ସଫଳ ଟିକା ପରିଚାଳନା ପାଇଁ ସୁନ୍ଦରଗଡ଼ ଆଞ୍ଚଳିକ ଟିକା ଭଣ୍ଡାରକୁ ମିଳିଲା ଆଇଏସଓ ମାନ୍ୟତା
ସୁନ୍ଦରଗଡ଼, : ଗର୍ଭବତୀ ଏବଂ ପ୍ରସୂତି ମା\’ଙ୍କ ସହିତ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଟିକା ଏବଂ କୋଭିଡ୍-୧୯ ଟିକାର ମହଜୁଦ୍ ବ୍ୟବସ୍ଥା ଓ ପରିବହନ କ୍ଷେତ୍ରରେ ସଫଳ ପରିଚାଳନା ପାଇଁ \”ସୁନ୍ଦରଗଡ଼ ଆଞ୍ଚଳିକ ଟିକା ଭଣ୍ଡାର\’କୁ (ଆରଭିଏସ୍) ଆଇଏସଓ ମାନ୍ୟତା ମିଳିଛି । ଇଣ୍ଟରନାସନାଲ ଆକ୍ୟୁରେଟ୍ ସାର୍ଟିଫିକେସନ ସଂସ୍ଥା ପକ୍ଷରୁ ଡିସେମ୍ବର ୧୫ ତାରିଖ ଦିନ ଏହି ମାନ୍ୟତାପତ୍ର ଆସିଛି ।
ସରକାରଙ୍କର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ଆମ ଦେଶରେ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଚାଲିଛି । ଏହା ମାଧ୍ୟମରେ ଗର୍ଭବତୀ ଏବଂ ପ୍ରସୂତି ମହିଳା ତଥା ଶିଶୁମାନଙ୍କୁ ବଭିନ୍ନ ସଂକ୍ରମଣରୁ ସୁରକ୍ଷା ଦେବା ପାଇଁ ପ୍ରତିଷେଧକ ରୂପେ ଟିକା ଦିଆଯାଉଛି । ଏହାସହ ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିମାନଙ୍କ ପାଇଁ ଏବେ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଚାଲିଛି । ତେଣୁ ଟିକା ପ୍ରସ୍ତୁତି କେନ୍ଦ୍ରଠାରୁ ଟିକାକରଣ କେନ୍ଦ୍ର ପର୍ଯ୍ୟନ୍ତ ସମଗ୍ର ବ୍ୟବସ୍ଥାର ସୁପରିଚାଳନା ଉପରେ ଏହି କାର୍ଯ୍ୟକ୍ରମର ସଫଳତା ନିର୍ଭର କରୁଛି ।
ଟିକାର ଗୁଣବତ୍ତାକୁ ସୁନିଶ୍ଚିତ କରିବା ପାଇଁ ଉଚିତ ତାପମାତ୍ରାରେ ଏହାକୁ ମହଜୁଦ କରି ରଖିବା ସହ ଶୀତଳ ଶିକୁଳି ବା କୋଲ୍ଡ ଚେନ୍ ମାଧ୍ୟମରେ ଟିକା ପରିବହନ କରିବା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ । ଏହି କ୍ଷେତ୍ରରେ ସଫଳ ପରିଚାଳନାର ସମୀକ୍ଷା କରିବା ପରେ ସୁନ୍ଦରଗଡ଼ସ୍ଥିତ ଆଞ୍ଚଚଳିକ ଟିକା ଭଣ୍ଡାରକୁ ଆଇଏସଓ ମାନ୍ୟତା ମିଳିଛି । ଏହି ପ୍ରମାଣପତ୍ର ମିଳିବା ପରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମରେ ନିୟୋଜିତ ସମସ୍ତ ଅଧିକାରୀ, ସ୍ୱାସ୍ଥ୍ୟ କର୍ମୀ ଏବଂ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
