତ କରିବା ଦ୍ବାରା ପୁରୁଣା ଆମ୍ବୁଲାନ୍ସ ଗୁଡ଼ିକର ପରିବର୍ତ୍ତନ କରି ଆମ୍ବୁଲାନ୍ସ ସେବାର ପ୍ରତିକ୍ରିୟା ସମୟ କମାଯାଇ ପାରିବ; ଏବଂ, ଜରୁରୀକାଳୀନ ସ୍ବାସ୍ଥ୍ୟ ସେବାକୁ ଅଧିକ ସୁଦୃଢ କରିବା ସହିତ ସୁସ୍ଥ ଓଡ଼ିଶା ଏବଂ ବିକଶିତ ଓଡ଼ିଶାକୁ ସାକାର ରୂପ ଦିଆଯାଇପାରିବ ।


Share It

Comments are closed.