ରୁଷ୍-ୟୁକ୍ରେନ ଯୁଦ୍ଧ : ରୁଷ୍ ସେନା କବଳରୁ ମୁକ୍ତ ହେଲା ଇରପିନ୍
ରୁଷ ଓ ୟୁକ୍ରେନ ମଧ୍ୟରେ ମାସାଧିକ କାଳ ଚାଲିଥିବା ଯୁଦ୍ଧର ଅନ୍ତ ଘଟାଇବା ଲାଗି ମଙ୍ଗଳବାର ଦୁଇଦେଶ ମଧ୍ୟରେ ଶାନ୍ତି କଥାବାର୍ତ୍ତା ହେବ। ରୁଷ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କହିଛି ଯେ ତୁର୍କୀରେ ଏହି ଶାନ୍ତି କଥାବାର୍ତ୍ତା ହେବ। ଶାନ୍ତି କଥାବାର୍ତ୍ତାର ଆୟୋଜନ ନିମନ୍ତେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ତୁର୍କୀ ରାଷ୍ଟ୍ରପତି ତାୟିପ ଏର୍ଡୋଗାନଙ୍କ ସହିତ ରବିବାର ଟେଲିଫୋନ ଯୋଗ କଥା ହୋଇଥିଲେ। ପୁତିନଙ୍କ ଅନୁରୋଧକ୍ରମେ ଶାନ୍ତି କଥାବାର୍ତ୍ତା ଆୟୋଜନ ନିମନ୍ତେ ତୁର୍କୀ ସମ୍ମତି ପ୍ରକାଶ କରିଛି। ଅନ୍ୟପଟେ ତୁର୍କୀ ଆଶା କରିଛି ଯେ ଏହି ଶାନ୍ତି କଥାବାର୍ତ୍ତା ଅସ୍ତ୍ରବିରତି ଆଣିବାରେ ସଫଳ ହେବ। କଥାବାର୍ତ୍ତା ନିମନ୍ତେ ଉଭୟ ପକ୍ଷର ମଧ୍ୟସ୍ଥମାନେ ତୁର୍କୀରେ ପହଞ୍ଚିସାରିଛନ୍ତି। ଯଥା ସମ୍ଭବ ଶୀଘ୍ର କଥାବାର୍ତ୍ତା ଆରମ୍ଭ କରାଯିବ ବୋଲି ତୁର୍କୀ କହିଛି। ଶାନ୍ତି କଥାବାର୍ତ୍ତାର ବିଷୟ ବସ୍ତୁ ସମ୍ପର୍କରେ ପୁତିନଙ୍କ କାର୍ଯ୍ୟାଳୟ ପକ୍ଷରୁ ସବିଶେଷ ତଥ୍ୟ ଦେବାକୁ ମନା କରାଯାଇଛି। ଅନ୍ୟପଟେ ରୁଷ୍ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଏକ ସାକ୍ଷାତ୍କାରରେ କହିଛନ୍ତି ଯେ ଅସ୍ତ୍ରବିରତି ନିମନ୍ତେ ପୁତିନ ଓ ଜେଲେନସ୍କିଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳପ ହେବା ଜରୁରୀ। ଗୋଟିଏ ପଟେ ରୁଷ୍ ଶାନ୍ତି କଥାବାର୍ତ୍ତା ଚଳାଇଥିବାବେଳେ ଅନ୍ୟପଟେ ୟୁକ୍ରେନ ଦଖଲ ଲକ୍ଷ୍ୟରୁ ବିଚ୍ୟୁତ ହେଉ ନାହିଁ। ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରୀ ଓଲେକସାଣ୍ଡର ମୋଟୁଜାୟନକି କହିଛନ୍ତି ଯେ ରାଜଧାନୀ କିଭ୍କୁ ଦଖଲ କରିବା ଲାଗି ରୁଷ୍ ଏହାର ସୈନ୍ୟ ରଚନା ବଳବତ୍ତର ରଖିଛି। କାରଣ ଗତ ୨୪ ଘଣ୍ଟା ମଧ୍ୟରେ ରୁଷ୍ ସେନାର ଗତିବିଧିରେ କୌଣସି ପରିବର୍ତ୍ତନ ହୋଇ ନଥିବା ବ୍ରିଟେନ ସାମରିକ ଗୁଇନ୍ଦା ଏଜେନ୍ସି କହିଛି।
