ଋଷର ଆଶ୍ୱସନା, ୟୁକ୍ରେନରେ ବୋମା ବର୍ଷା କମିବ

Share It

ୟୁକ୍ରେନ ବିରୋଧରେ ଯୁଦ୍ଧ ଆରମ୍ଭ କରିବାର ୩୪ ଦିନ ପରେ ନରମ ପଡିଛି ରୁଷ । ରାଜଧାନୀ କିଏଭ ସମେତ ୟୁକ୍ରେନର ଉତ୍ତରାଞ୍ଚଳରେ ରୁଷ ସାମରିକ କାର୍ଯ୍ୟକଳାପ ସୀମିତ କରିବ । ପ୍ରାୟ ଦୁଇ ସପ୍ତାହ ପରେ ତୁର୍କୀର ଇସ୍ତାନବୁଲସ୍ଥିତ ଡୋଲମବସେ ପ୍ୟାଲେସରେ ଉଭୟ ଦେଶର ପ୍ରତିନିଧିଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଆଲୋଚନା ପରେ ରୁଷ ଉପ ପ୍ରତିରକ୍ଷା ମନ୍ତ୍ରୀ ଆଲେକଜାଣ୍ଡର ଫୋମିନ ଏହି ଘୋଷଣା କରିଛନ୍ତି । ୩ ଘଣ୍ଟାରୁ ଅଧିକ ସମୟ ଧରି ଏହି ଆଲୋଚନା ହୋଇଥିଲା । ଆଲୋଚନାରେ ୟୁକ୍ରେନ ନିରପେକ୍ଷ ରହିବା ସହ କୌଣସି ପ୍ରକାର ଆଣବିକ କାର୍ଯ୍ୟକଳାପରେ ସମ୍ପୃକ୍ତ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛି । ୟୁକ୍ରେନ ନାଟୋ କିମ୍ବା ଅନ୍ୟ କୌଣସି ସାମରିକ କିମ୍ବା ରାଜନୈତିକ ମେଣ୍ଟରେ ସାମିଲ ହେବ ନାହିଁ । ଏଥିସହ କୌଣସି ବିଦେଶୀ ରାଷ୍ଟ୍ରର ସାମରିକ ଘାଟି ନିଜ ଦେଶରେ ପ୍ରତିଷ୍ଠା କରିବ ନାହିଁ କିମ୍ବା ଅନ୍ୟ ଦେଶର ସୈନ୍ୟଙ୍କୁ ନିଜ ଦେଶରେ ରଖିବ ନାହିଁ । କିନ୍ତୁ ଭବିଷ୍ୟତରେ ଆକ୍ରମଣରୁ ନିଜକୁ ରକ୍ଷା କରିବା ଲାଗି ଅନ୍ତର୍ଜାତୀୟ ଗ୍ୟାରେଣ୍ଟି ଚାହିଁଛି । ଏହି ଗ୍ୟାରେଣ୍ଟି ତୁର୍କୀ ସମେତ ବ୍ରିଟେନ, ଚୀନ, ଆମେରିକା, ଫ୍ରାନ୍ସ, ଇଟାଲୀ, ଇସ୍ରାଏଲ, ଜର୍ମାନୀ ପୋଲାଣ୍ଡ ଓ କାନାଡାଠାରୁ ୟୁକ୍ରେନ ଦାବି କରିଛି । ଏ ସଂକ୍ରାନ୍ତରେ ବୁଝାମଣା କରାଯିବ । ଯାହାକି ଭବିଷ୍ୟତ ଆକ୍ରମଣ ବେଳେ ୟୁକ୍ରେନକୁ ନୋ-ଫ୍ଲାଏ ଜୋନ ଘୋଷଣା କରିବେ । ଏହି ବୁଝାମଣାକୁ ଉଭୟ ରୁଷ ଓ ୟୁକ୍ରେନ ସ୍ୱୀକାର କରିବାକୁ ପଡିବ । ସେହିଭଳି କ୍ରିମିଆ ଉପରେ କୌଣସି ନିଷ୍କର୍ଷରେ ପହଞ୍ଚିବାକୁ ୟୁକ୍ରେନ ୧୫ ବର୍ଷ ସମୟ ମାଗିଛି । ଏହି ସମୟ ଭିତରେ ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା କ୍ରିମିଆ ସଙ୍କଟ ଦୂର କରାଯିବ । ସୂଚନାଯୋଗ୍ୟ ୨୦୧୪ରେ ୟୁକ୍ରେନ ଠାରୁ ରୁଷ ବଳପୂର୍ବକ କ୍ରିମିଆକୁ ଛଡାଇ ନେଇଛି । ସେପଟେ ଆଲୋଚନା ଫଳପ୍ରଦ ହୋଇଥିବା ଦୃଷ୍ଟିରୁ ରୁଷ ବର୍ତ୍ତମାନ କିଏଭ୍‌, ଚର୍ନିହିବ ଓ ଅନ୍ୟ ଉତ୍ତରାଞ୍ଚଳ ସହର ଉପରେ ଆକ୍ରମଣ କମ କରିବ । କିନ୍ତୁ ସମଗ୍ର ୟୁକ୍ରେନରେ ରୁଷ ଯୁଦ୍ଧବିରତି କରିବ ନାହିଁ । ଯୁଦ୍ଧବିରତି ନେଇ କୌଣସି ସହମତି ହୋଇନାହିଁ । ସେହିଭଳି ୟୁକ୍ରେନ ମଧ୍ୟ ସମ୍ପୃକ୍ତ ଅଞ୍ଚଳରୁ ସୈନ୍ୟସଂଖ୍ୟା ହ୍ରାସ କରିବ ।

