୨୮୮ଟି ଅଦରକାରୀ ଆଇନ ପ୍ରତ୍ୟାହାର ସହ ୮ଟି ପ୍ରମୁଖ ଆଇନ ସଂଶୋଧନ ପାଇଁ ପ୍ରସ୍ତାବ: ଆଇନମନ୍ତ୍ରୀ
ଭୁବନେଶ୍ୱର,୦୮/୦୪:ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ଓ ଅଭିମୁଖ୍ୟ ନେଇ ଓଡ଼ିଶା ରାଜ୍ୟ ଆଇନ ଆୟୋଗ ଗଠନ ପରିକଳ୍ପନା କରିଥିଲେ, ତାହାର ଏକ ବର୍ଷ ପୂର୍ତ୍ତି ସହ ରାଜ୍ୟ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଭାବେ ଲିପିବଦ୍ଧ ହୋଇ ରହିବ । ଆଜି ଆଇନ ଆୟୋଗ ଗଠନର ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ ଯୋଗଦେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ ଯେ ଦେଶ ସ୍ୱାଧୀନତାକୁ ଅନେକ ବର୍ଷ ବିତିଥିଲେ ମଧ୍ୟ ଅନେକ ଅଦରକାରୀ ଆଇନ ଏବେ ବି ବଳବତ୍ତର ରହିଛି । ତେବେ ମଧ୍ୟସ୍ଥତା ଆଇନ ପ୍ରଣୟନ, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ଆଦିର ପ୍ରଣୟନ ଆଜି ଯୁଗୋପଯୋଗୀ ସାବ୍ୟସ୍ତ ହୋଇଛି । ସେହିପରି ଓଡ଼ିଶା ରାଜ୍ୟ ଆଇନ ଆୟୋଗ ଗଠନ ପରେ ୨୮୮ଟି ଅଦରକାରୀ ଆଇନ ପ୍ରତ୍ୟାହର ସହ ୮ଟି ପ୍ରମୁଖ ଆଇନ ସଂଶୋଧନ ପାଇଁ ପ୍ରସ୍ତାବ ଆସିଛି । ଏହା ଆଇନ ବ୍ୟବସ୍ଥାରେ ସୁଧାର ଆଣିବା ସହ ବିକଶିତ ଓଡ଼ିଶା ଗଠନ ସ୍ୱପ୍ନକୁ ପୂରଣ କରିବା ସହ ଓଡ଼ିଆ ଅସ୍ମିତାକୁ ଏକ ନୂଆ ଦିଗ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆଇନ ଆୟୋଗଙ୍କ ୨୦୨୫-୨୬ ବର୍ଷ ପାଇଁ ବାର୍ଷିକ ରିପୋର୍ଟ ଉନ୍ମୋଚନ କରିବା ସହ ନୂତନ ୱେବ୍ସାଇଟ୍ https://law.odisha.gov.in/or/odisha-state-law-commission ର ଉଦ୍ଘାଟନ କରିଥିଲେ । ସେ କହିଥିଲେ ଯେ ଏହି ୱେବ୍ସାଇଟ୍ ପାରଦର୍ଶିତା ସୁନିଶ୍ଚିତ କରିବ ଏବଂ ଆଇନ ସଂଶୋଧନରେ ସାଧାରଣ ଲୋକଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହନ ଦେବ । ଏଥି ସହିତ ଏହା ରାଜ୍ୟ ଆଇନଗୁଡ଼ିକର ଆଧୁନିକୀକରଣକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ । ସେହିପରି ବାର୍ଷିକ ରିପୋର୍ଟ ହେଉଛି ଆୟୋଗର ସତ୍ୟନିଷ୍ଠ ପ୍ରୟାସ ଏବଂ ସମର୍ପଣର ପ୍ରତିଫଳନ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଉଲ୍ଲେଖ କରିଥିଲେ ।
Comments are closed.