ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ଏହି ୬ ଜଣଙ୍କ ବୟାନ ରେକର୍ଡ କଲା ପୋଲିସ


ବଲିଉଡ ତାରକା ସୁଶାନ୍ତ ସିଂହ ରାଜପୁତ ପଞ୍ଚତତ୍ତ୍ୱରେ ବିଲୀନ ହୋଇଛନ୍ତି | ସୋମବାର ଦିନ ଅନ୍ତିମ ସଂସ୍କାର ମୁମ୍ବାଇରେ କରାଯାଇଛି | ଏବେ ମଧ୍ୟ କାହାକୁ ବିଶ୍ୱାସ ହେଉନାହିଁ ଯେ ଏମିତି ଖୁସ ମିଜାଜ କଳାକାର ଆତ୍ମହତ୍ୟା କରିପାରନ୍ତି | ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ପୋଲିସକୁ ଚିନ୍ତାରେ ପକାଇ ଦେଇଛି | ସେ କାହିଁକି ଆତ୍ମହତ୍ୟା କଲେ ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ | ପୋଲିସ ତଦନ୍ତ ଜାରି ରଖିଛି | ବେକରେ ରସି ଲାଗିବାରୁ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ହୋଇଛି ତଥାପି ପୋଲିସ ଅନେକ ଦିଗରୁ ଆତ୍ମହତ୍ୟା ଯାଞ୍ଚ କରୁଛି | ତେବେ ଏନେଇ କିଛି ବଲିଉଡ ତାରକା ନିଜ ନିଜ ମତ ପ୍ରକାଶ କରିଛନ୍ତି | ଏବେ ପ୍ରଶ୍ନ ଉଠୁଛି କଣ ସୁଶାନ୍ତ ସିଂହଙ୍କୁ ଏତେ ମଜବୂର କରାଯାଇଥିଲା ଯେ ସେ ଏହିଭଳି ପଦକ୍ଷେପ ନେଲେ |

ଏହି ହାଇ ପ୍ରୋଫାଇଲ ମାମଲାକୁ ପୋଲିସ ବହୁତ ନିଖୁଣ ଭାବେ ଯାଞ୍ଚ କରୁଛି | ଆତ୍ମହତ୍ୟା ମାମଲାରେ ପୋଲିସ ଏବେ ଯାଏଁ ୬ ଜଣଙ୍କୁ ପଚରାଉଚୁରା କରିଛି | ପୋଲିସ ଏହି ୬ ଜଣଙ୍କ ବୟାନ ରେକର୍ଡ କରିଛି | ସୁଶାନ୍ତ ସିଂହଙ୍କ ଭଉଣୀ, ତାଙ୍କର ଦୁଇଜଣ ମ୍ୟାନେଜର, ଜଣେ ସେଫ, ତାଙ୍କର ଜଣେ ବନ୍ଧୁ ଏବଂ ଅଭିନେତା ମହେଶ ସେଟ୍ଟୀ ଓ ଯାହା ପାଖରେ ସୁଶାନ୍ତଙ୍କ ଘରର ଚାବି ଥିଲା ସେମାନଙ୍କୁ ପୋଲିସ ପଚରାଉଚୁରା କରିଛି | ପୋଲିସ ସୂତ୍ର ଅନୁଯାୟୀ, ସୁଶାନ୍ତ ଶେଷ କଲ ମହେଶ ସେଟ୍ଟୀଙ୍କୁ କରିଥିଲେ ସେଥିପାଇଁ ତାଙ୍କ ପୋଲିସ ପଚରାଉଚୁରା କରିଥଲା |

ପରିବାରଲୋକଙ୍କ ମଧ୍ୟରେ ସୁଶାନ୍ତ ସିଂହଙ୍କ ଭଉଣୀଙ୍କ ବୟାନ ରେକର୍ଡ କରାଯାଇଛି | ସୋମବାର ଦିନ ସୁଶାନ୍ତଙ୍କ ପିତା ଏବଂ ପରିବାରର ଅନ୍ୟ ସଦସ୍ୟମାନେ ମୁମ୍ବାଇରେ ପହଂଚିଥିଲେ | ପୋଲିସ ସେମାନଙ୍କୁ ମଧ୍ୟ ଅଭିଯୋଗ ମାମଲା ରୁଜ୍ଜୁ କରିବାକୁ କହିଥିଲା | କିନ୍ତୁ ପରିବାରଲୋକେ ପୋଲିସ ସହ ଗତକାଲି କିଛି କଥାବାର୍ତ୍ତା କରିନଥିଲେ | ପୁଅର ଅନ୍ତିମ ସଂସ୍କାର ପରେ ସେ ପୋଲିସ ସହ କଥାବାର୍ତ୍ତା କରିବେ ବୋଲି କହିଥିଲେ | ମଙ୍ଗଳବାର ଦିନ ପରିବାର ସଦସ୍ୟ ପୋଲିସ ସହ କଥାବାର୍ତ୍ତା ହେବେ ବୋଲି ଅନୁମାନ କରାଯାଉଛି |

ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ପରେ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି | ଅନେକ ଜଣାଶୁଣା କଳାକାର ଅଭିଯୋଗ କରିଛନ୍ତି ଯେ ଇଣ୍ଡଷ୍ଟ୍ରିର ପୁରୁଣା ଲୋକ ନୂଆ ଲୋକଙ୍କୁ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ଦିଅନ୍ତିନି | ଜଣାଶୁଣା ନିର୍ଦେଶକ ଶେଖର କପୁର କହିଛନ୍ତି ଯେ, ସୁଶାନ୍ତ ସିଂହ ତାଙ୍କ ପାଖକୁ ଯାଇ ନିଜ ମନ କଥା କହି କାନ୍ଦୁଥିଲେ | ବଲିଉଡର ଅନେକ ଲୋକ ତାଙ୍କୁ ନିରାଶ କରିଥିଲେ ବୋଲି ସେ ଶେଖର କପୁରଙ୍କୁ କହିଥିଲେ | ବଲିଉଡ କଳାକାର କଙ୍ଗନା ରଣାୱତ କହିଛନ୍ତି ଯେ ଏହା ଆତ୍ମହତ୍ୟା ନୁହେଁ, ଏହା ଏକ ପ୍ଲାନ ମର୍ଡର |

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏହି ମାମଲାରେ କହିଛନ୍ତି ଯେ ସୁଶାନ୍ତ ସିଂହ ରାଜପୁତଙ୍କ ପୋଷ୍ଟ ମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ସେ ଆତ୍ମହତ୍ୟା କରିଛନ୍ତି | ମିଡ଼ିଆ ଦ୍ୱାରା ଆଉ ଗୋଟିଏ କଥା ସାମ୍ନାକୁ ଆସିଛି ଯେ ଫିଲ୍ମ ଇଣ୍ଡଷ୍ଟ୍ରିର ବିଜନେସ ପ୍ରତିଯୋଗିତା ଯୋଗୁଁ ସେ ଆତ୍ମହତ୍ୟା କରିଛନ୍ତି | ପୋଲିସ ବିଭାଗ ଏହାର ଯାଞ୍ଚ କରିବ ବୋଲି ସେ କହିଛନ୍ତି |


Share It

Comments are closed.