ପୁଣି ଧରା ପଡିଲା ସମ୍ବିତଙ୍କ ମିଛ, କହିଲେ ମୁଁ UPSCରେ ୧୯ ତମ ରାଙ୍କ ରଖି ପାସ୍ କରିଛି, କଂଗ୍ରେସ ଜାରି କଲା ପରୀକ୍ଷାର୍ଥୀଙ୍କ ପୂରା ତାଲିକା

Share It

ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଆଇଟିଡିସି ଚେୟାରମ୍ୟାନ ସମ୍ୱିତ ପାତ୍ରଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ। ସମ୍ବିତ ପାତ୍ର ନିଜ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଯେଉଁ ତଥ୍ୟ ଦେଇଛନ୍ତି ତାହା ମିଛ ବୋଲି କହିଛି କଂଗ୍ରେସ।

ଜାତୀୟ ଗଣମାଧ୍ୟମ ଆଜତକର ‘ଏଜେଣ୍ଡା ଆଜତକ’ କାର୍ଯ୍ୟକ୍ରମରେ ଯୋଗ ଦେଇ ସମ୍ୱିତ ପାତ୍ର ନିଜର ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ କହିଥିଲେ ଯେ ସେ ୨୦୦୦ ମସିହାରେ ୟୁପିଏସ୍‌ସି ପରୀକ୍ଷାରେ ୧୯ତମ ରାଙ୍କ ରଖି ପାସ୍ କରିଥିଲେ। ଯାହାକୁ ନେଇ ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ଲାଗି ରହିଛି। ସମ୍ୱିତ ମିଥ୍ୟା ତଥ୍ୟ ଉପସ୍ଥାପନ କରିଥିବା ଲୋକେ ଅଭିଯୋଗ କରୁଛନ୍ତି।

ଏପଟେ କଂଗ୍ରେସ ନେତା ଆଦିତ୍ୟ ଗୋସ୍ୱାମୀ ମଧ୍ୟ ଟୁଇଟରରେ ସମ୍ୱିତ ପାତ୍ରଙ୍କ ଭିଡିଓ କ୍ଲିପ୍‌କୁ ପୋଷ୍ଟ କରି ସମ୍ବିତ ମିଛ ତଥ୍ୟ ଦେଇଛନ୍ତି ବୋଲି କହିଛନ୍ତି। ତା ସହିତ ୨୦୦୦ ମସିହାରେ ୟୁପିଏସ୍‌ସି ପରୀକ୍ଷାରେ ରେଙ୍କ ହାସଲ କରିଥିବା ସମସ୍ତ ବ୍ୟକ୍ତିଙ୍କ ତାଲିକା ପୋଷ୍ଟ କରିଛନ୍ତି। ଏହି ପୋଷ୍ଟ ସହି ସେ ଲେଖିଛନ୍ତି ଯେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ୱିତ ପାତ୍ର ଆଜତକୁ ମିଛ କହିଛନ୍ତି। ସମ୍ୱିତ କହିଥିଲେ ଯେ ୨୦୦୦ ମସିହାରେ ୟୁପିଏସ୍‌ସି ପରୀକ୍ଷାରେ ୧୯ତମ ରାଙ୍କ ହାସଲ କରିଥିଲେ।

ହେଲେ ୨୦୦୦ ମସିହା ୟୁପିଏସି ପରୀକ୍ଷାରେ ସମ୍ୱିତ ପାତ୍ର ନାଁରେ କୌଣସି ବ୍ୟକ୍ତି ରାଙ୍କ ହାସଲ କରି ନାହାନ୍ତି। ସେହିପରି ଲେଖକ ଦେବଦତ୍ତ ପଟ୍ଟନାୟକ ଅଭିନେତ୍ରୀ ସ୍ୱାରା ଭାସ୍କର, କଂଗ୍ରେସ ନେତା ବିନୟ କୁମାର ଡୋକନିୟା ମଧ୍ୟ ସମ୍ବିତଙ୍କର ଏଭଳି ବୟାନକୁ ନେଇ ବ୍ୟଙ୍ଗ କରିଛନ୍ତି। ବିନୟ ,ସମ୍ବିତଙ୍କୁ ବ୍ୟଙ୍ଗ କରି ଟ୍ୱିଟ୍‌ରେ ଲେଖିଛନ୍ତି, ‘’ ସମ୍ୱିତ ପାତ୍ର: ମୁଁ ୨୦୦୦ ମସିହାରେ ୟୁପିଏସସି ପରୀକ୍ଷାରେ ୧୯ତମ ରାଙ୍କ ହାସଲ କରିଥିଲି। ୟୁପିଏସସି ପରୀକ୍ଷା( ଉତ୍ତର ପ୍ରଦେଶ ଶାଖା ପ୍ରତିଯୋଗିତା)।”

ସେହିପରି ଅନ୍ୟ ଜଣେ ଟୁଇଟର ବ୍ୟବହାରକାରୀ ଆୟୁଷ୍ମାନ ସୈଲ ସମ୍ୱିତ ପାତ୍ରଙ୍କ ନାଁରେ ମାମଲା ରୁଜୁ କରିବା ପାଇଁ ଦାବି କରିଛନ୍ତି। ସେ ଟୁଇଟରେ ଲେଖିଛନ୍ତି, ଫ୍ୟାକ୍ଟ ଚେକ: ଭାଜପା ପ୍ରବକ୍ତା ସମ୍ୱିତ ପାତ୍ର ଲାଇଭ ଡିବେଟରେ କହିଛନ୍ତି ସେ ୨୦୦୦ ମସିହା ୟୁପିଏସସି ପରୀକ୍ଷାରେ ୧୯ ରାଙ୍କ ହାସଲ କରିଥିଲେ। ହେଲେ ତଥ୍ୟ କହୁଛି ସେହି ବର୍ଷ ସମ୍ୱିତ ପାତ୍ରଙ୍କ ନାଁରେ କୌଣସି ବ୍ୟକ୍ତି ୟୁପିଏସସି ପରୀକ୍ଷା ପାସ୍ କରିନାହାନ୍ତି। ଲାଇଭ ଟିଭିରେ ମିଛ କହିଥିବାରୁ ତାଙ୍କ ଉପରେ ମାମଲା ରୁଜୁ ହେବା ଦରକାର ବୋଲି ଆୟୁଷ୍ମାନ କହିଛନ୍ତି।

ଅନ୍ୟପଟେ ସବୁଆଡ଼ୁ ଟ୍ରୋଲ ହେବା ପରେ ସମ୍ୱିତ ପାତ୍ର ଟୁଇଟ କରି ଏହାର ଦୃଢ଼ ଜବାବ ରଖିଛନ୍ତି। ସେ କହିଛନ୍ତି ଯେ ସିଏସ୍‌ଇ ବ୍ୟତୀତ ୟୁପିଏସସି ମଧ୍ୟ ସିଏମଏସ୍‌ ପରୀକ୍ଷାର ଆୟୋଜନ କରିଥାଏ। ମୋତେ ଲାଗୁଛି ଶିକ୍ଷିତମାନେ ଏହାକୁ ଜାଣିଥିବେ। ହେଲେ କିଛି ଜଣ ଏହି ତଥ୍ୟ ବାବଦରେ ଅବଗତ ନାହାନ୍ତି।


Share It

Comments are closed.