ଏମସ୍ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ସ୍କିନ ବ୍ୟାଙ୍କ
ଏମ୍ସ ଭୁବନେଶ୍ବର କୌଣସି ଗୁଣରେ ଏମ୍ସ ଦିଲ୍ଲୀଠାରୁ କମ ନୁହେଁ। ଓ ପ୍ରତିଷ୍ଠିତ ଏହି ଜାତୀୟ ପ୍ରତିଷ୍ଠାନ ରାଜ୍ୟ ତଥା ରାଜ୍ୟ ବାହାର ଲୋକଙ୍କୁ ଗୁଣବତ୍ତାପୂର୍ଣ୍ଣ ସ୍ବାସ୍ଥ୍ୟସେବା ପ୍ରଦାନ କରୁଛି। ଏହାକୁ ଆହୁରି ଆଗକୁ ନେବା ସହିତ ଦେଶରେ ଏକ ନମ୍ବର କରିବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଏବଂ ରସାୟନ ଏବଂ ସାର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା। ଶନିବାର ଏମସ୍ ଭୁବନେଶ୍ୱର ପରିଦର୍ଶନ କରିବା ସହ ନଡ୍ଡା ଏପରି ମତ ଦେଇଛନ୍ତି।
ଏଥିସହିତ ଏମସ୍ ଭୁବନେଶ୍ୱରରେ ପୂର୍ବ ଭାରତର ପ୍ରଥମ ସରକାରୀ ପରିଚାଳିତ ସ୍କିନ(ଚର୍ମ) ବ୍ୟାଙ୍କ ପ୍ରତିଷ୍ଠା ହେବା ନେଇ ମଧ୍ୟ ଆଲୋଚନା କାଳରେ ଘୋଷଣା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। ଏହି ଗୁରୁତ୍ୱପୂର୍ଣ୍ଣ ସୁବିଧା ମୃତ୍ୟୁର ଛଅ ଘଣ୍ଟା ମଧ୍ୟରେ ଦାତାଙ୍କଠାରୁ ଚର୍ମ ସଂଗ୍ରହ କରିବ ଏବଂ ମୁମ୍ବାଇ ଏବଂ ବେଙ୍ଗାଲୁରୁର କେନ୍ଦ୍ର ଉପରେ ବର୍ତ୍ତମାନର ର୍ନିଭରଶୀଳତାକୁ ଦୂର କରି, ତୀବ୍ର ପୋଡ଼ିଯାଇଥିବା ରୋଗୀଙ୍କ ପାଇଁ ଜୀବନରକ୍ଷାକାରୀ ଚର୍ମ ପ୍ରତିରୋପଣ ପ୍ରଦାନ କରିବ। ଏହି ସ୍କିନ ବ୍ୟାଙ୍କ ପୋ ରୋଗୀଙ୍କ ଜୀବନର ମାନକୁ ଉନ୍ନତ କରିବା ସହିତ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟର ଏପରି ରୋଗୀଙ୍କ ଜୀବନର ଗୁଣବତ୍ତା ମଧ୍ୟ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ ବୋଲି ନଡ୍ଡା ପ୍ରକାଶ କରିଥିଲେ।
ଗସ୍ତ ଅବସରରେ ସେ ଅତ୍ୟାଧୁନିକ କେନ୍ଦ୍ରୀୟ ଗବେଷଣା ପ୍ରୟୋଗଶାଳାକୁ ଉଦଘାଟନ କରିଛନ୍ତି, ଯାହାକି ଚିକିତ୍ସା ନବସୃଜନ ଏବଂ ଅନୁବାଦମୂଳକ ଗବେଷଣାର ଏକ ଶକ୍ତିଶାଳୀ କେନ୍ଦ୍ର ଭାବରେ ପରିକଳ୍ପିତ କରାଯାଇଛି। ଏହି ସୁବିଧା ବୈଜ୍ଞାନିକ ଆବିଷ୍କାର ପାଇଁ ଏକ ଉତ୍ପ୍ରେରକର ଭୂମିକା ନିର୍ବାହ କରିବା ସହିତ ଅଗ୍ରଣୀ ଚିକିତ୍ସା ଏବଂ ସ୍ବାସ୍ଥ୍ୟସେବା ସମାଧାନ ନିମନ୍ତେ ପଥ ଉନ୍ମୁକ୍ତ କରିବ ବୋଲି ଏମ୍ସ ଭୁବନେଶ୍ୱର କାର୍ଯ୍ୟନର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ପ୍ରକାଶ କରିଛନ୍ତି।
