ଦେଶରେ ହୁହୁ ହୋଇ ବଢୁଛି ତୈଳଦର, ୯ ଦିନରେ ପେଟ୍ରୋଲ୍ ମହଙ୍ଗା ହେଲାଣି ୫ ଟଙ୍କା ୬୦ ପଇସା

Share It

ଦେଶରେ ହୁହୁ ହୋଇ ବଢୁଛି ତୈଳଦର। ଆଜି ପୁଣି ଥରେ ପେଟ୍ରୋଲ୍ ଓ ଡିଜେଲ୍ ଦରରେ ବୃଦ୍ଧି ଘଟିଛି। ଭାରତୀୟ ପେଟ୍ରୋଲିୟମ୍ ବିପଣନ କମ୍ପାନୀ ପେଟ୍ରୋଲ୍ ଲିଟର ପିଛା ୮୦ ପଇସା ବୃଦ୍ଧି କରିଛନ୍ତି। ଏହି କ୍ରମରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ଲିଟର ପିଛା ୧୦୧ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲ୍ ୯୨.୨୭ ଟଙ୍କା ଛୁଇଁଛି। ତେବେ ପ୍ରାୟ ସବୁ ରାଜ୍ୟରେ ପେଟ୍ରୋଲ୍ ୧୦୦ ଅତିକ୍ରମ କଲାଣି।

ସୂଚନାନୁଯାୟୀ, ଦେଶର ୪ଟି ମହାନଗରକୁ ତୁଳନା କଲେ ମୁମ୍ଵାଇରେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ଅଧିକ ମହଙ୍ଗା ହୋଇଛି। ସ୍ଥାନୀୟ କର ଅନୁଯାୟୀ, ରାଜ୍ୟ ଗୁଡ଼ିକରେ ପେଟ୍ରୋଲ୍ ଓ ଡିଜେଲ୍ ଦର ଭିନ୍ନ ଭିନ୍ନ ଲାଗୁ କରାଯାଇଥାଏ। ଏହି କ୍ରମରେ ମୁମ୍ଵାଇରେ ଏବେ ପେଟ୍ରୋଲ ଲିଟର ପିଛା ୧୧୫.୮୮ ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ଡିଜେଲ୍ ୧୦୦.୧୦ ଟଙ୍କାକୁ ଛୁଇଁଛି। ସେହିପରି ଚେନ୍ନାଇରେ ପେଟ୍ରୋଲ୍ ୧୦୬.୬୯ ଟଙ୍କା ହୋଇଥିବା ବେଳେ ଡିଜେଲ୍ ୯୬.୭୬ ଟଙ୍କା, କୋଲକାତାରେ ପେଟ୍ରୋଲ୍ ୧୧୦.୫୨ ଟଙ୍କା ହୋଇଥିବା ବେଳେ ଡିଜେଲ୍ ୯୫.୪୨ ଟଙ୍କାରେ ପହଞ୍ଚିଛି।

ପ୍ରକାଶ ଥାଉକି, ମାର୍ଚ୍ଚ ୨୨ ଠାରୁ ଦେଶରେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ଗତ ୯ ଦିନ ମଧ୍ୟରେ ପେଟ୍ରୋଲ୍ ୫ ଟଙ୍କା ୬୦ ପଇସା ମହଙ୍ଗା ହେଲାଣି। ତେବେ ୟୁକ୍ରେନ୍ ଓ ଋଷ ମଧ୍ୟରେ ଯୁଦ୍ଧ ଚାଲିଥିବା ଯୋଗୁଁ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ଫେବୃଆରୀରେ ବ୍ୟାରେଲ ପିଛା ୧୩୯ ଡଲାରରେ ପହଞ୍ଚିଥିଲା। ଯାହାର ପ୍ରଭାବ ବର୍ତ୍ତମାନ ଭାରତରେ ଦେଖାଯାଉଛି। ତେବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇଛି। ହେଲେ ବର୍ତ୍ତମାନ ଜାତୀୟ ବଜାରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ତୈଳ କମ୍ପାନୀଗୁଡିକ ମାର୍ଚ୍ଚ ୨୨ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅର୍ଥାତ୍ ୯ ଦିନରେ ୮ଥର ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛନ୍ତି।

 

 


Share It

Comments are closed.