ବିକଳ୍ପ ଇନ୍ଧନ ପ୍ରସ୍ତୁତ କରି ଭାରତର ସ୍ୱଦେଶୀ କ୍ଷମତାକୁ ସୁଦୃଢ଼ କରୁଛନ୍ତି ତୈଳ ବିପଣନ କମ୍ପାନୀ – ଧର୍ମେନ୍ଦ୍ର ପ୍ରଧାନ

Share It

ନୂଆଦିଲ୍ଲୀ/ଭୁବନେଶ୍ୱର, – ଦେଶର ତୈଳ ବିପଣନ କମ୍ପାନୀମାନେ(ଓଏମସି) ବିକଳ୍ପ ଇନ୍ଧନ ପ୍ରସ୍ତୁତ କରି ଭାରତର ସ୍ୱଦେଶୀ କ୍ଷମତାକୁ ନିରନ୍ତର ସୁଦୃଢ଼ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ କଳ୍ପନାକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମଙ୍ଗଳବାର ଇଣ୍ଡିଆନ ଅଏଲର ଦିଲ୍ଲୀ ଟିକରୀକଲାନ ଟର୍ମିନାଲରୁ ବ୍ୟବହୃତ ରନ୍ଧନ ତୈଳ(ୟୁସିଓ)ରୁ ପ୍ରସ୍ତୁତ ବାୟୋ ଡିଜେଲ ମିଶ୍ରିତ ପ୍ରଥମ ହାଇସ୍ପିଡ ଡିଜେଲ ଯୋଗାଣର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୯ରେ ବିଶ୍ୱ ଜୈବ ଇନ୍ଧନ ଦିବସ ଅବସରରେ ବ୍ୟବହୃତ ରନ୍ଧନ ତୈଳରୁ ଉତ୍ପାଦିତ ବାୟୋ-ଡିଜେଲର ସଂଗ୍ରହ ପାଇଁ ଇଓଆଇ(ଏକ୍ସପ୍ରେସନ ଅଫ୍ ଇଂଟ୍ରେଷ୍ଟ) ଯୋଜନା ଆରମ୍ଭ କରାଯାଇଥିଲା । ଏ ଦିଗରେ ଆଜି ବାୟୋ ଡିଜେଲ ମିଶ୍ରିତ ହାଇସ୍ପିଡ ଡିଜେଲ ଯୋଗାଣର ଶୁଭାରମ୍ଭ ଭାରତର ଜୈବ ଇନ୍ଧନ କ୍ଷେତ୍ରରେ ଏକ ଭଲ ପଦକ୍ଷେପ । ଏହି ଇନ୍ଧନ ଦ୍ୱାରା ପରିବେଶ ଉପରେ ସକରାତ୍ମକ ପ୍ରଭାବ ପଡିବ । ଏହି ପଦକ୍ଷେପ ସ୍ୱଦେଶୀ ବାୟୋଡ଼ିଜେଲ ଯୋଗାଣ, ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ହେବ ଏବଂ ଗ୍ରାମାଂଚଳରେ ନିଯୁକ୍ତି ସୃଷ୍ଟି କରିବ । ଯାହା ଫଳରେ ଦେଶରେ ଆର୍ଥିକ ଅଭିବୃଦ୍ଧି ହେବ । ବିକଳ୍ପ ଉର୍ଜାର ଅନ୍ୱେଷଣ ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ପ୍ରୋତ୍ସାହନ ଦିଆଯାଉଥିବା ୭ଟି ସବୁଜ ଇନ୍ଧନ ପଦକ୍ଷେପ ମଧ୍ୟରୁ ଜୈବଇନ୍ଧନ ଅନ୍ୟତମ ବୋଲି ସେ କହିଛନ୍ତି ।
