ଟ୍ରେନ୍ ଟ୍ରାକ୍‌ରେ କୁମ୍ଭୀର, ୨୫ ମିନିଟ୍ ଅଟକିଲା ରହିଲା ରାଜଧାନୀ ଏକ୍ସପ୍ରେସ୍

Share It

ଟ୍ରେନ୍ ଟ୍ରାକ୍‌ରେ ଫସି ରହିଥିଲା ୮ ଫୁଟ ଲମ୍ବା ଆହତ କୁମ୍ଭୀର। ଆହତ କୁମ୍ଭୀରକୁ ଉଦ୍ଧାର କରିବା ପାଇଁ ୨୫ ମିନିଟ୍ ଅଟକି ରହିଲା ବଡୋଦରାରୁ ମୁମ୍ବାଇ ଯାଉଥିବା ରାଜଧାନୀ ସୁପରଫାଷ୍ଟ ଏକ୍ସପ୍ରେସ୍। ଏହାଦ୍ଵାରା ବଡୋଦରା ମୁମ୍ବାଇ ଲାଇନ୍‌ରେ ଚାଲୁଥିବା ଅନ୍ୟ ସମସ୍ତ ଟ୍ରେନ୍ ପ୍ରାୟ ୪୫ ମିନିଟ୍ ଯାଏଁ ଅଟକି ରହିଥିଲା। ଆହତ କୁମ୍ଭୀରଟିର ଜୀବନ ରକ୍ଷା ପାଇଁ ରେଲୱେ ଅଧିକାରୀମାନେ ଆପ୍ରାଣ ଉଦ୍ୟମ କରିଥିଲେ। ହେଲେ କୁମ୍ଭୀରଟିର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା କାରଣରୁ ତାର ମୃତ୍ୟୁ ହୋଇଛି।

ବନ୍ୟଜନ୍ତୁ ସଂରକ୍ଷକ ହେମନ୍ତ ବାଧୱାନ କହିଛନ୍ତି ଯେ, ଭୋର ୩ଟା ୧୫ରେ ତାଙ୍କୁ କର୍ଜନ ରେଲୱେ ଷ୍ଟେସନ ଅଧିକ୍ଷକ ଫୋନ କରିଥିଲେ। ରେଲୱେ ଟ୍ରାକରରେ ଏକ କୁମ୍ଭୀର ପଡିଥିବା ରେଲୱେ ଷ୍ଟେସନ ଅଧିକ୍ଷକ କହିଥିଲେ। ଏହାପରେ ଏକ ଟିମ୍ କୁମ୍ଭୀରଟିକୁ ଉଦ୍ଧାର କରିବା ପାଇଁ ପହଞ୍ଚିଥିଲେ। କୁମ୍ଭୀରଟିକୁ ଉଦ୍ଧାର କରାଯାଇଥିଲା। ହେଲେ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା କାରଣରୁ କିଛି ସମୟ ମଧ୍ୟରେ କୁମ୍ଭୀରର ମୃତ୍ୟୁ ହୋଇଥିଲା। ତେବେ କୌଣସି ଟ୍ରେନ୍ କୁମ୍ଭୀରଟିକୁ ଧକ୍କା ଦେଇଥିବା ଅନୁମାନ କରାଯାଉଛି।

ଏନେଇ ଷ୍ଟେସନ ଅଧିକ୍ଷକ ସନ୍ତୋଷ କୁମାର କହିଛନ୍ତି ଯେ, ରାଜଧାନୀ ଏକ୍ସପ୍ରେସ୍‌କୁ ପ୍ରାୟ ୨୫ ମିନିଟ୍ ଯାଏଁ ଅଟକା ଯାଇଥିଲା। ହେଲେ ଦୁର୍ଭାଗ୍ୟବଶତଃ କୁମ୍ଭୀରଟିର ଜୀବନ ବଞ୍ଚାଇ ପାରିଲୁ ନାହିଁ।


Share It

Comments are closed.