ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସାକ୍ଷାତ କଲେ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ତଥା ବିଶିଷ୍ଟ ଗାୟକ ଅନୁରାଗ କୀର୍ତି
ଭୁବନେଶ୍ୱର : ଦେଶରେ ବହୁଳ ଭାବେ ଆଦୃତି ଲାଭ କରିଥିବା ଭକ୍ତିଭାବପୂର୍ଣ୍ଣ ମ୍ୟୁଜିକ ଭିଡ଼ିଓ ‘ଭୋଲେନାଥ‘ର ଗାୟକ ଏବଂ ଅଭିନେତା ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୁରାତନ ଛାତ୍ର ଅନୁରାଗ କୀର୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଶନିବାର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।
ଜି ମ୍ୟୁଜିକ୍ ବ୍ୟାନରରେ ମୁକ୍ତି ଲାଭ କରିଥିବା କୀର୍ତିଙ୍କର ଏହି ଭାବପୂର୍ଣ୍ଣ ସଂଗୀତକୁ ବିଶିଷ୍ଟ ଗୀତିକାର ତଥା ସଂଗୀତ ନିର୍ଦ୍ଦେଶକ କୌଶଳ କିଶୋର ପ୍ରସ୍ତୁତ କରିଥିବା ବେଳେ ସଂଗୀତ ପ୍ରେମୀଙ୍କ ମଧ୍ୟରେ ଏହା ଖୁବ୍ ପ୍ରଶଂସିତ ହେବାରେ ଲାଗିଛି ।
ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ରୁ ଇନ୍ଫର୍ମେସନ୍ ଟେକ୍ନୋଲଜିରେ ଶିକ୍ଷା ଲାଭ କରି ୨୦୧୫ରେ କୀର୍ତି ପାସ କରିଥିଲେ ।
ଆଇଟିଇଆରରେ ଅଧ୍ୟୟନ କରୁଥିବା ବେଳେ ସେ ବିଭିନ୍ନ ସାଂସ୍କୃତିକ ଏବଂ କଳାତ୍ମକ କାର୍ଯ୍ୟରେ ନିଜକୁ ସଂଶ୍ଳିଷ୍ଟ ରଖିଥିଲେ । ବର୍ତମାନ ସେ ଭାରତର ଏକ ଅଗ୍ରଣୀ ମଲ୍ଟିନ୍ୟାସ୍ନାଲ୍ କମ୍ପାନୀରେ ଟ୍ୟାଲେଂଟ ଆକ୍ୟୁଜିସନ୍ ଲିଡ ଭାବେ କାର୍ଯ୍ୟରତ ଅଛନ୍ତି ।
ପ୍ରଫେସର ନାୟକ କୀର୍ତିଙ୍କୁ ତାଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ତାଙ୍କର ଉତରୋତର ସଫଳତା କାମନା କରିଥିଲେ ।
ନିଜ ଯାତ୍ରା ସମ୍ପର୍କରେ ଉଲ୍ଲେଖ କରି କୀର୍ତି କହିଛନ୍ତି ଯେ ସେ ପ୍ରାୟ ଗୋଟିଏ ଦଶନ୍ଧି ଓଡ଼ିଶାରେ ବିତାଇଥିବା ବେଳେ ରାଜ୍ୟର ବଳିଷ୍ଠ ସଂସ୍କୃତି ଏବଂ ଓଡ଼ିଆ ଭାଷା ପ୍ରତି ବେଶ ଆକୃଷ୍ଟ ହୋଇଥିଲେ । “ଓଡ଼ିଶା ମୋତେ ବହୁତ କିଛି ଶିଖାଇଛି ଏବଂ ମୋର ଏହି ରାଜ୍ୟ ଏବଂ ଏହାର ଲୋକଙ୍କ ପାଇଁ ଯଥେଷ୍ଟ ସମ୍ମାନ ରହିଛି” ବୋଲି ସେ କହିଥିଲେ ।
Comments are closed.