ରାସ୍ତା ନଥିବାରୁ ଗୁରୁତର ଅସୁସ୍ଥ ରୋଗୀକୁ ଷ୍ଟ୍ରେଚରରେ ନେଲେ ଆମ୍ବୁଲାନ୍ସ କର୍ମଚାରୀ

Share It

ଭୁବନେଶ୍ୱର: ପୁଣି ମାନବିକତାର ଉଦାହରଣ ସାଜିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ନିଜ କର୍ତ୍ତବ୍ୟକୁ ଅଗ୍ରାଧିକାରଦେଇ ଗୁରୁତର ରୋଗୀଙ୍କୁ ଦୀର୍ଘ ୩ କି.ମି ଦୁର୍ଗମ ରାସ୍ତା ଅତିକ୍ରମକରି ଷ୍ଟ୍ରେଚରରେ ବୋହିନେଇଛନ୍ତି ଏହି ଆମ୍ବୁଲାନ୍ସ କର୍ମଚାରୀମାନେ । ଘଟଣାଟି ଘଟଛି ମୟୁରଭଞ୍ଜ ଜିଲ୍ଲାର ଜଶୀପୁର ବ୍ଲକ୍ ଅନ୍ତର୍ଗତ ଗୁରୁଗୁରିଆ ଗ୍ରାମପଞ୍ଚାୟତର କୁଆଁରିବିଲ ଗ୍ରାମରେ । ସୂଚନା ମୁତାବକ ଗତ ୧୬ ତାରିଖରେ ଉକ୍ତ ଗ୍ରାମର ଏକ ବୃଦ୍ଧା ଜ୍ୱର ଏବଂ ଦୁର୍ବଳତା ଯୋଗୁଁ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । କଲ୍ ପାଇ ରାରୁଆଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବସ୍ଥାପିତ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କ ନିକଟରେ ପହଞ୍ଚିବା ପାଇଁ ଅଗ୍ରସର ହୋଇଥିଲା । କିନ୍ତୁ ଖରାପ ତଥା ପାହାଡ଼ିଆ ରାସ୍ତା ଯୋଗୁଁ ଆମ୍ବୁଲାନ୍ସଟି ଗ୍ରାମଠାରୁ ୩ କି.ମି ଦୂରରେ ଅଟକି ରହିଥିଲା । ଏହା ହେଉଛି ଏପରି ଏକ ଅଞ୍ଚଳ ଯେଉଁଠାରେ ସଠିକ୍ ମୋବାଇଳ ନେଟୱାର୍କ ମଧ୍ୟ ଆସିନଥାଏ । ଯେଉଁଥିପାଇଁ ଇଏମଟି ବାଣ୍ଟୁ ଦଳେଇ ରୋଗୀଙ୍କ ଘର ଲୋକଙ୍କୁ ମଧ୍ୟ ଯୋଗାଯୋଗ କରିପାରିନଥିଲେ । କିନ୍ତୁ ଫେରିଯାଇନଥିଲା ୧୦୮ ଆମ୍ବୁଲାନ୍ସ ।
ଏହାପରେ ୧୦୮ ଆମ୍ବୁଲାନ୍ସରେ ଇଏଟିରୂପେ କାର୍ଯ୍ୟରତ ବାଣ୍ଟୁ ଦଳେଇ, ପାଇଲଟ ନବୀନ ବେହେରା ଏବଂ ସହାୟକ, ଫକୀର ମାରାଣ୍ଡି ଦୀର୍ଘ ୩ କି.ମି ରାସ୍ତା ଅତିକ୍ରମକରି ଚାଲି ଚାଲି ରୋଗୀଙ୍କ ନିକଟରେ ପହଞ୍ଚିଥିଲେ । ଏବଂ ରୋଗୀଙ୍କ ଘରଲୋକଙ୍କ ସହାୟତାରେ ରୋଗୀକୁ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ । ଏହାପରେ ଆମ୍ବୁଲାନ୍ସ ମାଧ୍ୟମରେ ରୋଗୀକୁ ଜଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲ । ବାସ୍ତବରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏହିପରି ମାନବିକତା ପାଇଁ ବଞ୍ଚିଯାଇଥିଲା ଏକ ଅମୂଲ୍ୟ ଜୀବନ । ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କର ଏହିପରି ମହତ କାର୍ଯ୍ୟକୁ ସାଧାରଣରେ ଖୁବ୍ ପ୍ରଂଶସା କରାଯାଇଛି ।


Share It

Comments are closed.