ଆଜମ ଖାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଆଗାମୀ ୭୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ
ଉତ୍ତର ପ୍ରଦେଶର ରାମପୁରର ସାଂସଦ ତଥା ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନଙ୍କ ସ୍ଵାସ୍ଥ୍ୟବସ୍ଥା ଜଟିଳ ରହିଛି। ସେ ଲକ୍ଷ୍ନୌ ସ୍ଥିତ ମେଦାନ୍ତ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି। ଆଗାମୀ ୭୨ ଘଣ୍ଟା ଆଜମଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ବୋଲି ମେଦାନ୍ତ ହସ୍ପିଟାଲର ଡ. ରାକେଶ କପୁର କହିଛନ୍ତି।
ଦୁଇଦିନ ତଳେ ଆଜମ ଖାନଙ୍କୁ ସୀତାପୁର ଜେଲ୍ରୁ ଆଣି ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ୍ରେ ଭର୍ତ୍ତି କରିବା ସମୟରେ ଆଜମଙ୍କୁ ପ୍ରତି ଘଣ୍ଟାରେ ୪ ରୁ ୫ ଲିଟର ଅକ୍ସିଜେନ୍ ଆବଶ୍ୟକତା ଥିଲା। ଜେଲ୍ରେ ଥିବା ବେଳେ ସେ ଓ ତାଙ୍କ ପୁଅ କୋଭିଡ୍-୧୯ ପଜିଟିଭ୍ ହୋଇଥିଲେ। ଏହାପରେ ଉଭୟଙ୍କୁ ମେଦାନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତେବେ ଅବଦୁଲ୍ଲାହଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ବେଳେ ଆଜମ ଖାନ ଏବେବି ଗୁରୁତର ଅଛନ୍ତି।
ଡ କପୁର କହିଛନ୍ତି, ବର୍ତ୍ତମାନ ଆଜମଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଛି। ଏବେ ଅକ୍ସିଜେନ୍ର ଆବଶ୍ୟକତା କମିଛି। କରୋନା ପ୍ରଟୋକଲକୁ ଧ୍ୟାନରେ ରଖି ତାଙ୍କ ଚିକିତ୍ସା ଜାରି ରହିଛି। ତେବେ ଆଜମ ଖାନ୍ଙ୍କ ଏଭଳି ଅବସ୍ଥା ପାଇଁ ୟୁପିର ଯୋଗୀ ସରକାରଙ୍କୁ ଦାୟୀ କିରଛନ୍ତି ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ। ଏନେଇ ସେ ଟ୍ୱିଟ୍ କରି ଯୋଗୀଙ୍କୁ ସମାଲୋଚନା କରି ଲେଖିଛନ୍ତି ଯେ ୟୁପିରେ ସବୁଠାରୁ ଖରାପ ଶାସକ ଶାସନ ଚାଲିଛି।
Comments are closed.