ରିଲାଏନ୍ସ ଜିଓର ଚତୁର୍ଥ ତ୍ରୟମାସରେ ନିଟ୍ ଲାଭ ୧୭୭ ପ୍ରତିଶତ ବୃଦ୍ଧି ପାଇ ୨୩୩୧ କୋଟି ଟଙ୍କା

Share It

ଭୁବନେଶ୍ୱର: ରିଲାଏନ୍ସ ଜିଓର ସଦ୍ୟ ସମାପ୍ତ ହୋଇଥିବା ୨୦୧୯-୨୦ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ (ଜାନୁଆରି-ମାର୍ଚ୍ଚ ୨୦୨୦) ନିଟ୍ ଲାଭ ୧୭୭.୫ ପ୍ରତିଶତ ବୃଦ୍ଧି ପାଇ ୨୩୩୧ କୋଟି ଟଙ୍କା ହୋଇଥିବା କମପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ଗ୍ରାହକ ସଂଖ୍ୟାରେ ଘଟିଥିବା ଦ୍ରୁତ ବୃଦ୍ଧି କାରଣରୁ କଂପାନି ଏଭଳି ସଫଳତା ହାସଲ କରିଛି । ଏହି ତିନି ମାସରେ ଜିଓର ନିଜସ୍ୱ ରାଜସ୍ୱ ୧୪,୮୩୫ କୋଟି ଟଙ୍କା ହୋଇଛି ଯାହା ଗତ ବର୍ଷ ତୁଳନାରେ ୨୬.୬ ପ୍ରତିଶତ ବୃଦ୍ଧି ଘଟିଛି । ପୂର୍ବବର୍ଷର ଚତୁର୍ଥ ତ୍ରୟମାସରେ ଜିଓର ନିଟ୍ ଲାଭ ୮୪୦ କୋଟି ଟଙ୍କା ଥିଲା । ୨୦୧୯-୨୦ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ (ଅକ୍ଟୋବର-ଡିସେମ୍ବର ୨୦୧୯) ସହ ତୁଳନା କଲେ ଜିଓର ଚତୁର୍ଥ ତ୍ରୟମାସ ନିଟ୍ ଲାଭ ୭୨.୭ ପ୍ରତିଶତ ବୃଦ୍ଧି ପାଇଛି ।
ଏହି ଚତୁର୍ଥ ତ୍ରୟମାସରେ କଂପାନିର ମାସିକ ଗ୍ରାହକ ପିଛା ହାରାହାରି ରାଜସ୍ୱ (ଏଆରପିୟୁ)ରେ ଉଲ୍ଲେଖନୀୟ ବୃଦ୍ଧି ଘଟି ୧୩୦.୬ ଟଙ୍କା ହୋଇଛି । କିଛି ଦିନ ତଳେ କଂପାନି ଗ୍ରହଣ କରିଥିବା କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପ୍ରଭାବରେ ଆଗାମୀ ଦିନରେ ଏଥିରେ ଆହୁରି ବୃଦ୍ଧି ଘଟିବ ବୋଲି କଂପାନି ଆଶା କରୁଛି । ଏହି ସମୟରେ କମ୍ପାନୀର ମୋଟ ମୋବାଇଲ୍ ଡାଟା ବ୍ୟବହାର ୩୪.୩% ବୃଦ୍ଧିପାଇ ୧୨୮୪ କୋଟି ଜିବି ହୋଇଥିବା ଜଣାପଡିଛି ।
ଏଥିସହିତ ଜିଓ ପ୍ଲାଟଫର୍ମସ୍ ତରଫରୁ “ଜିଓମିଟ୍‌’ ନାମକ ଏକ ସର୍ବଭାରତୀୟ ଭିଡିଓ ପ୍ଲାଟଫର୍ମ ଆରମ୍ଭ କରାଯିବ ବୋଲି କଂପାନି ଘୋଷଣା କରିଛି ।
ଚତୁର୍ଥ ତ୍ରୟମାସର ଆର୍ଥିକ ଫଳାଫଳ ସଂକ୍ରାନ୍ତରେ ରିଲାଏନ୍ସ ଇଣ୍ଡଷଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ମୁକେଶ ଅମ୍ବାନି କହିଛନ୍ତି ଯେ, “ବର୍ତ୍ତମାନର ସଙ୍କଟ ସମୟରେ ଆମ ଗ୍ରାହକମାନଙ୍କ ପାଇଁ ଯୋଗାଯୋଗ ଓ ପରିଚାଳନା ସହଜ କରିପାରିଥିବାରୁ ଆମେ ବେଶ୍ ଆନନ୍ଦିତ । ଜିଓର ପ୍ରତିଟି କର୍ମଚାରୀ ଗାହକମାନଙ୍କ ସୁବିଧାକୁ ଅଗ୍ରାଧିକାର ଦେଉଥିବାରୁ ଅମେ ଏବେ ପ୍ରାୟ ୪୦ କୋଟି ମୋବାଇଲ୍ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛିୁ ।
