ସଙ୍କଟରେ ରାଜ୍ୟର ୬୦ ଟ୍ରାନ୍ସଫରମର୍ ୟୁନିଟ୍ର ଭବିଷ୍ୟତ
ଭୁବନେଶ୍ୱର: ଟାଟା ପାୱାର ପ୍ରସ୍ତୁତ କରିଥିବା ନୀତି ରାଜ୍ୟରେ ଥିବା ୬୦ରୁ ଅଧିକ ଟ୍ରାନ୍ସଫରମର ୟୁନିଟ୍ ଓ ସେଥିରେ କାମ କରୁଥିବା ୫୦୦୦ରୁ ଅଧିକ ଲୋକମାନଙ୍କ ଜୀବନଜୀବିକା ପ୍ରତି ବିପଦ ସୃଷ୍ଟି କରିଛି । ଏହି ସବୁ ସଂସ୍ଥାଗୁଡ଼ିକ ରାଜ୍ୟ ସରକାର ଏମ୍ଏସ୍ଏମ୍ଇ ନୀତି ଅଧୀନରେ ପ୍ରତିଷ୍ଠା ହୋଇଥିଲେ ଓ ବିଦ୍ୟୁତ ବଂଟନ କଂପାନିଗୁଡ଼ିକର ଆବଶ୍ୟକତା ପୂରଣ କରୁଥିଲେ । ବିଦ୍ୟୁତ ବଂଟନ ବ୍ୟବସ୍ଥାକୁ ଟାଟା ପାୱାର ଅଧିଗ୍ରହଣ କରିବା ପରେ କଂପାନିର ଏକପାଖିଆ ଓ ମନମାନି ନୀତି ଯୋଗୁଁ ରାଜ୍ୟରେ ଥିବା ଟ୍ରାନ୍ସଫର ୟୁନିଟ୍ ଓ ତତ୍ ସଂକ୍ରାନ୍ତୀୟ ସଂସ୍ଥାଗୁଡ଼ିକ ଆଉ ବରାଦ ପାଉନାହାନ୍ତି । ଟାଟା ପାୱାର ଜାଣିଶୁଣି ଏଭଳି ନୀତି ପ୍ରସ୍ତୁତ କରିଛି ଯଦ୍ୱାରା ଏହି ସଂସ୍ଥାଗୁଡ଼ିକ ଟେଣ୍ଡରରେ ଭାଗ ନେଇପାରିବେ ନାହିଁ । ଏହି ସଂସ୍ଥାଗୁଡ଼ିକ ପାଖରେ ବିଆଇଏସ, ବିଇଇ ଓ ଆଇଏସ୍ଓ ଭଳି ମାନ୍ୟତା ଥିଲେ ମଧ୍ୟ ସେମାନଙ୍କୁ ଭେଣ୍ଡର ଭାବେ ବିଚାର କରାଯାଉନାହିଁ ।
ଏହି ମାମଲାରେ ଗଭୀର ଚିନ୍ତାପ୍ରକଟ କରି ଓଡ଼ିଶା କ୍ଷୁଦ୍ର ଓ ମଧ୍ୟ ଶିଳ୍ପ ସଂଘ (ଓସ୍ମି)ର ସମ୍ପାଦକ ସାତ୍ୱିକ ସ୍ୱାଇଁ କହିଛନ୍ତି ଯେ, “ଓଡ଼ିଶାରେ ଟାଟା ପାୱାର ପ୍ରବେଶ କରିବା ପରେ ସ୍ଥାନୀୟ ଟ୍ରାନ୍ସଫର ଓ ତତ୍ ସମ୍ପର୍କିତ ୟୁନିଟ୍ଗୁଡ଼ିକୁ ଅଣଦେଖା କରାଯାଉଛି । କଂପାନି ସ୍ଥାନୀୟ ୟୁନିଟ୍ଗୁଡ଼ିକୁ ଗୁରୁତ୍ୱ ଦେଉନାହିଁ ଓ ସରକାର ଧାର୍ଯ୍ୟ କରିଥିବା ନୀତିକୁ ମାନୁନାହିଁ । ରାଜ୍ୟର ପ୍ରକ୍ୟୁରମେଂଟ୍ ନୀତିକୁ ମାନିବା ଓ ତୁରନ୍ତ ଭେଣ୍ଡର ଡେଭେଲପ୍ମେଂଟ୍ କାର୍ଯ୍ୟକ୍ରମ ଆରମ୍ଭ କରି ସ୍ଥାନୀୟ ୟୁନିଟ୍ଗୁଡ଼ିକୁ ଭେଣ୍ଡର ଭାବେ ଗ୍ରହଣ କରିବା ଲାଗି ଟାଟା ପାୱାରକୁ ନିର୍ଦେଶ ଦେବାକୁ ଆମେ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛୁ । ସବୁ ଭେଣ୍ଡରଙ୍କୁ ସାମିଲ କରିବା ଲାଗି ଟାଟା ପାୱାରକୁ ଏହାର କଠୋର ଯୋଗ୍ୟତା ମାନଦଣ୍ଡ କୋହଳ କରିବାକୁ ପଡ଼ିବ ।’’
