ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପରେ ମୁଖ୍ୟ କୋଚ୍‌ ପଦ ଛାଡ଼ିବେ ରବି ଶାସ୍ତ୍ରୀ

Share It

ଭାରତୀୟ କ୍ରିକେଟ୍‌ ଦଳର କୋଚ୍‌ ସ୍ଥାନ ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ବଦଳିବାକୁ ଯାଉଛି । ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପରେ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ସମେତ ବୋଲିଂ କୋଚ ଭାରତ ଅରୁଣ, ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର ଓ ଫିଲ୍ଡିଂ କୋଚ ଆର ଶ୍ରୀଧରଙ୍କ କାର୍ଯ୍ୟକାଳ ଶେଷ ହେବ । ଏହାପରେ ସେମାନେ ବିରତି ନେବାକୁ ଚିନ୍ତା କରୁଛନ୍ତି ।

ରବି ଶାସ୍ତ୍ରୀ ଇତି ମଧ୍ୟରେ କୋଚ ଦାୟିତ୍ୱରୁ ମୁକ୍ତ ହେବାକୁ ଚାହୁଁଥିବା ବିସିସିଆଇର କିଛି କର୍ମକର୍ତ୍ତାଙ୍କୁ ଜଣାଇଥିବା ଜଣା ପଡ଼ିଛି । ଅନ୍ୟ ସହକାରୀ କୋଚ୍‌ମାନେ ବିଭିନ୍ନ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ମାନଙ୍କ ସହ ଯୋଗାଯୋଗ ଜାରି ରଖିଛନ୍ତି । ଅନ୍ୟ ପଟରେ ଦେଖିବାକୁ ଗଲେ ବିସିସିଆଇ ମଧ୍ୟ ନୂଆ କୋଚିଂ ସଦସ୍ୟ ନିଯୁକ୍ତ କରିବାକୁ ଚିନ୍ତା କରୁଛି । ୨୦୧୪ରେ ଭାରତୀୟ ଦଳର ନିର୍ଦ୍ଦେଶକ ଭାବେ ଶାସ୍ତ୍ରୀ ପ୍ରଥମେ ନିଯୁକ୍ତି ପାଇଥିଲେ । ୨୦୧୬ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବା ପରେ ଅନୀଲ କୁମ୍ବଲେଙ୍କୁ କୋଚ୍‌ ନିଯୁକ୍ତ କରାଯାଇଥିଲା ।

୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ପରାଜୟ ପରେ କୁମ୍ବଲେ କୋଚ୍‌ ପଦରୁ ଇସ୍ତଫା ଦେଇଥିଲେ । ଏହା ପରଠୁ ଶାସ୍ତ୍ରୀ କୋଚ୍‌ ଦାୟିତ୍ୱ ତୁଲାଉଛନ୍ତି । ନିୟମ ଅନୁଯାୟୀ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଶେଷ ହେବା ପରେ ବିସିସିଆଇ କୋଚ୍‌ ପଦବୀଗୁଡ଼ିକ ପାଇଁ ପ୍ରାର୍ଥିପତ୍ର ଆହ୍ୱାନ କରିବ । ରାହୁଲ ଦ୍ରାବିଡଙ୍କୁ ପରବର୍ତ୍ତୀ କୋଚ୍‌ ରୂପେ ନିଯୁକ୍ତ କରିବା ପାଇଁ ଅନେକ ବିସିସିଆଇ ସଦସ୍ୟ ଆଗ୍ରହ ପ୍ରକାଶ କରିଛନ୍ତି । ଦ୍ରାବିଡ ସମ୍ପ୍ରତି ଜାତୀୟ କ୍ରିକେଟ୍‌ ଏକାଡେମୀର ନିର୍ଦ୍ଦେଶକ ରହିଛନ୍ତି। ସେପ୍ଟେମ୍ବରରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ ।


Share It

Comments are closed.