ବିଶ୍ୱର ସର୍ବବୃହତ ଡିଜିଟାଲ କଂପାନି ଫେସବୁକ ସହ ଯୁଗାନ୍ତକାରୀ ସହଯୋଗିତା ସ୍ଥାପନ କରି ଜିଓ ପରବର୍ତି ଅଭିବୃଦ୍ଧି ପଥରେ ଅଗ୍ରସର ହୋଇଛି । ଶ୍ରେଷ୍ଠ ମାନର ସଂଯୋଗ ସହିତ ମନୋରଂଜନ, ବାଣିଜ୍ୟ, ଯୋଗାଯୋଗ, ଅର୍ଥ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଶ୍ୱର ଶ୍ରେଷ୍ଠ ପ୍ରଯୁକ୍ତି ଦକ୍ଷତାକୁ ନେଇ ଭାରତକୁ ବାସ୍ତବରେ ଏକ ଡିଜିଟାଲ ସମାଜରେ ପରିଣତ କରିବା ଲାଗି ଆମେ ଉଭୟ ସଂସ୍ଥା ମିଶି ସଂକଳ୍ପ ନେଇଛୁ । ଭାରତର ୬୦ ନିୟୁତ ଲଘୁ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ, ୧୨୦ ନିୟୁତ ଚାଷୀ, ୩୦ ନିୟୁତ କ୍ଷୁଦ୍ର ବ୍ୟବସାୟୀ ଓ ଅଣ ସଂଗଠିତ କ୍ଷେତ୍ରର ନିୟୁତାଧିକ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଉପରେ ଆମର ଗୁରୁତ୍ୱ ରହିବ ।’’
ସମ୍ପୂର୍ଣ୍ଣ ୨୦୧୯-୨୦ ଆର୍ଥିକ ବର୍ଷରେ ରିଲାଏନ୍ସ ଜିଓର ନିଟ୍ ଲାଭ ୮୮% ବୃଦ୍ଧି ପାଇ ୫୫୬୨ କୋଟି ଟଙ୍କା ହୋଇଛି । ୨୦୧୮-୧୯ ଆର୍ଥିକ ବର୍ଷରେ କଂପାନିର ନିଟ୍ ଲାଭ ୨୯୬୪ କୋଟି ଟଙ୍କା ଥିଲା । ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା କଂପାନିର ଗ୍ରାହକ ସଂଖ୍ୟା ୩୮୭.୫ ନିୟୁତ ହୋଇଛି । ଚତୁର୍ଥ ତ୍ରୟମାସରେ କଂପାନି ୧୭.୫ ନିୟୁତ ନୂଆ ଗ୍ରାହକ ଯୋଡ଼ିଛି । ସମ୍ପୂର୍ଣ୍ଣ ଆର୍ଥିକ ବର୍ଷ ପାଇଁ ଜିଓର ମୋଟ ପରିଚାଳନା ରାଜସ୍ୱ ୫୪,୩୧୬ କୋଟି ଟଙ୍କାରେ ପହଞ୍ଚିଛି, ଯାହା ପୂର୍ବ ଆର୍ଥିକ ବର୍ଷରେ ୪୦,୬୬୩ କୋଟି ଟଙ୍କା ରହିଥିଲା ।
ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ତରଫରୁ ମଧ୍ୟ ୨୦୧୯-୨୦ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ ୬୫୪୬ କୋଟି ଟଙ୍କାର ନିଟ୍ ଲାଭ ହୋଇଥିବା ଘୋଷଣା କରାଯାଇଛି । ଏହି ସମୟରେ କଂପାନିର ମୋଟ ରାଜସ୍ୱ ୧.୫୧ ଲକ୍ଷ କୋଟି ଟଙ୍କା ହୋଇଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ତରଫରୁ ଏହାର ନିବେଶକମାନଙ୍କ ପାଇଁ ୫୩,୧୨୫ କୋଟି ଟଙ୍କାର ସର୍ବବୃହତ ରାଇଟ୍ ଇସ୍ୟୁ ବିଷୟରେ ଘୋଷଣା କରାଯାଇଛି । ୧:୧୫ ଅନୁପାତରେ ଏହି ସେୟାର ଆବଂଟନ କରାଯିବ ଏବଂ ଏଥିରେ ପ୍ରତି ସେୟାର୍ ମୂଲ୍ୟ ୧୨୫୭ ଟଙ୍କା ରଖାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏହା ବ୍ୟତୀତ ତୈଳ ଓ ଗ୍ୟାସ୍ କାରବାରକୁ ଏକ ସ୍ୱତନ୍ତ୍ର କଂପାନି ଭାବେ ପ୍ରତିଷ୍ଠା କରିବା ଲାଗି ନ୍ୟାସନାଲ କଂପାନି ଲ’ ଟ୍ରିବ୍ୟୁନାଲ (ଏନସିଏଲଟି) ନିକଟରେ ଆବେଦନ କରାଯିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ କୁହାଯାଇଛି ।


Share It

Comments are closed.