ପାରଳାଖେମୁଣ୍ଡି ରେଳ ଷ୍ଟେଶନର ପୁନର୍ବିକାଶ
ରେଳ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ଅମୃତ ଷ୍ଟେଶନ ଯୋଜନାର ଅଂଶ ଭାବରେ ଐତିହାସିକ ପାରଳାଖେମୁଣ୍ଡି ରେଳ ଷ୍ଟେଶନର ପୁନର୍ବିକାଶ ଓ ନବୀକରଣ କରାଯାଉଛି। ୧୬.୪ କୋଟି ଟଙ୍କା ବିନିଯୋଗରେ ଏହି କାର୍ଯ୍ୟ କରାଯାଉଛି। ଯାତ୍ରୀଙ୍କୁ ଅତ୍ୟାଧୁନିକ ସୁବିଧା ପ୍ରଦାନ କରାଯିବା ଲକ୍ଷ୍ୟରେ ଷ୍ଟେଶନର ପୁର୍ନବିକାଶ କରାଯାଉଥିବାବେଳେ ସଂରକ୍ଷିତ ଲାଉଞ୍ଜ, ପ୍ରଥମ ଶ୍ରେଣୀ ପ୍ରତୀକ୍ଷା ହଲ, ସାଧାରଣ ପ୍ରତୀକ୍ଷା ହଲ, ଦିବ୍ୟାଙ୍ଗଜନ ଅନୁକୂଳ ସୁବିଧା ସମେତ ପ୍ରିମିୟମ ଶୌଚାଳୟ ବନ୍ଦୋବସ୍ତ କରାଯାଉଛି। ସେହିପରି ଉନ୍ନତ ପ୍ରବେଶମାର୍ଗ ଏବଂ ସୁରକ୍ଷା, ଦିବ୍ୟାଙ୍ଗଜନଙ୍କ ପାଇଁ ପ୍ରବେଶଯୋଗ୍ୟତାକୁ ଉନ୍ନତ କରିବା ପାଇଁ ଷ୍ଟେଶନରେ ୧୨ ମିଟର ଚଉଡା ଫୁଟ ଓଭର ବ୍ରିଜ (ଏଫଓବି) ଏବଂ ଦୁଇଟି ନୂତନ ଯାତ୍ରୀ ଲିଫ୍ଟ ରହିବ। ଷ୍ଟେଶନର ପରିବହନ କ୍ଷେତ୍ରଗୁଡ଼ିକୁ ବିସ୍ତାର ଏବଂ ଉନ୍ନତ କରାଯିବ, ଯେଉଁଥିରେ ଏକ ନୂତନ ପ୍ରବେଶ ଦ୍ୱାର ତୋରଣ, ପାର୍କିଂ ସୁବିଧା ଏବଂ ଏକ ଆପ୍ରୋଚ ରୋଡ ସୃଷ୍ଟି କରାଯିବ। ଆଧୁନିକୀକରଣ ଏକ ଅଂଶ ଭାବରେ ଏକ ପାର୍କ ଏବଂ ଭବିଷ୍ୟତ ବାଣିଜି୍ୟକ କ୍ଷେତ୍ର ମଧ୍ୟ ବିକଶିତ କରାଯିବ। ରାଜପ୍ରାସାଦ ଢ଼ାଞ୍ଚାରେ ଆଧୁନିକ ନିର୍ମାଣ ସାମଗ୍ରୀ ବ୍ୟବହାର କରି ଏହି ଷ୍ଟେଶନର ନବୀକରଣ କରାଯାଉଛି। ଟ୍ରେନ୍ ଚଳାଚଳ ସମ୍ପର୍କିତ ଯାତ୍ରୀ ସୂଚନା ପାଇଁ ଏଲଇଡି ସାଇନେଜ, କୋଚ ସୂଚକ ବୋର୍ଡ ଏବଂ ଟ୍ରେନ ସୂଚକ ବୋର୍ଡ ସ୍ଥାପନ କରାଯିବ। ବର୍ତ୍ତମାନ ସୁଦ୍ଧା ଫୁଟ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଅଛି। ପ୍ଲାଟଫର୍ମ୨ ର ବିଦ୍ୟୁତୀକରଣ ଏବଂ ଆଲୋକିତ ସାଇନେଜ ବୋର୍ଡ ସ୍ଥାପନ କାର୍ଯ୍ୟ ଚାଲୁରହିଛି। ପ୍ଲାଟଫର୍ମ ଆଶ୍ରୟସ୍ଥଳ, ପୃଷ୍ଠ ଉନ୍ନତିକରଣ ଏବଂ ଭିଆଇପି ଲାଉଞ୍ଜ, ପ୍ରଥମ ଶ୍ରେଣୀ ପ୍ରତୀକ୍ଷା ହଲ ଏବଂ ସାଧାରଣ ପ୍ରତୀକ୍ଷା ହଲ ସମାପ୍ତ ହୋଇଛି।
Comments are closed.