ସେହିପରି କରୋନା ମହାମାରୀର କଠିନ ସମୟରେ ମଧ୍ୟ ନିରନ୍ତର ଇନ୍ଧନ ଉପଲବ୍ଧି ଦିଗରେ ତୈଳ କମ୍ପାନୀ ଗୁଡ଼ିକର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ତୈଳ କମ୍ପାନୀମାନେ ଜୈବ ଇନ୍ଧନରେ ନୂଆ ମାଇଲଖୁଂଟ ହାସଲ କରିବା ସହ ବିକଳ୍ପ ଇନ୍ଧନ ଦିଗରେ ଭାରତର ସ୍ୱଦେଶୀ କ୍ଷମତାକୁ ନିରନ୍ତର ସୁଦୃଢ଼ କରୁଛନ୍ତି । ତୈଳ ଓ ଗ୍ୟାସ କମ୍ପାନୀମାନେ ଦେଶର ପ୍ରଗତି ପାଇଁ କାମ କରିବା ସଙ୍ଗେସଙ୍ଗେ ହସ୍ପିଟାଲ ଏବଂ ରାଜ୍ୟରେ କ୍ୟାପଟିଭ୍ ଅକ୍ସିଜେନ ପ୍ଲାଂଟ୍ ପ୍ରତିଷ୍ଠା କରି ଭାରତର କୋଭିଡ୍‌-୧୯ ମୁକାବିଲାକୁ ମଜବୁତ୍ କରିବା ପାଇଁ ଦିନରାତି କାମ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିବା ସହ ଘରେ ଘରେ ଇନ୍ଧନ ଯୋଗାଉଥିବା କୋଭିଡ୍ ଯୋଦ୍ଧାଙ୍କୁ ମହାମାରୀରୁ ସତର୍କ ରହିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ବ୍ୟବହୃତ ରନ୍ଧନ ତୈଳ(ୟୁସିଓ)କୁ ବାୟୋଡିଜେଲରେ ପରିଣତ କରିବା ଏବଂ ତତସହ ଜଡ଼ିତ ଉଦ୍ୟୋଗୀକରଣର ବିକାଶ ପାଇଁ ଏକ ଇକୋ-ସିଷ୍ଟମ ସୃଷ୍ଟି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ଭୂପୃଷ୍ଠ ବିଜ୍ଞାନ ମନ୍ତ୍ରୀ ୧୦ ଅଗଷ୍ଟ ୨୦୧୯ ରେ ବିଶ୍ୱ ଜୈବ ଇନ୍ଧନ ଦିବସ ଅବସରରେ ବ୍ୟବହୃତ ରନ୍ଧନ ତୈଳରୁ ଉତ୍ପାଦିତ ବାୟୋ-ଡିଜେଲର ସଂଗ୍ରହ ପାଇଁ ଏକ୍ସପ୍ରେସନ ଅଫ୍ ଇଂଟ୍ରେଷ୍ଟ (ଇଓଆଇ) ଆରମ୍ଭ କରିଥିଲେ ।
ଏହି ମର୍ମରେ ବର୍ତମାନ ପର୍ଯ୍ୟନ୍ତ ଇଣ୍ଡିଆନ୍ ଅଏଲ୍ ବାୟୋଡିଜେଲ୍ ପ୍ଲାଂଟ୍ ପାଇଁ ୨୩ଟି ଏଲଓଆଇ ଜାରି କରିଛି । ଯାହାର ମୋଟ କ୍ଷମତା ରହିଛି ୨୨.୯୫ କୋଟି ଲିଟର (୫୫୭.୫୭ ଟିପିଡ଼ି) । ଏହି ପଦକ୍ଷେପ ଅନୁଯାୟୀ, ଇଣ୍ଡିଆନ୍ ଅଏଲ୍ ଚଳିତବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଦିଲ୍ଲୀ ଟିକରୀକଲାନ ଟର୍ମିନାଲରେ ୫୧କେଏଲ୍ ବ୍ୟବହୃତ ରନ୍ଧନ ତୈଳ -ବାୟୋଡ଼ିଜେଲ ଗ୍ରହଣ କରିଥିଲା ।


Share It

Comments are closed.