ସେହିପରି ମଲ୍ଟିୟୁଟିଲିଟି ଏବଂ ଗ୍ୟାଷ୍ଟ୍ରୋନୋମି ବ୍ଲକର ଭିତ୍ତିପ୍ରସ୍ତର ସ୍ଥାପନ କରି, ନଡ୍ଡା ସାମଗ୍ରିକ ବିକାଶ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିଛନ୍ତି। ଏହି ବ୍ଲକରେ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଏବଂ ଜନସାଧାରଣଙ୍କ ପାଇଁ ଅତ୍ୟାବଶ୍ୟକ ସମସ୍ତ ସେବା ଉପଲବ୍ଧ ରହିବ।
ପ୍ରତିଷ୍ଠାନରେ ଡିଜିଟାଲ ପରିବର୍ତ୍ତନ ଯାତ୍ରାର ଏକ ଅଂଶ ଭାବରେ, ଶ୍ରୀ ନଡ୍ଡା ଏମ୍ସ ଭୁବନେଶ୍ୱରର ଏକ ନୂତନ ୱେବସାଇଟକୁ ଉନ୍ମୋଚନ କରିଛନ୍ତି। ଏହି ୱେବସାଇଟରେ ରୋଗୀ-କୈନ୍ଦ୍ରିକ ସେବା, ସମନ୍ବିତ କାର୍ଯ୍ୟକ୍ଷମତା ଏବଂ ଓଡ଼ିଶାର ସାଂସ୍କୃତିକ ଐତିହ୍ୟର ଏକ ସ୍ପନ୍ଦନଶୀଳ ପ୍ରଦର୍ଶନ ରହିଛି। ରୋଗୀ ଏବଂ ସେମାନଙ୍କର ସମ୍ପର୍କୀୟଙ୍କ ପାଇଁ ସ୍ବାସ୍ଥ୍ୟସେବା ସେବାର ସୁଗମତା ପାଇଁ ଏହା ଡିଜାଇନ କରାଯାଇଛି। ମନ୍ତ୍ରୀ ଇଏଚଏସ କ୍ଲିନିକ ଏବଂ ଅମୃତ ଫାର୍ମାସିର ମଧ୍ୟ ଉଦ୍ଘାଟନ କରିଛନ୍ତି। ଏହି ସେବା ଏମସ୍ କର୍ମଚାରୀଙ୍କ ନିମନ୍ତେ ସୁଲଭ ଔଷଧ ଏବଂ ଅତ୍ୟାବଶ୍ୟକ ସେବାର ଉପଲବ୍ଧତାକୁ ଆହୁରି ସୁଦୃଢ଼ କରିବ।
ଏହି ଦିନିକିଆ ଗସ୍ତ ସମୟରେ, ନଡ୍ଡା ଅତ୍ୟାଧୁନିକ ବର୍ନ ସେଣ୍ଟର,ସ୍ବଚ୍ଛତା ପ୍ରଦର୍ଶନୀ, ସମନ୍ବିତ ସ୍ବାସ୍ଥ୍ୟ ଏବଂ ସୁସ୍ଥତା କ୍ଲିନିକ, ରିମାଟୋଲୋଜି ଏବଂ ଜେରିଆଟ୍ରିକ କ୍ଲିନିକ, ନବଜାତ ଇଣ୍ଟେନ୍ସିଭ କେୟାର ୟୁନିଟ (ଏନଆଇସିୟୁ) ପରିଦର୍ଶନ କରିଥିଲେ। ଏଥିସହିତ ସ୍ମୃତି ଉପବନରେ ବୃକ୍ଷ ରୋପଣ କରିଥିଲେ। ନଡ୍ଡା ସିଧାସଳଖ ଡାକ୍ତରୀ, ନର୍ସିଂ ଛାତ୍ରଛାତ୍ରୀ, ସଫେଇ କର୍ମଚାରୀ ଏବଂ ରୋଗୀଙ୍କ ସହିତ ସିଧାସଳଖ ଭାବବିନିମୟ କରିଥିଲେ। ନଡ୍ଡାଙ୍କ ସହିତ ଏମ୍ସ ଭୁବନେଶ୍ୱର ଅଧ୍ୟକ୍ଷ ଡ. ଶୈଳେଶ କୁମାର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଅଙ୍କିତା ବୁନ୍ଦେଲା ମିଶ୍ର, ରାଜ୍ୟ ସ୍ବାସ୍ଥ୍ୟ ସଚିବ ଅଶ୍ବଥୀ ଏସ, ଡିନ ଡ. ପ୍ରଶାନ୍ତ ରାଘବ ମହାପାତ୍ର, ଡ. ସୌଭାଗ୍ୟ କୁମାର ଜେନା, ଡ. ସତ୍ୟଜିତ ମିଶ୍ର, ଡିଡିଏ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ ସରକାର, ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରି ବରିଷ୍ଠ ପ୍ରଶାସନିକ ଅଧିକାରୀ ରଶ୍ମି ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ କହିଛନ୍ତି ଯେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ନଡ୍ଡାଜୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ମାର୍ଗଦର୍ଶନ ଏବଂ ନେତୃତ୍ୱ ଅଧୀନରେ ଏମ୍ସ ଭୁବନେଶ୍ୱର ଉତ୍କର୍ଷ ପଥରେ ଆଗକୁ ବଢ଼ି ଚାଲିଛି।
Comments are closed.