ଶ୍ରୀଲଙ୍କାରେ ବହୁମତ ହରାଇଲେ ରାଜପକ୍ଷେ ସରକାର
ଶ୍ରୀଲଙ୍କାରେ ଜାରି ଗୁରୁତର ଆର୍ଥିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାର ମଙ୍ଗଳବାର ସଂସଦରେ ବହୁମତ ହରାଇଛି । ମଙ୍ଗଳବାର ଶ୍ରୀଲଙ୍କା ସଂସଦର ଜରୁରିକାଳୀନ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ରାଜପକ୍ଷେ ପରିବାର ବିରୋଧରେ ଲୋକଙ୍କର କ୍ରୋଧକୁ ଦେଖି ଅତି କମ୍ରେ ୪୧ ଜଣ ସାଂସଦ ମେଣ୍ଟରୁ ବାହାରି ଯାଇଥିଲେ । ଫଳରେ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଛି । କିନ୍ତୁ ସଂସଦରେ ଭୋଟିଂ ହୋଇନାହିଁ । ବର୍ତ୍ତମାନ ସଂସଦରେ କୌଣସି ବିଧେୟକ କିମ୍ବା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାସ୍ କରିବାକୁ ସରକାର ସଙ୍କଟର ସମ୍ମୁଖୀନ ହେବେ ।
ଅନ୍ୟପକ୍ଷରେ ଗୋଟବାୟା କହିଛନ୍ତି ଯେ, ସେ ରାଷ୍ଟ୍ରପତି ପଦ ଆଦୌ ଛାଡ଼ିବେ ନାହିଁ । ଯେଉଁ ଦଳ ସଂସଦରେ ୧୧୩ ସଂଖ୍ୟାର ବହୁମତ ସାବ୍ୟସ୍ତ କରିବ ତାକୁ ସରକାର ହସ୍ତାନ୍ତର କରିବାକୁ ସେ ପ୍ରସ୍ତୁତ ଅଛନ୍ତି । ସେହିପରି ଦେଶର ନୂଆ ଅର୍ଥ ମନ୍ତ୍ରୀ ଅଲ୍ଲୀ ସାବରି ନିଯୁକ୍ତିର ୨୪ ଘଣ୍ଟା ମଧ୍ୟରେ ଇସ୍ତଫା ଦେଇଛନ୍ତି । ଗତକାଲି ରାଷ୍ଟ୍ରପତିଙ୍କ ଭାଇ ବାସିଲ ରାଜପକ୍ଷେଙ୍କ ସ୍ଥାନରେ ସାବରିଙ୍କୁ ନିଯୁକ୍ତି ଦିଆଯାଇଥିଲା ।
ସେପଟେ ଦେଶରେ ଏବେ ଔଷଧର ଅଭାବ ଗୁରୁତର ରୂପ ନେଇଛି । ତେଣୁ ସେଠାରେ ସାର୍ବଜନିକ ସ୍ୱାସ୍ଥ୍ୟ ଜରୁରିକାଳୀନ ପରିସ୍ଥିତି ଘୋଷଣା ହୋଇଛି । ଯଦି ବର୍ତ୍ତମାନର ଆର୍ଥିକ ସଙ୍କଟ ଜାରି ରୁହେ, ତା’ ହେଲେ ଔଷଧର ଅଭାବ ଯୋଗୁ ଆଗକୁ ଅତ୍ୟନ୍ତ ଗୁରୁତର ସ୍ଥିତି ସୃଷ୍ଟି ହେବ ବୋଲି ଆକଳନ ହେଉଛି । ସେହିଭଳି ଶ୍ରୀଲଙ୍କା ନରୱେ, ଇରାକରେ ଥିବା ନିଜର ଦୂତାବାସ ଓ ଅଷ୍ଟ୍ରେଲିଆର ସିଡ୍ନିରେ ବାଣିଜ୍ୟ ଦୂତାବାସ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଆର୍ଥିକ ସଙ୍କଟ ଯୋଗୁ ବର୍ତ୍ତମାନ ଏସବୁକୁ ଆସନ୍ତା ୩୦ ତାରିଖରୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯିବ ।
