ଉତ୍ତର ଓଡ଼ିଶାର ୭ ଷ୍ଟେଶନର ନବୀକରଣ ଜାରି

Share It

ଭାରତୀୟ ରେଳପଥ ଅମୃତ ଷ୍ଟେଶନ ଯୋଜନାର ଅଧିନରେ ଉତ୍ତର ଓଡ଼ିଶାର ବିଭିନ୍ନ ରେଳ ଷ୍ଟେଶନଗୁଡ଼ିକର ପୁନର୍ବିକାଶ କରୁଛି। ଏହି ସବୁ ଷ୍ଟେଶନଗୁଡ଼ିକ ମଧ୍ୟରେ କେନ୍ଦୁଝରଗଡ଼, ବଡ଼ବିଲ, ଜାରୋଲି, ବାରିପଦା, ରାଇରଙ୍ଗପୁର, ବେତନଟି ଏବଂ ବାଦାମପହାଡ ଅରଦି ୭ଟି ଷ୍ଟେଶନ ରହିଛି। ଏହି ନବୀକରଣ କାର୍ଯ୍ୟ ଅଧିନରେ ଭିତ୍ତିଭୂମିର ଉନ୍ନତି, ସୁବିଧାସୁଯୋଗର ଆଧୁନିକୀକରଣ ଏବଂ ଯାତ୍ରୀମାନଙ୍କ ପାଇଁ ଆରାମଦାୟକ ସେବା ଏବଂ ବାଣିଜି୍ୟକ ଅଭିବୃଦ୍ଧି ପାଇଁ ରେଳ ସଂଯୋଗ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଏହା ଦ୍ୱାରା ଓଡ଼ିଶାର ଉତ୍ତର ଅଞ୍ଚଳର ମନୋନୀତ ଷ୍ଟେଶନଗୁଡ଼ିକରେ ଡିଜାଇନ, ପ୍ରଯୁକ୍ତିବିଦ୍ୟା ଏବଂ ଯାତ୍ରୀ ସେବାରେ ଯଥେଷ୍ଟ ଉନ୍ନତି ଘଟିବ ବୋଲି ଆଶା କରାଯାଉଛି। ଷ୍ଟେଶନଗୁଡ଼ିକରେ ଆଧୁନିକ ପ୍ଲାଟଫର୍ମ, ଉନ୍ନତ ଟିକେଟିଂ ସୁବିଧା, ପ୍ରତୀକ୍ଷା କ୍ଷେତ୍ର ଏବଂ ଉନ୍ନତ ପରିଷ୍କାର ପରିଚ୍ଛନ୍ନତାକୁ ସୁନିଶ୍ଚିତ କରାଯିବ।

୧୦.୧୬ କୋଟି ବ୍ୟୟବରାଦରେ କେନ୍ଦୁଝରଗଡ଼ ରେଳ ଷ୍ଟେସନର ଗୁରୁତ୍ୱପୂର୍ଣ୍ଣ ଉନ୍ନତିକରଣ କାର୍ଯ୍ୟ ଚାଲୁରହିଛି। ବଡ଼ବିଲ ରେଳ ଷ୍ଟେଶନରେ ବର୍ତ୍ତମାନ ୧୭.୭କୋଟି ଟଙ୍କାର ଅନୁମୋଦିତ ବଜେଟ ସହିତ ପ୍ରମୁଖ ଉନ୍ନତିକରଣ କାର୍ଯ୍ୟ ଚାଲୁରହିଛି। ଏହି ପ୍ରକଳ୍ପରେ ଗୁଡସ୍‌ ସେଡର ଉନ୍ନତି ଭଳି ଅପଗ୍ରେଡ ମଧ୍ୟ କରାଯିବ ଏଥିପାଇଁ ପ୍ରାୟ ୧୦ କୋଟି ଟଙ୍କା ଖଚକର୍ଚ ହେବ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୧% ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି । ୮.୬ କୋଟି ଅନୁମୋଦିତ ବଜେଟ ସହିତ ଜାରୋଲି ରେଳ ଷ୍ଟେଶନର ଉନ୍ନତିକରଣ କାର୍ଯ୍ୟ ଚାଲୁରହିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୪% ର୍ନିମାଣ କାର୍ଯ୍ୟ ସମାପ୍ତ ହୋଇଛି।

ବାରିପଦା ରେଳ ଷ୍ଟେଶନର ଉନ୍ନତିକରଣ ପାଇଁ ୧୫.୩୫୪ କୋଟି ଟଙ୍କା ଅନୁମୋଦିତ ବଜେଟ ରହିଛି। ବର୍ତ୍ତମାନ ସୁଦ୍ଧା, ପ୍ରାୟ ୮୦% ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି। ସେହିପରି ରାଇରଙ୍ଗପୁର ରେଳ ଷ୍ଟେଶନର ୭.୪ କୋଟି ଅନୁମୋଦିତ ବଜେଟ ଉନ୍ନତିକରଣ କାର୍ଯ୍ୟ ଚାଲିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୨% ନିର୍ମାଣ କାର୍ଯ୍ୟ ସମାପ୍ତ କରାଯାଉଥିବାବେଳେ ସଫ୍ଟ ଅପଗ୍ରେଡ ମଧ୍ୟ କରାଯାଉଅଛି। ବେତନଟି ରେଳ ଷ୍ଟେଶନ ପାଇଁ ୧୪୪.୧୪୬ କୋଟି ଟଙ୍କାର ଅନୁମୋଦିତ ବଜେଟ ମଞ୍ଜୁର କରାଯାଇ ନବୀକରଣ କରାଯାଉଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦% କାମ ସମାପ୍ତ ହୋଇଛି । ୨୦୨୫ ଜୁଲାଇ ସୁଦ୍ଧା କାର୍ଯ୍ୟ ସମାପ୍ତ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ବାଦାମପାହାଡ଼ ରେଳ ଷ୍ଟେଶନ ପାଇଁ ୧୨.୨୨ କୋଟି ଅନୁମୋଦିତ ବଜେଟ ସହିତ ଗୁରୁତ୍ୱପୂର୍ଣ୍ଣ ଉନ୍ନତିକରଣ କାର୍ଯ୍ୟ ଚାଲୁରହିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୪% କାମ ସମାପ୍ତ ହୋଇଛି। ଏହି ଷ୍ଟେଶନଗୁଡ଼ିକରେ ନବୀକରଣ ଦ୍ୱାରା ଉନ୍ନତ ଯାତ୍ରା ସୁବିଧା ପ୍ରଦାନ ସହ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ସହାୟକ ହେବ।


Share It

Comments are closed.