ଓଡ଼ିଶା ଟ୍ରାନ୍ସଫରମର ମାନୁଫାକଚରର୍ସ ଆସୋସିଏସନ (ଓଟିଏମଏ)ର ସଭାପତି ଶାରଦା ପ୍ରସନ୍ନ ଦାସ କହିଛନ୍ତି ଯେ, “ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ ଯେ ଡିସ୍କମ୍ରେ ସରକାରଙ୍କ ଅଂଶଧନ ଥିବା ସତ୍ୱେ ଟାଟା ପାୱାର ରାଜ୍ୟର ପ୍ରକ୍ୟୁରମେଂଟ୍ ନୀତିକୁ ପାଳନ କରୁନାହିଁ ଯାହାକୁ ପୂର୍ବରୁ ଓପିଟିସିଏଲ୍ ପାଳନ କରୁଥିଲା । ଏଥିରୁ ଏହା ସ୍ପଷ୍ଟ ଭାବେ ଜଣାପଡ଼ୁଛି ଯେ ଟାଟା ପାୱାର ରାଜ୍ୟ ବାହାରୁ ଟ୍ରାନ୍ସଫରମର କିଣିବାକୁ ଚାହୁଛି । ଏହା ଦ୍ୱାରା ରାଜ୍ୟ ବିପୁଳ ରାଜସ୍ୱ ହରାଇବ ଏବଂ ସ୍ଥାନୀୟ ୟୁନିଟ୍ଗୁଡ଼ିକ ରୁଗ୍ଣ ହୋଇଯିବେ, କାରଣ ଏହି ସଂସ୍ଥାଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଡିସ୍କମ୍ଗୁଡ଼ିକ ଉପରେ ନିର୍ଭରଶୀଳ ଥିଲେ । ଏହି ପ୍ରସଙ୍ଗରେ ଶକ୍ତି ବିଭାଗ ସହ ଆଲୋଚନା କରିବା ଲାଗି ଏମ୍ଏସ୍ଏମ୍ଇ ବିଭାଗକୁ ଆମେ ଆହ୍ୱାନ ଦେଉଛୁ । ’’
ଓଡ଼ିଶାରେ ୬୦ରୁ ଅଧିକ ଟ୍ରାନ୍ସଫରମର ୟୁନିଟ୍ ଥିବା ବେଳେ ସେଗୁଡ଼ିକ ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନିବେଶ କରିଛନ୍ତି ଏବଂ ପ୍ରତ୍ୟକ୍ଷ ଭାବେ ୧୫୨୦ ଓ ପରୋକ୍ଷ ଭାବେ ୩୦୦୦ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି । ସେମାନେ ବ୍ୟାଙ୍କଗୁଡ଼ିକ ଠାରୁ ୪୦ କୋଟି ଟଙ୍କାର ଋଣ ଆଣିଛନ୍ତି । ଟ୍ରାନ୍ସଫରମର କ୍ଷେତ୍ରରେ ୨୦୧୯-୨୦ ଓ ୨୦୨୦-୨୧ରେ ଯଥାକ୍ରମେ ୧୯ କୋଟି ଟଙ୍କା ଓ ୧୧ କୋଟି ଟଙ୍କାର ଜିଏସ୍ଟି ପ୍ରଦାନ କରିଛି ।
ନିକଟରେ ଟାଟା ପାୱାର ପକ୍ଷରୁ ଏକ ଟେଣ୍ଡର ଜାରି କରାଯାଇଥିଲା ଯେଉଁଥିରେ ଜାଣିଶୁଣି ଏଭଳି କଠୋର ଯୋଗ୍ୟତା ମାନଦଣ୍ଡ ଧାର୍ଯ୍ୟ କରାଯାଇଛି ଯଦ୍ୱାରା ରାଜ୍ୟର କୌଣସି ଟ୍ରାନ୍ସଫରମର ୟୁନିଟ୍ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ । ନିକଟରେ ରାଜ୍ୟର କିଛି ସଂସ୍ଥା ତାଲିକାଭୁକ୍ତ ହେବା ଲାଗି ଆବେଦନ କରି ବିଫଳ ହୋଇଛନ୍ତି ।
ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନରରେ ଓଟିଏମଏର ଉପ ସଭାପତି ହୃଷିକେଶ ଦାସ, ସମ୍ପାଦକ ପ୍ରଦୀପ୍ତ କୁମାର ନାୟକ, ଯୁଗ୍ମ ସମ୍ପାଦକ ବିଜୟ କୁମାର ନନ୍ଦ, କୋଷାଧ୍ୟକ୍ଷ କୃଷ୍ଣ ମୋହନ ମିଶ୍ର ଓ ବରିଷ୍ଠ ଉପଦେଷ୍ଟା ଦେବାଶିଷ ଦାସ ଉପସ୍ଥିତ ଥିଲେ ।
Comments are closed.