ଦାରିଙ୍ଗବାଡ଼ିରେ ୩.୫ ଡିଗ୍ରୀ ତଳକୁ ଖସିଲା ପାରଦ, ପ୍ରବଳ ଜାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ
ଦ୍ୱିତୀୟ ଦିନ ପାଇଁ ଦାରିଙ୍ଗବାଡ଼ିରେ ତୁଷାରପାତ ଜାରି ରହିଛି । ସୋମବାର ଏଠାରେ ତାପମାତ୍ରା ୪ ଡିଗ୍ରୀ ସେଲସିୟସ୍ ରହିଥିବା ବେଳେ ମଙ୍ଗଳବାର ଆହୁରି ତଳକୁ ଖସି ୩.୫ ଡିଗ୍ରୀ ରେକର୍ଡ କରାଯାଇଛି । ଯାହାକି ଚଳିତ ଋତୁର ସର୍ବନିମ୍ନ ତାପମାତ୍ରା ।ଦାରିଙ୍ଗବାଡ଼ି ସମେତ ସିମନବାଡ଼ି,ପ୍ଲିହେରୀ,କିରୀକୁଟି,ଗ୍ରୀନବାଡ଼ି,ବାଡ଼ାବାଙ୍ଗା ସମେତ ବହୁ ଅଭ୍ୟନ୍ତରିଣ ଅଂଚଳରେ ତୁଷାରପାତ ହୋଇଥିବା ସୂଚନା ରହିଛି । ବାହାରେ ରହିଥିବା ଗାଡ଼ି,ପାଳ ଗଦା,ହଳଦୀ ପତ୍ର,କାଠ ଗଣ୍ଡି,ପାଲ, ଘର ଟିଣ ଭଳି ପ୍ରମୁଖ ସ୍ଥାନରେ ଅଧା ଇଞ୍ଚ ବହଳର ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ଏଭଳି ତୁଷାରପାତ ଦେଖିବାକୁ ବିଭିନ୍ନ ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି । ତେବେ ଏଭଳି ତୁଷାରପାତ କାରଣରୁ ଅଂଚଳବାସୀଙ୍କ ଦୁଃଖ ବି ବଢ଼ି ଚାଲିଛି ।
ଅପରପକ୍ଷରେ ପର୍ଯ୍ୟଟକଙ୍କ ପାଇଁ ଖୁସି ଆଣିଦେଇଛି ତୁଷାରପାତ। ଦୁଇ ଦିନ ହେଲା ଏହି ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୂଭୁତ ହେଉଛି । ହାତ ଗୋଡ଼ କାଲୁଆ ମାରିଯାଉଛି । ଘରୁ ବାହାରିବା କଷ୍ଟ ସାଧ୍ୟ ହୋଇପଡୁଛି ।ଦିନ ୧୧ ଟା ନ ହେଲେ ଘରୁ ବାହାରି ହେଉନାହିଁ । ଦିନ ତମାମ କୋହଲା ପବନ ବହୁଥିବାରୁ ଶୀତବସ୍ତ୍ର ପରିଧାନ କରି ରହିବାକୁ ପଡୁଛି ।
ଅନ୍ୟ ପକ୍ଷରେ ଦାରିଙ୍ଗବାଡି ଇକୋ ରିଟ୍ରିଟ୍ରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି । ଦାରିଙ୍ଗବାଡ଼ିରେ ରହିଥିବା ସମସ୍ତ ଲଜ ବୁକିଙ୍ଗ ହୋଇଯାଇଛି । ଇକୋ ରିଟ୍ରିଟ ଓ ଲଜରେ ରହୁଥିବା ପର୍ଯ୍ୟଟକ ମଧ୍ୟ ତୁଷାରପାତର ମଜା ନେବା ସହ ଖୁସି ବ୍ୟକ୍ତ କରିଛନ୍ତି । ଆଜି ଫୁଲବାଣୀ ସହରରେ ମଧ୍ୟ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି ।
ମଙ୍ଗଳବାର ଏଠାରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରେକର୍ଡ କରାଯାଇଛି । ଏହାର ପ୍ରଭାବରେ ସହରର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଛି । ଜିଲ୍ଲାର ଆଭ୍ୟନ୍ତରୀଣ ଇଲାକାରେ ମଧ୍ୟ ଆଜି ଅନେକ ସ୍ଥାନରେ ତୁଷାରପାତ ଖବର ମିଳିଛି । ଆସନ୍ତା ଦୁଇଦିନ ମଧ୍ୟରେ ତାପମାତ୍ରା ଆହୁରି କମିବାର ପୂର୍ବାନୁମାନ ଥିବାରୁ କନ୍ଧମାଳ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
Comments are closed.