୧୦ ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ ଲାଗିଲା କଟକଣା
କଟକ,୦୬/୦୪:ଅନ୍ୟ ରାଜ୍ୟରେ ପଞ୍ଜିକୃତ ହୋଇଥିବା ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଗାଡ଼ି ଗୁଡ଼ିକର ଓଡ଼ିଶା ମଧ୍ୟକୁ ପ୍ରବେଶ ଓ ପରିଚାଳନା ଉପରେ କଟକଣା ଲାଗୁ କରାଯାଇଛି।ନିର୍ଦ୍ଧାରିତ ସମୟସୀମା ଅତିକ୍ରମ କରିଥିବା ବାହାର ରାଜ୍ୟର କୌଣସି ବି ବାଣିଜ୍ୟିକ ଗାଡ଼ିକୁ ଓଡ଼ିଶାରେ ଚଳାଚଳ ପାଇଁ ନୂତନ ପରମିଟ୍ ପ୍ରଦାନ କରାଯିବ ନାହିଁ। ଏଥିସହିତ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (RTO) ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଏହିପରି ପୁରୁଣା ଗାଡ଼ିଗୁଡ଼ିକର ଠିକଣା ପରିବର୍ତ୍ତନ, ମାଲିକାନା ହସ୍ତାନ୍ତର କିମ୍ବା କୌଣସି ପ୍ରକାରର ପରିବହନ କର ଗ୍ରହଣ କରାଯାଇପାରିବ ନାହିଁ। ସମସ୍ତ RTO ଓ ARTO ମାନଙ୍କୁ ଏହି ସଂସ୍କାରମୂଳକ ନିଷ୍ପତ୍ତିକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପରିବହନ ବ୍ୟବସ୍ଥାକୁ ଉନ୍ନତ ଏବଂ ଯାତ୍ରୀମାନଙ୍କ ନିରାପତ୍ତାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ୧୯ ଜୁଲାଇ ୨୦୨୩ରେ ରାଜ୍ୟ ପରିବହନ ପ୍ରାଧିକରଣର ୩୦୧ତମ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି।
ଏହି ପଦକ୍ଷେପ ଦ୍ୱାରା ରାଜ୍ୟରେ ସଡ଼କ ସୁରକ୍ଷା ମାନଦଣ୍ଡରେ ଉନ୍ନତି ଆସିବ, ସଡ଼କରେ ଅନୁପଯୁକ୍ତ ଗାଡ଼ି ହ୍ରାସ ପାଇବ ଏବଂ ପୁରୁଣା ଗାଡ଼ି ଜନିତ ପ୍ରଦୂଷଣ ମଧ୍ୟ ହ୍ରାସ ହେବ ବୋଲି ବିଭାଗ ଲକ୍ଷ୍ୟ ରଖିଛି।
Comments are closed.