ଅପାରଗ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ଶକ୍ତ କାର୍ଯ୍ୟନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

Share It

ଅବସରଗ୍ରହଣ ପୂର୍ବରୁ ସରକାରୀ ସେବାରୁ ବହିଷ୍କାର କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: କାର୍ଯ୍ୟରେ ସନ୍ଦେହଜନକ ରହୁଥିବା, ସଚ୍ଚୋଟତା ବା ସାଧୁତାର ଅଭାବ ଥିବା କିମ୍ବା ଅପାରଗ  ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କର  ପ୍ରକୃତ ଅବସରଗ୍ରହଣ ସମୟ ପୂର୍ବରୁ ସରକାରୀ ସେବାରୁ ବହିଷ୍କାର କରିବା ନେଇ  ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (ଜିଏପିଜି) ବିଭାଗର ସର୍କୁଲାରକୁ କଡ଼ାକଡ଼ି ଭାବେ ପାଳନ କରିବାରୁ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି । ଏ ସଂପର୍କରେ ରହିଥିବା ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ  ମୁଖ୍ୟ ଶାସନ ସଚିବ ଆଜି ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଆଜି ସରକାରଙ୍କ ସମସ୍ତ ବିଭାଗର  ସଚିବମାନଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ସେବା କୋଡର ନିୟମ-୭୧ (ଧାରା-କ) ଅନୁଯାୟୀ ସରକାରୀ କର୍ମଚାରୀଙ୍କ  ଅକାଳ ଅବସର (ପ୍ରି-ମାଚ୍ୟୁର ରିଟାୟରମେଣ୍ଟ) ମାମଲାର  ସମାଧାନ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ଏବଂ ପ୍ରଶାସନିକ  ଦକ୍ଷତାକୁ  ସୁନିଶ୍ଚିତ କରିବା ନିମନ୍ତେ ଜିଏ ଓ ପିଜି ବିଭାଗର ସର୍କୁଲାର ନଂ ୨୭୦୩୭ ତାରିଖ ୨୪.୦୯.୨୦୧୯ରେ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ତେବେ ଉପରୋକ୍ତ ସର୍କୁଲାରରେ ଦର୍ଶାଯାଇଥିବା ଏହି ନିୟମଗୁଡ଼ିକୁ ଅନେକ ବିଭାଗ ସମ୍ପୂର୍ଣ୍ଣ ଭାବେ ପାଳନ କରୁନଥିବା ସରକାରଙ୍କ ନଜରକୁ ଆସିଛି । ଫଳରେ ଯେଉଁ ଉଦ୍ଦେଶ୍ୟରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି , ତାହା ଫଳପ୍ରଦ ନହେବା ସହ ସଚ୍ଚୋଟତା ଓ ଦକ୍ଷତାର ମାନରେ ସ୍ପଷ୍ଟ ଅଭାବ ଥିବା ଅଧିକାରୀ ଓ କର୍ମଚାରୀମାନେ ସରକାରୀ ଚାକିରିରେ ରହିଛନ୍ତି । ଏହା କେବଳ ବ୍ୟବସ୍ଥାରେ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁ ନାହିଁ  ବରଂ ଜନସ୍ୱାର୍ଥ ପାଇଁ ମଧ୍ୟ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହେଉଛି ।

ତେଣୁ କାର୍ଯ୍ୟରେ ସନ୍ଦେହଜନକ ସଚ୍ଚୋଟତା ଏବଂ ଅପାରଗତା ଥିବା ବ୍ୟକ୍ତିମାନଙ୍କୁ ସରକାରୀ ସେବାରୁ  ହଟାଇ ସରକାରୀ କାର୍ଯ୍ୟାଳୟଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟକାରିତା ନିମନ୍ତେ ଜିଏ ଓ ପିଜି ବିଭାଗର ସର୍କୁଲାର ନଂ ୨୭୦୩୭ ତା-୨୪.୦୯.୨୦୧୯ ରେ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ନିୟମିତ ସମୀକ୍ଷା ବୈଠକ ଆୟୋଜନ ସୁନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ସଚିବଙ୍କୁ ନିର୍ଦ୍ଦେଶ ଦେବା ସହ  ନିଜ ନିଜ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ  ଏ ସଂପର୍କରେ ନିର୍ଦ୍ଧାରିତ ସମୟରେ ସମୀକ୍ଷା ବୈଠକ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।


Share It

Comments are closed.