ଆଇସିସି ଟେଷ୍ଟ ମାନ୍ୟତା ତାଲିକା, ବୋଲିଂ ମାନ୍ୟତାର ଚତୁର୍ଥକୁ ଉଠିଲେ ବୁମରା

Share It

ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତା ତାଲିକାରେ ଅନେକ ଭାରତୀୟ ଖେଳାଳିଙ୍କ ଉନ୍ନତି ହୋଇଛି । କେବଳ ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କ ମାନ୍ୟତାରେ ଅବନତି ଘଟିଛି । ଗତ ସପ୍ତାହରେ ସେ ବ୍ୟାଟିଂ ମାନ୍ୟତା ତାଲିକାର ପଞ୍ଚମ ସ୍ଥାନରେ ରହିଥିଲେ । ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବିଫଳ ହେବା ପରେ କୋହଲି ମାନ୍ୟତା ତାଲିକାର ନବମକୁ ଖସିଛନ୍ତି ।

ବ୍ୟାଟିଂ ମାନ୍ୟତା ତାଲିକାର ଶ୍ରେଷ୍ଠ ୧୦ରେ ୩ ଜଣ ଭାରତୀୟ ସ୍ଥାନ ବଜାୟ ରଖିଛନ୍ତି । ଅଧିନାୟକ ରୋହିତ ଶର୍ମା ଷଷ୍ଠ ଓ ରିଷଭ ପନ୍ତ ଦଶମ ସ୍ଥାନରେ ରହିଛନ୍ତି । ଦ୍ୱିତୀୟ ଟେଷ୍ଟରେ ଲଢୁଆ ଶତକ ଅର୍ଜନ କରିଥିବା ଶ୍ରୀଲଙ୍କା ଅଧିନାୟକ ଦିମୁଥ କରୁଣାରତ୍ନେଙ୍କ ମାନ୍ୟତାରେ ୩ଟି ସ୍ଥାନ ଉନ୍ନତି ହୋଇଛି । ସେ ବର୍ତ୍ତମାନ ପଞ୍ଚମ ସ୍ଥାନ ଅକ୍ତିଆର କରିଛନ୍ତି । ସେହିପରି ପାକିସ୍ତାନ ଅଧିନାୟକ ବାବର ଆଜମ ଅଷ୍ଟମକୁ ଉଠିଛନ୍ତି । ଅନ୍ୟ ସମସ୍ତେ ନିଜ ନିଜ ସ୍ଥାନ ବଜାୟ ରଖିଛନ୍ତି । ମାର୍ନସ ଲାବୁସାନ ପ୍ରଥମ ସ୍ଥାନରେ ରହିଥିବାବେଳେ ଜୋ ରୁଟ୍‌ ଦ୍ୱିତୀୟ, ଷ୍ଟିଭେନ ସ୍ମିଥ୍‌ ତୃତୀୟ, କେନ ୱିଲିୟମସନ ଚତୁର୍ଥ, ଟ୍ରେଭିସ୍‌ ହେଡ୍‌ ସପ୍ତମ ସ୍ଥାନ ବଜାୟ ରଖିଛନ୍ତି ।

ବୋଲିଂ ମାନ୍ୟତା ତାଲିକାର ଶ୍ରେଷ୍ଠ ୧୦ ମଧ୍ୟରେ କେବଳ ଜଶପ୍ରୀତ ବୁମରାଙ୍କ ଉନ୍ନତି ହୋଇଥିବାବେଳେ ୬ଜଣ ବୋଲରଙ୍କ ଅବନତି ହୋଇଛି । ପ୍ୟାଟ୍‌ କମିନ୍ସ, ଆର ଅଶ୍ୱିନ ଓ କାଗିସୋ ରାବାଡା ଯଥାକ୍ରମେ ମାନ୍ୟତା ତାଲିକାର ପ୍ରଥମ ୩ଟି ସ୍ଥାନ ବଜାୟ ରଖିଛନ୍ତି । ବୁମରା ୬ଟି ସ୍ଥାନ ଉନ୍ନତି ଘଟାଇ ଚତୁର୍ଥରେ ପହଞ୍ଚିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ୮ଟି ୱିକେଟ୍‌ ଅକ୍ତିଆର କରିଥିଲେ । ସହିନ ଆଫ୍ରିଦି ପଞ୍ଚମ, କେଲି ଜାମିସନ ଷଷ୍ଠ, ଟିମ ସାଉଦି ସପ୍ତମ, ଜେମ୍ସ ଆଣ୍ଡରସନ ଅଷ୍ଟମ, ନିଲ ୱାଗନର ନବମ ଓ ଜୋସ ହାଜେଲଉଡ୍‌ ଦଶମ ସ୍ଥାନକୁ ଖସିଛନ୍ତି ।

ଅଲ୍‌ରାଉଣ୍ଡର ମାନ୍ୟତା ତାଲିକାରେ ୱେଷ୍ଟ ଇଣ୍ଡିଜ୍‌ର ଜାସନ ହୋଲ୍ଡର ପୁଣି ଥରେ ଶୀର୍ଷ ସ୍ଥାନକୁ ଫେରିଛନ୍ତି । ଗତ ସପ୍ତାହରେ ଶୀର୍ଷ ସ୍ଥାନ ଦଖଲ କରିଥିବା ରବିନ୍ଦ୍ର ଜାଡେଜା ଦ୍ୱିତୀୟକୁ ଖସିଛନ୍ତି । ଆର ଅଶ୍ୱିନ ତୃତୀୟ, ସାକିବ ଅଲ୍‌ ହାସନ ଚତୁର୍ଥ, ବେନ ଷ୍ଟୋକ୍ସ ପଞ୍ଚମ, ମିଚେଲ ଷ୍ଟାର୍କ ଷଷ୍ଠ, କେଲି ଜାମିସନ ସପ୍ତମ, କଲିନ ଡି ଗ୍ରାଣ୍ଡହୋମ୍‌ ଅଷ୍ଟମ, ପ୍ୟାଟ୍‌ କମିନ୍ସ ନବମ ଓ କ୍ରିସ୍‌ ୱକ୍ସ ଦଶମ ସ୍ଥାନ ବଜାୟ ରଖିଛନ୍ତି ।


Share It

Comments are closed.