କଂଗ୍ରେସର ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଭୋଟର ଲିଷ୍ଟ ଜାରି କରିବାକୁ ଦାବି କଲେ ଶଶୀ ଥରୁର

Share It

କଂଗ୍ରେସ ସଙ୍କଟ ଥମିବାରେ ନାଁ ଧରୁନି । ଏବେ ଅଧ୍ୟକ୍ଷ ପଦକୁ ନେଇ କଂଗ୍ରେସରେ ଚାଲିଛି ଘମାସାନ ଚର୍ଚ୍ଚା। ଜଣେ ପରେ ଜଣେ ବଡ଼ ବଡ଼ ନେତା କଂଗ୍ରେସର ଅଧ୍ୟକ୍ଷ ପଦ ଲାଗି ନିଜ ବୟାନ ରଖିବାରେ ଲାଗିଛନ୍ତି । ଏହିକ୍ରମରେ ଏଥିରେ ସାମିଲ ହୋଇଛନ୍ତି କଂଗ୍ରେସ ନେତା ଶଶୀ ଥରୁର । ସେ ଭୋଟର ଲିଷ୍ଟ ଜାରି କରିବାକୁ ଦାବି କରିଛନ୍ତି । ସେ ଏହାକୁ ନେଇ ଚିଠି ମଧ୍ୟ ଲେଖିଛନ୍ତି । ଥରୁରଙ୍କ ବ୍ୟତୀତ ଆସାମ ସାଂସଦ ପ୍ରଦୀପ ବୋରଦୋଲାଇ ବି ଭୋଟର ଲିଷ୍ଟ ଜାରି କରିବାକୁ ଦାବି କରି ଚିଠି ଲେଖିଛନ୍ତି । ଯାହାଦ୍ୱାରା ଏବେ କେଉଁଠି ନା କେଉଁଠି କଂଗ୍ରେସ ଦଳର ଚିନ୍ତା ବଢିବାରେ ଲାଗିଛି ।

ସେହିଭଳି ଏହା ପୂର୍ବରୁ କଂଗ୍ରେସ ନେତା ମନୀଷ ତିୱାରୀ ବି କଂଗ୍ରେସର ଅଧ୍ୟକ୍ଷ ପଦ ନିର୍ବାଚନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେ ଟ୍ୱିଟ କରି ଦାବି କରିଥିଲେ କି ସମ୍ପୂର୍ଣ୍ଣ ଇଲେକ୍ଟୋରାଲ ପ୍ରକ୍ରିୟାକୁ କଂଗ୍ରେସର ୱେବସାଇଟରେ ପବ୍ଲିଶ କରାଯାଉ । ଏହାର ଜବାବରେ କଂଗ୍ରେସ ତରଫରୁ କୁହାଯାଇଥିଲା ପୂର୍ବରୁ ଏଭଳି କେବେ ହୋଇନାହିଁ । ଶଶୀ ଥରୁର ବି ପୂର୍ବରୁ ଏହି ସଙ୍କେତ ଦେଇଥିଲେ କି ସେ ଅଧ୍ୟକ୍ଷ ପଦରେ ନିର୍ବାଚନ ଲଢିପାରନ୍ତି ।

କଂଗ୍ରେସରେ ପୂର୍ବ କିଛି ଦିନ ହେବ କିଛି ଠିକ୍ ଚାଲିନାହିଁ । ଦଳର ବରିଷ୍ଠ ନେତାମାନେ ଦଳର ନେତୃତ୍ବକୁ ନେଇ ଖୋଲାଖୋଲି ବୟାନ ବାଜି କରୁଛନ୍ତି । ନିକଟରେ ଗୁଲାମ ନବୀ ଆଜାଦ ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣାତ୍ମକ ଢଙ୍ଗରେ କହି ଦଳରୁ ଇସ୍ତଫା ମଧ୍ୟ ଦେଇଥିଲେ । ସେ କଂଗ୍ରେସ ଅସନ୍ତୁଷ୍ଟ ଗୋଷ୍ଠୀ ଜି-୨୩ର ସଦସ୍ୟ ଥିଲେ । ଏହି ଗୋଷ୍ଠୀରେ ବହୁ ବଡ଼ ବଡ଼ ନେତା ବି ଗୁଲାମ ନବୀ ଆଜାଦଙ୍କୁ ଭେଟିଥିଲେ ।

ଯାହା ପରେ ସମସ୍ତେ ଅଧ୍ୟକ୍ଷ ପଦର ନିର୍ବାଚନକୁ ନେଇ ପ୍ରସ୍ତୁତି ଜାରି ରଖିଛନ୍ତି । କୁହାଯାଉଛି କି ଏହି ଗୋଷ୍ଠୀ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ନିଜର ଏକ ପ୍ରାର୍ଥୀ ଓହ୍ଲାଇବାକୁ ପ୍ରୟାସରେ ଲାଗି ପଡ଼ିଛନ୍ତି । ପ୍ରକାଶ ଯେ, କଂଗ୍ରେସ ତରଫରୁ ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଗତ କିଛି ଦିନରୁ ଦାବି ହୋଇଆସୁଥିଲା । ୨୦୧୯ଲୋକସଭା ନିର୍ବାଚନ ପରେ ଦଳରେ ଏହି ଦାବି ହେଉଥିଲା । ଯାହାପରେ ଏବେ ଶେଷରେ ୧୭ଅକ୍ଟୋବରରେ କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ହେବ । ଏହାର ଦୁଇ ଦିନ ପରେ ତଥା ୧୯ଅକ୍ଟୋବରରେ ଏହାର ଫଳାଫଳ ସାମ୍ନାକୁ ଆସିବ ।


Share It

Comments are closed.