ପୁରୁଣା ଭୁବନେଶ୍ୱର,୩୦/୦୩:ଆଜି ପବିତ୍ର ବାହୁଡ଼ା। ରୁକୁଣା ରଥ ବାହୁଡ଼ିଯିବ ଶ୍ରୀଲିଙ୍ଗରାଜ ମନ୍ଦିର ଅଭିମୁଖେ। ରାମେଶ୍ବର ମନ୍ଦିରରୁ ଲୀଳାଖେଳା ସାରି ପ୍ରଭୁ ଲିଙ୍ଗରାଜ ନିଜ ମନ୍ଦିରକୁ ଫେରିଯିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି ଓ ଆଜି ଅପରାହ୍ଣ ୨ଟା ୩୦ ମିନିଟ୍ ସୁଦ୍ଧା ରଥ ଟଣା ଆରମ୍ଭ ହେବ ଓ ସଂଧ୍ୟା ସୁଦ୍ଧା ରଥ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ମାଉସୀ ମା’ ମନ୍ଦିରରେ ପ୍ରଭୁ ଲିଙ୍ଗରାଜ, ଭଉଣୀ ଦେବୀ ରୁକ୍ମିଣୀ ଓ ଦୋଳଗୋବିନ୍ଦ ୩ଦିନ ଧରି ଅତିଥି ସାଜିଥିବା ବେଳେ ତିନି ଦେବଦେବୀଙ୍କୁ ଯଥାବିଧି ଆତିଥେୟତା ପ୍ରଦାନ କରାଯାଇଛି। ବିଧି ଅନୁସାରେ ଏହି ଦିନଗୁଡ଼ିକରେ ଅନ୍ନଭୋଗ ବ୍ୟବସ୍ଥା ନାହିଁ। ତେଣୁ ପ୍ରତିଦିନ ଅତିଥି ଠାକୁରମାନଙ୍କୁ ସୁସ୍ବାଦୁ ପିଠା ଭୋଗ ଲାଗି କରାଯାଇଛି। ସକାଳ, ମଧ୍ୟାହ୍ନ ଓ ସନ୍ଧ୍ୟାରେ ମଣ୍ଡା, କାକେରା ଭଳି ପିଠା ଭୋଗ ବଢ଼ା ଯାଇଛି। ଆଜି ସମସ୍ତ ପୂଜା ନୀତି ପରେ ଠାକୁରଙ୍କ ବାହୁଡ଼ା ନୀତି ସମ୍ପନ୍ନ ହେବ। ରୀତିନୀତି ଅନୁସାରେ ତିନି ଠାକୁର ରାମେଶ୍ବରଙ୍କ ନିକଟରୁ ମେଲାଣି ନେବା ପରେ ପହଣ୍ଡି କରାଯିବ। ଏହା ପରେ ରଥାରୂଢ଼ ଦେବଦେବୀଙ୍କୁ ନେଇ ରୁକୁଣା ରଥ ଲିଙ୍ଗରାଜ ମନ୍ଦିର ଅଭିମୁଖେ ରଥଦାଣ୍ଡରେ ଗଡ଼ିବ। ପ୍ରସ୍ତୁତି ଅନୁସାରେ ରଥର ସିଂହାସନ ମୋଡ଼ ସମ୍ପନ୍ନ ହୋଇ ସାରିଛି। ଚାରମାଳ ରଥ ଦାଣ୍ଡ ଦିଗକୁ ବନ୍ଧା ହୋଇ ସାରିଛି।

Comments are closed.