ରୋଟାରି ଓଡିଶା ପକ୍ଷରୁ ବେଙ୍ଗାଲୁରୁରେ ପ୍ରଥମ ଜିଲ୍ଲା ପ୍ରଶିକ୍ଷଣ ସଭା ଆୟୋଜିତ


ଭୁବନେଶ୍ୱର : ରୋଟାରି ଓଡିଶା ପକ୍ଷରୁ ଦୁଇ ଦିନ ପାଇଁ ବେଙ୍ଗାଲୁରୁଠାରେ ଏହାର ପ୍ରଥମ ଜିଲ୍ଲା ପ୍ରଶିକ୍ଷଣ ସଭା ‘ଜୟ ହୋ’ର ଆୟୋଜନ କରାଯାଇଛି । ଓଡିଶାର ବିଭିନ୍ନ ଜିଲ୍ଲାରୁ ୪୦୦ରୁ ଅଧିକ ରୋଟାରି ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ରୋଟାରି ବର୍ଷ ୨୦୨୩-୨୪ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଓ ସେବା ପ୍ରକଳ୍ପଗୁଡିକ ଉପରେ ତାଲିମ୍ ହାସଲ କରିଥିଲେ । ଏହି ଅବସରରେ ୩୭ ଜଣ ପ୍ରତିଷ୍ଠିତ ଓଡିଆ ବ୍ୟକ୍ତିତ୍ୱଙ୍କୁ ପ୍ରାଇଡ୍ ଅଫ୍ ଓଡିଶା ଏକ୍ସିଲେନ୍ସ ଆୱାର୍ଡରେ ସମ୍ମାନିତ କରାଯାଇଥିଲା । ଏମାନଙ୍କ ମଧ୍ୟରେ ଡିଆର୍‌ଡିଓର ସାଧାରଣ ନିର୍ଦ୍ଦେଶକ ଡଃ ବିକେ ଦାସ, ହାଲ୍‌ର ସିଇଓ ମିହିର କାନ୍ତି ମିଶ୍ର, ବିଇଏମ୍‌ଏଲ୍‌ର ପୂର୍ବତନ ଏମ୍‌ଡି ମାନସ ମହାନ୍ତି, ଟାଟା ଆଇଅନ୍‌ର ଜିଏସ୍‌ଏସ୍ ଗ୍ଲୋବାଲ ହେଡ୍ ଗୋପାଳକ୍ରିଷ୍ଣନ୍‌, ଆଇବିଏମ୍‌ର ପାର୍ଟନର ତୁଷାର ମିଶ୍ର, ୱିପ୍ରୋର ସିଆଇଓ କୁମାର ଅୟଷକାନ୍ତ, ରୋଡ୍ ସାଇନ୍ସର ଲେଖକ ପ୍ରଣବ ପାଣି, ଡିଭି ଆନାଲିଟିକ୍ସର ଅଧ୍ୟକ୍ଷ ଦେବେନ୍ଦ୍ର ରଥ, ସାମ୍ବାଦିକ ରଞ୍ଜନ ଆଚାର୍ଯ୍ୟ, ଓଡିଶୀ କଳାକାର ସରିତା ମିଶ୍ର ଆଦି ସାମିଲ ଥିଲେ ।

ଏହି କାର୍ଯ୍ୟକ୍ରମରେ ନିଜ ସମ୍ବୋଧନରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍‌ଡିଏ) ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍‌ଚି ‘ସ୍ଥାୟୀ ଉଦ୍ଭାବନ କ୍ଷେତ୍ରରେ ନେତୃତ୍ୱ’ ପ୍ରସଙ୍ଗରେ ନିଜର ମତବ୍ୟକ୍ତ କରିଥିଲେ । ସେ ସର୍ବୋତମ ଅଭ୍ୟାସଗୁଡିକ ଉପରେ ଗୁରୁତ୍ୱ ଦେଇଥିଲେ ଏବଂ ରୋଟାରିକୁ ଲିଡରମାନଙ୍କର ଏକ ଶକ୍ତିସ୍ଥଳ ଭାବେ ବ୍ୟାଖ୍ୟା କରିଥିଲେ । ସେ ମୁଖ୍ୟରୂପେ ଡିଇଆଇ, ମହିଳା ନେତୃତ୍ୱ, ଯୁବପିଢି ଏବଂ ରୋଟାରି ଇଂଟରନ୍ୟାଶନାଲର ରଣନୈତିକ ପ୍ରାଥମିକତାଗୁଡିକ ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ଓଡିଶା ଏକ୍‌ଜିକ୍ୟୁଟିଭ୍ ଚେୟାରମ୍ୟାନ୍ ଡଃ ଓମ୍‌କାର ରାୟ ଓଡିଶାର ଷ୍ଟାର୍ଟଅପ୍‌ଗୁଡିକୁ ବେଙ୍ଗାଲୁରୁରେ ଆଞ୍ଜେଲ ଫଣ୍ଡ୍‌, ବଜାର ପହଂଚ, ମାର୍ଗଦର୍ଶକ ଓ ସାଥୀ ନେଟ୍‌ୱର୍କଗୁଡିକ ସହ ସଂଯୋଗ କରିବା ପାଇଁ ଏକ ଷ୍ଟାର୍ଟଅପ୍ ବ୍ରିଜ୍ ଅଭିଯାନ ରୋପ୍ଟାପ୍ରେନ୍ୟୋର୍‌ସ ଶୁଭାରମ୍ଭ କରିଥିଲେ । ଏଠାରେ ବିଶିଷ୍ଟ ବ୍ୟକ୍ତିଙ୍କ ନିକଟରେ ଓଡିଶାର ଅନେକ ଷ୍ଟାର୍ଟଅପ୍‌ଗୁଡିକ ପ୍ରଦର୍ଶନ କରିଥିଲେ ଏବଂ ଯଶଦୀପ ସିଂହଙ୍କ ଟ୍ରାନ୍ସପୋର୍ଟ ସିମ୍ପଲ ଓ ଅଭିଜିତ ସାହୁଙ୍କ ଫାଷ୍ଟେକ୍ ଫ୍ୟାଶନ୍ସ ଭଳି ଯୁବ ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା । ଇନ୍‌କ୍ୟୁବେଶନ ପାର୍ଟନର ଭାବେ ଏଆଇସି-ନାଳନ୍ଦା ଏହି ଅଭିଯାନକୁ ସମସ୍ତ ସହଯୋଗ ପ୍ରଦାନ କରିଛି । ରୋଟାରି ଗଭର୍ଣ୍ଣର୍‌ସ ଅଫ୍ ବେଙ୍ଗାଲୁରୁ ଉଦୟ ଭାସ୍କର ଓ ଶ୍ରୀନିବାସ ମୁର୍ତି ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେମାନଙ୍କ ଭୂମିକା ଓ ସହଯୋଗ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ ଓ ଉଦ୍‌ଯାପନ ସମାରୋହରେ ରୋଟାରି ଇଂଟରନ୍ୟାଶନାଲର ନିର୍ଦ୍ଦେଶକ କମଲ ସାଂଘଭି ଓ ମହେଶ କୋଟ୍‌ବାଗି ସଭାପତିତ୍ୱ କରିଥିଲେ ।


Share It

Comments are closed.