୫ ରାଜ୍ୟରେ ବଢ଼ିଲା ସଂକ୍ରମଣ, ବୁଧବାର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ମୋଦି
ଦୁଇ ସପ୍ତାହ ଧରି ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଫଳରେ ମହାମାରୀର ଚତୁର୍ଥ ଲହର ଆସିବା ଭୟ ଘାରିବାରେ ଲାଗିଛି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂକ୍ରମଣ ସ୍ଥିତି ସମୀକ୍ଷା ପାଇଁ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ । ଏପ୍ରିଲ ୨୭ (ବୁଧବାର) ମଧ୍ୟାହ୍ନ ୧୨ଟାରେ ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ ।
ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ, ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଓ ସେମାନଙ୍କ ମନ୍ତ୍ରଣାଳୟର ଅଧିକାରୀ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ)ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ । ସୂତ୍ର ମୁତାବକ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଉକ୍ତ ବୈଠକରେ ଦେଶର କୋଭିଡ ସ୍ଥିତି ନେଇ ବିସ୍ତୃତ ରିପୋର୍ଟ ପ୍ରଦାନ କରିବେ । ବିଭିନ୍ନ ରାଜ୍ୟର କୋଭିଡ ଟିକାକରଣ, ବୁଷ୍ଟର ଡୋଜ୍ ବାବଦ ତଥ୍ୟ ବି ସେ ଦେବେ ।
ଅତୀତରେ କରୋନା ସଂକ୍ରମଣ ସ୍ଥିତି ଜାଣିବା ଏବଂ ଏ ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ଅନେକ ଥର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଛନ୍ତି । ଏମିତି କି ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ସହ ସେ ବ୍ୟାପକ ଆଲୋଚନା ବି କରିଛନ୍ତି । ଏହାଦ୍ୱାରା କରୋନା ବିରୋଧୀ ଲଢ଼େଇ ଜୋରଦାର ହୋଇପାରିଥିଲା ।
ଭାରତରେ କରୋନା ସଂକ୍ରମଣ ପୁଣି ଡରାଉଛି । ଲଗାତର ୫ ଦିନ ହେଲା ୨,୦୦୦ରୁ ଅଧିକ ସଂକ୍ରମଣମାମଲା ଚିହ୍ନଟ ହେଉଛି । ଗତ ୨୪ ଘଣ୍ଟାରେ ଦେଶରେ ୨,୫୯୩ ନୂଆ ମାମଲା ସାମ୍ନାକୁ ଆସିଛି । ୪୪ ଆକ୍ରାନ୍ତ ରୋଗୀଙ୍କର ମୃତ୍ୟୁ ହୋଇଛି । ପୂର୍ବଦିନ ୨,୫୨୭ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ମୁତାବକ ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ସର୍ବାଧିକ ୧,୦୯୪ ନୂଆ ମାମଲା ସାମ୍ନାକୁ ଆସିଛି । ହରିଆଣାରେ ୩୩୪, କେରଳରେ ୩୦୦, ଉତ୍ତର ପ୍ରଦେଶରେ ୨୨୫, ମହାରାଷ୍ଟ୍ରରେ ୧୯୪ ନୂଆ ରୋଗୀ ବାହାରିଛନ୍ତି । କେରଳରେ ସର୍ବାଧିକ ୩୮ ଜଣ ପ୍ରାଣ ହରାଇଥିବା ବେଳେ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡରେ ୧ ଲେଖାଏଁ ଓ ଦିଲ୍ଲୀରେ ଦୁଇଜଣ ସଂକ୍ରମିତ ଆଖି ବୁଜିଛନ୍ତି ।
ଦେଶରେ ସକ୍ରିୟ ମାମଲା ୭୯୪ ବଢ଼ି ୧୫,୮୭୩ରେ ପହଞ୍ଚିଛି । ଦିନକରେ ୧,୭୫୫ ଜଣ ସୁସ୍ଥ ହେବା ପରେ ମୋଟ ଆରୋଗ୍ୟ ସଂଖ୍ୟା ୪,୨୫,୧୯,୪୭୯ ଛୁଇଁଛି । ମୋଟ କରୋନା ମୃତ୍ୟୁ ୫,୨୨,୧୯୩ରେ ପହଞ୍ଚିଛି । ସ୍କୁଲରେ କରୋନା ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ଲକ୍ଷ୍ନୌ ସମେତ ଏନ୍ସିଆର୍ର ୬ ଜିଲ୍ଲାରେ କୋଭିଡ ପ୍ରୋଟୋକଲ୍ ପାଳନ ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ଏଥିରେ ଗାଜିଆବାଦ, ମେରଠ, ହାପୁର୍, ବୁଲନ୍ଦସର, ଗୌତମବୁଦ୍ଧ ନଗର ଓ ଲକ୍ଷ୍ନୌ ଜିଲ୍ଲା ଅନ୍ତର୍ଭୁକ୍ତ । ୟୁପିରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ଅଧିକାରୀଙ୍କୁ କଠୋର ମନୋଭାବ ପୋଷଣ ପାଇଁ କହିଛନ୍ତି । ଲକ୍ଷ୍ନୌ ସମେତ ଏନ୍ସିଆର୍ ଜିଲ୍ଲାଗୁଡ଼ିକର ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିବାକୁ କୁହାଯାଇଛି ।
ଉତ୍ତରାଖଣ୍ଡର ଡେରାଡୁନସ୍ଥିତ ବ୍ରାଇଟ୍ଲ୍ୟାଣ୍ଡ୍ସ ସ୍କୁଲରେ ଜଣେ ୧୧ ବର୍ଷର ପିଲା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ସ୍କୁଲକୁ ବନ୍ଦ ରଖିବା ପାଇଁ ରାଜ୍ୟ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେବା ସହ ରାଜ୍ୟବ୍ୟାପୀ ସ୍କୁଲଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରିଛି । ସେପଟେ କରୋନା ଓମାଇକ୍ରନ୍ର ବିଏ.୧ ଭାରିଆଣ୍ଟ ଉପରେ କୋଭିସିଲ୍ଡ ଟିକାର ପ୍ରଭାବ ବେଶ୍ କମ୍ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରିପୋର୍ଟ ମୁତାବକ ଦେଶରେ ମୋଟ କୋଭିଡ ଟିକାକରଣ ୧୮୭.୬୭ କୋଟି ପାର୍ କରିଛି । ୧୨-୧୪ ବର୍ଷ ବୟସ ବର୍ଗରେ ୨.୬୫ କୋଟି ପ୍ରଥମ ଡୋଜ୍ ପରିଚାଳନା କରାଯାଇଛି ।
Comments are closed.