ଏସସିବି ଅଗ୍ନିକାଣ୍ଡ ଘଟଣାରେ ଉଠିଲା ପ୍ରଶ୍ନ: ରଙ୍ଗ ପରିବର୍ତନ ଆଳରେ ସୁରକ୍ଷାକୁ ଭୁଲିଗଲେକି ସରକାର

Share It

କଟକ: କଟକ ଏସ୍‌ସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲର ଆଇସିୟୁରେ ଘଟିଥିବା ଅଗ୍ନିକାଣ୍ଡ ଘଟଣା ସମଗ୍ର ଓଡ଼ିଶାର ସ୍ୱାସ୍ଥ୍ୟ ଭିତିଭୂମିକୁନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଘଟଣାରେ ରୋଗୀମାନଙ୍କ ସୁରକ୍ଷା ନେଇ ଜନସାଧାରଣ ହତବାକ । ରାଜ୍ୟର ସର୍ବବୃହତ୍ ସରକାରୀ ହସ୍ପିଟାଲ୍‌ରେ ଏପରି ଅପରିକଳ୍ପିତ ଘଟଣା ଘଟିବା ଏହା ପ୍ରମାଣ କରୁଛି ଯେ ମୌଳିକ ସୁରକ୍ଷା ବ୍ୟବସ୍ଥାରେ କେଉଁଠିନା କେଉଁଠି ଗୁରୁତର ଅବହେଳା ହୋଇଛି। ଯେବେକି ପୂର୍ବ ସରକାରଙ୍କ ସମୟରେ ବିଭିନ୍ନ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ଆଧୁନିନିକରଣ ଉପରେ ବିଶେଷ ଦୃଷ୍ଟି ଦିଆଯାଇଥିଲା ଏବଂ ଯାହାକୁ ଓଡ଼ିଶାର ଗରିବ ଜନସାଧାରଣ ମାଗଣାରେ ତାହାପୁଣି ଆନ୍ତର୍ଜାତୀୟ ମାନର ଚିକିତ୍ସା ସୁବିଧା ପାଇପାରିଥିଲେ ।


ଏହି ଆଗ୍ନିକାଣ୍ଡ ଦେଖାଇଦେଇଛି ଯେ ହସ୍ପିଟାଲ୍‌ରେ ଫାୟାର ସେଫ୍ଟି ନିୟମ କେତେ ଦୃଢ଼ ଭାବରେ ପାଳନ ହେଉଛି। ଆଇସିୟୁ ଭଳି ସମ୍ବେଦନଶୀଳ ବିଭାଗରେ ଯେଉଁଠାରେ ରୋଗୀମାନେ ଜୀବନ-ମୃତ୍ୟୁୁ ସହ ସଂଘର୍ଷ କରୁଛନ୍ତି, ସେଠାରେ ଯଦି ଆଗ୍ନିକାଣ୍ଡ ହୁଏ, ତାହା ସିଧାସଳଖ ଭାବରେ ପରିଚାଳନାର ଅସଫଳତାକୁ ଦର୍ଶାଉଛି । ଏହା କେବଳ ଏକ ଦୁର୍ଘଟଣା ନୁହେଁ, ବରଂ ପ୍ରଶାସନିକ ବିଫଳତାର ଫଳାଫଳ ବୋଲି ଅଭିଯୋଗ ଉଠୁଛି। କେବଳ ଡ଼ବଲ ଇଂଜିନ୍ ଚଲାଉଥିବା ସରକାର ମୃତ ରୋଗୀ ମାନଙ୍କ ସଂପର୍କୀୟଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ ଲକ୍ଷ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨ ଲକ୍ଷ୍ୟ ଟଙ୍କା ଅନୁକମ୍ପା ରାଶି ପ୍ରଦାନକରି ବାହାବା ନେବାରେ ଲାଗିଛନ୍ତି ।