“ସୁନ୍ଦରଗଡ଼ ଆଞ୍ଚଳିକ ଟିକା ଭଣ୍ଡାରକୁ ଟିକା ଆସିବା ପରେ ସରକାରଙ୍କ ମାନଦଣ୍ଡ ଅନୁସାରେ ଟିକାଗୁଡ଼ିକୁ ସୁରକ୍ଷିତ ଭାବେ ରଖାଯାଉଛି । ଏହି ଆଞ୍ଚଳିକ ଟିକା ଭଣ୍ଡାରରୁ ଆବଶ୍ୟକତା ଅନୁଯାୟୀ ସୁନ୍ଦରଗଡ଼ ଏବଂ ରାଉରକେଲା ସହିତ ଝାରସୁଗୁଡ଼ାରେ ଥିବା ଜିଲ୍ଲା ଟିକା ଭଣ୍ଡାରକୁ ଟିକା ପଠାଯାଉଛି । ଟିକାର ଗୁଣବତ୍ତା ବଜାୟ ରଖିବା ସହ ଏହାର ସୁପରିଚାଳନା ଉପରେ ସବୁବେଳେ ଗୁରୁତ୍ୱ ଦିଆଯାଉଛି । ଏହି ମାନ୍ୟତା ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଏବଂ ଟିକାକରଣ କାର୍ଯ୍ୟକ୍ରମକୁ ଆଉ ଏକ ଉଚ୍ଚତାକୁ ନେଇ ପାରିବ”, କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ।
ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ଟିକା ଭଣ୍ଡାରରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଆଞ୍ଚଳିକ ଟିକା ଭଣ୍ଡାରକୁ ଟିକା ପଠା ଯାଇଥାଏ । ସେଠାରେ ଟିକା ପହଞ୍ଚିବା ପରେ ତାକୁ ୱାକ ଇନ କୁଲରରେ ନିର୍ଦ୍ଦିଷ୍ଟ ତାପମାତ୍ରାରେ ସୁରକ୍ଷିତ ରଖାଯାଉଛି । ପରେ ଏହାକୁ ବିଭିନ୍ନ ଜିଲ୍ଲା ଟିକା ଭଣ୍ଡାରକୁ ଏବଂ ସେଠାରୁ ବ୍ଲକ୍ ଟିକା ଭଣ୍ଡାରକୁ ସୁରକ୍ଷିତ ଭାବେ ଟିକା ପଠା ଯାଇଥାଏ । ସେଠାରୁ ବିଭିନ୍ନ ଟିକାଦାନ କେନ୍ଦ୍ରକୁ ନାନା ମାଧ୍ୟମରେ ଟିକା ପଠାଇ ହିତାଧିକାରୀମାନଙ୍କୁ ଟିକା ଦିଆଯାଇଥାଏ ।
ଟିକା ଏକ ଜରୁରୀକାଳୀନ ସେବା ହୋଇଥିବାରୁ ପ୍ରତି ଥାକରେ ଏହାର ସୁପରିଚାଳନା ଉପରେ ଜୋର୍ ଦିଆଯାଉଛି । ତା\’ ସହିତ ଟିକାଦାନ ସମୟରେ କିପରି ଟିକାର ଅପଚୟ ଯଥେଷ୍ଟ କମ୍ ରହିବ ସେ କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲା ବିଶେଷ ସଫଳତା ହାସଲ କରିଛି ବୋଲି ଡାକ୍ତର ମିଶ୍ର କହିଛନ୍ତି ।
ଟିକା ପରିବହନ ଓ ପରିଚାଳନା ଲାଗି ସରକାର ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି । ଏହି ନିୟମକୁ ଠିକ୍ ଭାବେ ପାଳନ କରି ସୁନ୍ଦରଗଡ଼ସ୍ଥିତ ଆଞ୍ଚଳିକ ଟିକା ଭଣ୍ଡାର ଆଜି ଆଇଏସଓ ୯୦୦୧:୨୦୧୫ ମାନ୍ୟତା ପାଇପାରିଛି ।
Comments are closed.