ମିଆଁମାରରେ ୭.୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପରେ ଭୁସୁଡ଼ିଲା ଅନେକ କୋଠା, ଦେଖନ୍ତୁ ଛାତି ଥରା ଭିଡିଓ
ମିଆଁମାର : ଶୁକ୍ରବାର ମିଆଁମାରରେ ୭.୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି ଏବଂ ଦେଶର ଦ୍ବିତୀୟ ବୃହତ୍ତମ ସହର ମଣ୍ଡାଲେରେ ଅନେକ କୋଠା ଭୁଶୁଡ଼ି ପଡ଼ିଛି। ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ମଧ୍ୟ ଅନେକ କୋଠା ତାସଘର ଭଳି ଭୁଶୁଡ଼ି ପଡ଼ିଛି। ୟୁନାଇଟେଡ୍ ଷ୍ଟେଟସ ଜିଓଲୋଜିକାଲ ସର୍ଭେ (ୟୁଏସ୍ଜିଏସ୍) କହିଛି ଯେ ଭୂକମ୍ପ ୧୦ କିଲୋମିଟର ଗଭୀରତାରେ ଥିଲା। ଏହାପରେ ୬.୪ ତୀବ୍ରତାର ଶକ୍ତିଶାଳୀ ପରବର୍ତ୍ତୀ ଝଟକା ଅନୁଭୂତ ହୋଇଥିଲା। ମଣ୍ଡାଲେ ସହରଠାରୁ ପ୍ରାୟ ୧୭.୨ କିଲୋମିଟର ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା।
ଥାଇଲାଣ୍ଡର ବିପର୍ଯ୍ୟୟ ନିରାକରଣ ବିଭାଗ ପକ୍ଷରୁ କୁହାଯାଇଛି ଯେ ଦେଶର ପ୍ରାୟ ସବୁ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର ପ୍ରଭାବ ଆକଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ପେଟୋଙ୍ଗଟାର୍ଣ୍ଣ ସିନାୱାତ୍ରା ଏକ ଜରୁରୀ କାଳୀନ ବୈଠକ ଡାକିଥିଲେ। ବର୍ତମାନ ସୋସିଆଲ ମିଡିଆରେ ଏହି ଭୂମିକମ୍ପର ବିଭୀଷିକା ଦେଖିବାକୁ ମିଳିଛି । ମଣ୍ଡାଲେ ସହରର ବିଭିନ୍ନ ରାସ୍ତାରେ ଭୁଶୁଡ଼ି ପଡ଼ିଥିବା କୋଠା ଓ ଭଙ୍ଗାବସେଷ ପଡ଼ି ଥିବାର ଦେଖିବାକୁ ମିଳିଛି।
ଚୀନର ସିନ୍ହୁଆ ନ୍ୟୁଜ୍ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ମିଆଁମାର ସୀମାରେ ଥିବା ଦକ୍ଷିଣ-ପଶ୍ଚିମ ୟୁନାନ୍ ପ୍ରଦେଶରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି, କିନ୍ତୁ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଭାରତର ପଶ୍ଚିମବଙ୍ଗ ଓ ମଣିପୁରରେ ଭୂମିକମ୍ପ ଅନୁଭୂତ ହୋଇଛି। ବାଂଲାଦେଶରେ ମଧ୍ୟ ୭.୩ ମାଗ୍ନିଚୁଡ ମାତ୍ରାର ପରେ ଭୂମିକମ୍ପ ଅନୁଭୂତ ହୋଇଛି ।
Comments are closed.