ରାଜ୍ୟର ଶାସକ ଦଳ ଦ୍ୱାରା ସ୍ୱାସ୍ଥ୍ୟ ସେବାର ଉନ୍ନତି ନେଇ ଅନେକ ଦାବି କରାଯାଉଥିବା ସତ୍ୱେ, ଏପରି ଘଟଣା ସେହି ଦାବିଗୁଡ଼ିକର ସ୍ୱଚ୍ଛତା ଉପରେ ପ୍ରଶ୍ନର ଉଠାଉଛି । ହସ୍ପିଟାଲ୍‌ରେ ଯଥେଷ୍ଟ ରକ୍ଷଣାବେଷଣ, ବିଦ୍ୟୁତ ଯନ୍ତ୍ରପାତିର ସମୟୋପଯୋଗୀ ଯାଂଚ ଓ ଆପତ୍‌କାଳୀନ ବ୍ୟବସ୍ଥାର ଅଭାବ ଏହି ଘଟଣାର ମୂଳ କାରଣ ଭାବେ ଦେଖାଯାଉଛି। ବର୍ତମାନ ରାଜ୍ୟରେ ଏହାକୁନେଇ ଉଭୟ ବିରୋଧି ଓ ଶାସକ ଗୋଷ୍ଠୀଙ୍କ ମଧ୍ୟରେ କାଦୁଅ ଫିଙ୍ଗାଫଙ୍ଗି ଆରମ୍ଭ ହୋଇଗଲାଣି । ବାସ୍ତବରେ କଣ ଗତ ଦୁଇ ବର୍ଷ ମଧ୍ୟରେ ସବୁର ରଙ୍ଗ ପରିବର୍ତନ ହୋଇଥିଲେ ମଧ୍ୟ ସରକାର କ’ଣ ସୁରକ୍ଷା, ଦକ୍ଷତା ଏବଂ ବ୍ୟବସ୍ଥାର ସମୟାନୁଯାୟୀ ଅନୁଶୀଳନ କରିବାକୁ ଭୁଲିଗଲେଣିକି? ଏସସିବି ମେଡ଼ିକାଲ କାନ୍ଥ ତଥା ବିଭିନ୍ନ ବୈଦୁତିକ ଯନ୍ତ୍ରପାତି ପାଇଁ ସରକାରଙ୍କ ପାଖରେ ରଙ୍ଗର ଅଭାବ ରହିଥିଲା ନା ହସପିଟାଲର ରକ୍ଷଣାବେକ୍ଷଣ ପାଇଁ ଟେଣ୍ଡର ନେଇଥିବା ସଂସ୍ଥାମାନେ ସରକରୀ ବାବୁ ମାନଙ୍କୁ ପୋଷିବାରେ ଲାଗିପଡ଼ିଥିଲେ ।


ଏହି ଘଟଣା ପରେ ସରକାରଙ୍କ ପକ୍ଷରୁ ତଦନ୍ତ ଓ କାର୍ଯ୍ୟନୁଷ୍ଠାନର ଆଶ୍ୱାସନ ଦିଆଯାଇଥିଲେ ମଧ୍ୟ, ପ୍ରଶ୍ନ ଉଠୁଛି ଯେ ଏପରି ଘଟଣା ପୂର୍ବରୁ କାହିଁକି ପ୍ରତିଶେଧମୂଳକ ପଦକ୍ଷେପ ନିଆଯାଉନଥିଲା। ରୋଗୀ ଓ ତାଙ୍କ ପରିବାରର ଜୀବନ ସହ ଏପରି ଖେଳ କେବଳ ଅବ୍ୟବସ୍ଥା ନୁହେଁ, ଏକ ଗଭୀର ଦାୟିତ୍ୱହୀନତାକୁ ଦର୍ଶାଉଛି। ସେହିପରି, ଏହି ଆଇସିୟୁ ଆଗ୍ନିକାଣ୍ଡ ଘଟଣା ରାଜ୍ୟ ସରକାରଙ୍କ ପାଇଁ ଏକ ସତର୍କ ସଙ୍କେତ ହେବା ଉଚିତ୍‌। ଆଗାମୀଦିନରେ ଏପରି ଘଟଣାର ପୁନରାବୃତି ନହେବା ପାଇଁ ସଠିକ୍ ପଦକ୍ଷେପ, ଦୃଢ଼ ନୀତି ଓ ଦାୟିତ୍ୱଶୀଳ ପରିଚାଳନା ଅତ୍ୟାବଶ୍ୟକ। ନହେଲେ ଏହା ସାଧାରଣ ଲୋକଙ୍କ ଭରସାକୁ ଆହୁରି ଦୋହଲାଇଦେବ ।

Reporting: Bijayeeta Tripathy


Share It

Comments are closed.