ଅନ୍ୟପକ୍ଷରେ ଉଭୟ ଦେଶର ରାଷ୍ଟ୍ରପତିଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଆଲୋଚନା ଲାଗି ନିଷ୍ପତ୍ତି ନିଆଯାଇଛି । ଇସ୍ତାନବୁଲରେ ଉଭୟ ରାଷ୍ଟ୍ରପତିଙ୍କ ମଧ୍ୟରେ ଏହି ଆଲୋଚନା ହେବ । କିନ୍ତୁ ତା ପୂର୍ବରୁ ଦୁଇଦେଶର ବିଦେଶ ମନ୍ତ୍ରୀ ଏକାଠି ଶାନ୍ତି ରାଜିନାମା ଚୂଡାନ୍ତ କରିବେ ବୋଲି ସେ କହିଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ସିଧାସଳଖ ଶାନ୍ତି କଥାବାର୍ତ୍ତା କରିବାକୁ ଆଗ୍ରହୀ ଥିବା ପୂର୍ବରୁ କହିଛନ୍ତି । ସେହିଭଳି ରୁଷର ମୁଖ୍ୟ ମଧ୍ୟସ୍ଥତାକାରୀ ଭ୍ଲାଦିମିର ମେଡିନ୍‌ସ୍କ୍‌ି କହିଛନ୍ତି ଆଲୋଚନାରେ ଅଗ୍ରଗତି ଘଟିଛି । ଆଲୋଚନା ସମୟରେ ୟୁକ୍ରେନ ଯେଉଁ ସବୁ ପ୍ରସ୍ତାବ ଦେଇଛି ବିଚାର ପାଇଁ ତାକୁ ପୁଟିନଙ୍କ ନିକଟକୁ ପଠାଇଦିଆଯିବ । ୟୁକ୍ରେନ ପ୍ରତିନିଧି ଦଳ ପକ୍ଷରୁ ଡେଭିଡ ଆରାହମିଆ ଏହି ଆଲୋଚନାର ନେତୃତ୍ୱ ନେଇଥିଲେ ।


Share It

Comments are closed.