ପୂର୍ବରଙ୍ଗ”ର ଦ୍ଵିତୀୟ ସନ୍ଧ୍ୟା : ପାଞ୍ଚାଳୀଙ୍କ ମହାଭାରତର ମହାଗାଥାରେ ଦର୍ଶକ ବିମୋହିତ

Share It

ଭୁବନେଶ୍ୱର,୨୮/୦୩:ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କୋଲକାତାର ମିଳିତ ସହଯୋଗରେ ଜାତୀୟ ନାଟକ ଉତ୍ସବ “ପୂର୍ବରଙ୍ଗ-୨୦୨୬” ଆରମ୍ଭ ହୋଇଯାଇଛି। ଏହି ନାଟକ ଉତ୍ସବ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ହେବ।ଆଜି ନାଟକ ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ନାଟ୍ୟକାର ନନ୍ଦ କିଶୋର ଆଚାର୍ଯ୍ୟଙ୍କ ରଚିତ ନାଟକ “ପାଞ୍ଚାଳୀ” ପ୍ରଦର୍ଶିତ ହୋଇଥିଲା।

ହିମାଚଳ କଲ୍‌ଚର ରିସର୍ଚ୍ଚ ଫୋରମ୍ ଓ ଥିଏଟର ରେପରଟୋରୀ ଦ୍ୱାରା ପ୍ରସ୍ତୁତ ନାଟକ “ପାଞ୍ଚାଳୀ”ର ନିର୍ଦ୍ଦେଶନା ଦେଇଥିଲେ ନାଟ୍ୟକାର ପ୍ରଫେସର ସୁରେଶ ଶର୍ମା। ଅଭିନେତ୍ରୀ ସମ୍ପା ମଣ୍ଡଳ ଓ ରିଧିମା ବାଙ୍ଗା ମଞ୍ଚରେ ନିଜର ଚମତ୍କାର ଅଭିନୟ ମାଧ୍ୟମରେ ପାଞ୍ଚାଳୀଙ୍କୁ ଜୀବନ୍ତ ଭାବେ ଗଢ଼ିତୋଳିଥିଲେ। ପାଞ୍ଚାଳୀଙ୍କ ଆବିର୍ଭାବ ଠାରୁ ନେଇ ମହାଭାରତ ଯୁଦ୍ଧ ଏବଂ ଯୁଦ୍ଧ ପରର ବିଭୀଷିକାକୁ ପାଞ୍ଚାଳୀଙ୍କ ଦୃଷ୍ଟିକୋଣରେ ଦର୍ଶକଙ୍କ ସମ୍ମୁଖରେ ପ୍ରସ୍ତୁତ କରାଯାଇଥିଲା। ପାଞ୍ଚାଳୀଙ୍କ ଶକ୍ତି, ସାମର୍ଥ୍ୟ, ସାଧନା, ବେଦନା ଏବଂ ମନସ୍ତତ୍ତ୍ୱର ବିଶ୍ଳେଷଣ ଦର୍ଶକମାନଙ୍କୁ ବିମୋହିତ କରିଥିଲା।

ଆଜିର କାର୍ଯ୍ୟକ୍ରମରେ ନାଟ୍ୟକାର ଶ୍ରୀ ଅନନ୍ତ ମହାପାତ୍ର, ଶ୍ରୀ ଗୌରହରି ଦାସ, ଶ୍ରୀ ଧୀରେନ୍ଦ୍ର ନାଥ ମଲ୍ଲିକ, ଶ୍ରୀ ଦୋଳଗୋବିନ୍ଦ ରଥ ପ୍ରମୁଖ ଉପସ୍ଥିତ ରହି କଳାକାରମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


Share It

Comments are closed.