ବାରବାଟୀକୁ ଫେରିବ କ୍ରିକେଟ୍ ରୋମାଞ୍ଚ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍

Share It

କଟକ: ଓଡ଼ିଶାର କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପୁଣିଥରେ ଆନ୍ତର୍ଜାତୀୟ କ୍ରିକେଟର ଜଲୱା ଦେଖିବାକୁ ମିଳିବ। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଟି-୨୦ (T20I) ମ୍ୟାଚ୍ ବାରବାଟୀରେ ଅନୁଷ୍ଠିତ ହେବ ବୋଲି ଗୁରୁବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପକ୍ଷରୁ ସୂଚନା ଦିଆଯାଇଛି।

ବିସିସିଆଇ (BCCI) ପକ୍ଷରୁ ଜାରି କରାଯାଇଥିବା ୨୦୨୬-୨୭ ଆନ୍ତର୍ଜାତୀୟ ହୋମ୍ ସିଜନ୍ କାର୍ଯ୍ୟସୂଚୀ ଅନୁଯାୟୀ, ଶ୍ରୀଲଙ୍କା ଦଳ ଭାରତ ଗସ୍ତରେ ୩ଟି ଟି-୨୦ ମ୍ୟାଚ୍ ଖେଳିବ। ଏହି ସିରିଜର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ଡିସେମ୍ବର ୨୪ ତାରିଖ (ଗୁରୁବାର) ସନ୍ଧ୍ୟା ୭ଟାରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ।

ଟି-୨୦ ସିରିଜର ସମ୍ପୂର୍ଣ୍ଣ ସୂଚୀ:

  • ପ୍ରଥମ ମ୍ୟାଚ୍: ଡିସେମ୍ବର ୨୨ (ରାଜକୋଟ)

  • ଦ୍ୱିତୀୟ ମ୍ୟାଚ୍: ଡିସେମ୍ବର ୨୪ (କଟକ, ବାରବାଟୀ)

  • ତୃତୀୟ ମ୍ୟାଚ୍: ଡିସେମ୍ବର ୨୭ (ପୁଣେ)

ଟି-୨୦ ସିରିଜ୍ ପୂର୍ବରୁ ଉଭୟ ଦଳ ମଧ୍ୟରେ ୩ଟି ଦିନିକିଆ (ODI) ମ୍ୟାଚ୍ ମଧ୍ୟ ଖେଳାଯିବ। ଏହି ମ୍ୟାଚ୍ ଗୁଡ଼ିକ ଯଥାକ୍ରମେ ଡିସେମ୍ବର ୧୩ (ଦିଲ୍ଲୀ), ଡିସେମ୍ବର ୧୬ (ବେଙ୍ଗାଲୁରୁ) ଏବଂ ଡିସେମ୍ବର ୧୯ (ଅହମ୍ମଦାବାଦ)ରେ ଅନୁଷ୍ଠିତ ହେବ।

ବାରବାଟୀରେ ଶେଷଥର ପାଇଁ ୨୦୨୫ ଡିସେମ୍ବର ୯ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା। ସେହି ମ୍ୟାଚରେ ଭାରତ ୧୦୧ ରନରେ ବିଜୟୀ ହୋଇଥିଲା। ବର୍ତ୍ତମାନ ପୁଣିଥରେ ବାରବାଟୀକୁ ମ୍ୟାଚ୍ ଫେରୁଥିବାରୁ ଓଡ଼ିଶାର କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଷ୍ଟାଡିୟମରେ ବସି ନିଜ ପ୍ରିୟ ଖେଳାଳିଙ୍କୁ ଚିୟର କରିବା ପାଇଁ ଦର୍ଶକମାନେ ଏବେଠୁ ଅପେକ୍ଷା କରି ରହିଛନ୍ତି।


Share It

Comments are closed.