ଇତିମଧ୍ୟରେ ଦେଶର ଶାସକଦଳର କିଛି ସାଂସଦଙ୍କ ଗୋଷ୍ଠୀ ଦେଶରେ ଏକ ଅନ୍ତରୀଣ ସରକାର ନିଯୁକ୍ତ କରିବାକୁ ଦାବି କରିଛନ୍ତି । ସେଥିପାଇଁ ସେମାନେ ବାଚସ୍ପତିଙ୍କୁ ଭେଟି ସବୁ ଦଳ ସହ ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି । ପ୍ରଦର୍ଶନକାରୀମାନେ ରାଷ୍ଟ୍ରପତିଙ୍କର ଇସ୍ତଫା ଦାବି କରୁଥିବାରୁ ଏଭଳି ପଦକ୍ଷେପ ଅତି ଜରୁରି ବୋଲି ସେମାନେ ଦର୍ଶାଇଛନ୍ତି । ସବୁଦଳର ସମର୍ଥନ ଥିବା ଜଣେ ନେତାଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ କରାଇବାକୁ ସେମାନେ ଚାହୁଁଛନ୍ତି । ଯଦି ଏପରି କରାନଯାଏ ତା’ହେଲେ ହିଂସା ଓ ଅରାଜକତା ବ୍ୟାପିଯିବ ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି । ଅନ୍ୟପକ୍ଷରେ ବିରୋଧୀ ଦଳଗୁଡିକ କୌଣସି ଅନ୍ତରୀଣ ସରକାରରେ ସାମିଲ ହେବେନି ବୋଲି ସ୍ପଷ୍ଟ ଭାବେ କହିଛନ୍ତି । ଇତିସହିତ ସେମାନେ ରାଷ୍ଟ୍ରପତି ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ।
ସେପଟେ ଦେଶର ଦୁଇଜଣ ପ୍ରସିଦ୍ଧ କ୍ରିକେଟର ମାହେଲା ଜୟବର୍ଦ୍ଧନେ ଓ କୁମାର ସାଙ୍ଗକାରା ସୋସିଆଲ ମିଡିଆରେ ସରକାରଙ୍କ ବିରୋଧରେ କ୍ରୋଧକୁ ପ୍ରକାଶ କରିଛନ୍ତି । ଜୟବର୍ଦ୍ଧନେ ଲେଖିଛନ୍ତି, ସରକାର ସାଧାରଣ ଲୋକଙ୍କର ଆବଶ୍ୟକତାକୁ ନଜର ଅନ୍ଦାଜ କରିପାରିବେ ନାହିଁ । ସରକାରଙ୍କ ବିରୋଧ କରିବାରୁ ଲୋକଙ୍କୁ ଗିରଫ କରାଯିବାକୁ ବରଦାସ୍ତ କରାଯିବ ନାହିଁ । ପ୍ରକୃତ ନେତା ଭୁଲ୍କୁ ସ୍ୱୀକାର କରିଥାନ୍ତି । ସେହିପରି କୁମାର ସାଙ୍ଗକାରା ଲେଖିଛନ୍ତି, ଶ୍ରୀଲଙ୍କା ସବୁଠୁ କଷ୍ଟକର ସମୟକୁ ସାମ୍ନା କରୁଛି । ଲୋକଙ୍କୁ ଏଭଳି ସଙ୍କଟରେ ଦେଖି ଗଭୀର ଭାବେ ବ୍ୟଥିତ । ଲୋକମାନେ ନିଜର ଆବଶ୍ୟକୀୟ ଜିନିଷ ମାଗୁଛନ୍ତି । ସେମାନେ ଶତ୍ରୁ ନୁହନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ଅନ୍ୟପଟେ ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ୍ର ପୂର୍ବତନ ଅଧିକାରୀ ନନ୍ଦଲାଲ ବୀରାସିଂଘେ ଏପ୍ରିଲ ୭ ତାରିଖରେ କେନ୍ଦ୍ରୀୟ ବ୍ୟାଙ୍କ୍ର ଗଭର୍ଣ୍ଣର ପଦ ସମ୍ଭାଳିବେ ବୋଲି ଜଣାପଡ଼ିଛି ।
Comments are closed.