ୟୁକ୍ରେନ ଉପରେ ରୁଷ୍ର ଆକ୍ରମଣ ରାଷ୍ଟ୍ରପତି ପୁତିନଙ୍କ ଶାସନର ଅନ୍ତ ଘଟାଇବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି। ସୋମବାର ବାଇଡେନଙ୍କ ଏପରି ମନ୍ତବ୍ୟକୁ ନେଇ କ୍ରେମଲିନ ବିଚଳିତ ହୋଇପଡିଛି। ଆମେରିକାବାସୀଙ୍କୁ ବାଇଡେନ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି ଯେ ଏହି ଯୁଦ୍ଧ ପୁତିନଙ୍କ ୨୨ବର୍ଷ ଶାସନର ଅନ୍ତ ଘଟାଇବ। ବାଇଡେନଙ୍କ ଏପରି ଚେତାବନୀକୁ ବିପଜ୍ଜନକ ବୋଲି କହିଛି ରୁଷ୍।
ଫେବୃଆରୀ ୨୪ରୁ ଆରମ୍ଭ ହୋଇଥିବା ଯୁଦ୍ଧର ଅନ୍ତ ଘଟୁ ନଥିବାବେଳେ ରୁଷ୍ ଅକ୍ତିଆର କରିଥିବା ଇରପିନ୍ ସହରକୁ ୟୁକ୍ରେନ ମୁକ୍ତ କରିବାରେ ସଫଳ ହୋଇଛି। ସୋମବାର ଇରପିନ୍ ମେୟର ଓଲେକସାଣ୍ଡର ମାରକୁସେନ କହିଛନ୍ତି ଯେ ୟୁକ୍ରେନ ସେନା ସହରକୁ ସମ୍ପୂର୍ଣ୍ଣ ରୂପେ ନିଜ ନିୟନ୍ତ୍ରଣକୁ ନେଇଛି। ରାଜଧାନୀ କିଭ୍ର ନିକଟରେ ଅବସ୍ଥିତ ଇରପିନ୍ ସହର ଯୁଦ୍ଧର କେନ୍ଦ୍ରସ୍ଥଳ ରହିଥିଲା। ରୁଷ୍ର ଆକ୍ରମଣ ଯୋଗୁଁ ମାରିଉପୋଲ ସହରରେ ୫୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ୟୁକ୍ରେନ କହିଛି।
ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘି ସୋମବାର ୟୁକ୍ରେନ ରାଷ୍ଟ୍ରପତିଙ୍କ ସହିତ କଥା ହୋଇ ନିଜର ସମର୍ଥନ ଜଣାଇଛନ୍ତି। ଦ୍ରାଘି କହିଛନ୍ତି ଯେ ଯୁଦ୍ଧରେ ୟୁକ୍ରେନ କର୍ତ୍ତୃପକ୍ଷ ଓ ଲୋକଙ୍କ ପ୍ରତି ରୋମର ସମ୍ପୂର୍ଣ୍ଣ ସମର୍ଥନ ରହିଛି। ସେ କହିଥିଲେ ଯେ ଯୁଦ୍ଧକୁ ବନ୍ଦ କରିବା ଲାଗି ଆନ୍ତର୍ଜାତିକସ୍ତରରେ ତାଙ୍କ ଦେଶ ଯଥା ସମ୍ଭବ ଉଦ୍ୟମ କରିବ। କଥାବାର୍ତ୍ତା କାଳରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଥିଲେ ଯେ ରୁଷ୍ ସେନା ସାଧାରଣ ଲୋକଙ୍କ ଯିବା ଆସିବା ରାସ୍ତା, ବିଦ୍ୟାଳୟ, ଜନବସତି ଉପରେ ବୋମାମାଡ କରୁଛି। ଏଥିରେ ସାଧାରଣ ଲୋକ ଓ ଶିଶୁଙ୍କ ମୃତ୍ୟୁ ହେଉଛି। ସେହିପରି ଜର୍ମାନୀ ଚାନ୍ସେଲର ଓଲାଫ ସୋଲଝ କହିଛନ୍ତି ଯେ ୟୁକ୍ରେନ ଉପରେ ଆକ୍ରମଣ କରି ରୁଷ୍ ସମସ୍ତ ଆନ୍ତର୍ଜାତିକ ନିୟମକୁ ଉଲ୍ଲଙ୍ଘନ କରିଛି। ତେଣୁ ରୁଷ୍ ଏଥିପାଇଁ ଚରମ ପରିଣାମ ଭୋଗ କରିବ।
ସୋଲଝ କହିଛନ୍ତି ଯେ ୟୁରୋପରେ ଶାନ୍ତି ରକ୍ଷା ନିମନ୍ତେ ସମସ୍ତେ ସହଯୋଗ କରିବା ଲାଗି ସମସ୍ତେ ନିଷ୍ପତ୍ତି ନେଇଥିଲେ। ମାତ୍ର ରୁଷ୍ ଏବେ ଏହି ଶାନ୍ତିକୁ ଭଙ୍ଗ କରିଛି। ସ୍ବିଡେନ ପ୍ରଧାନମନ୍ତ୍ରୀ ମାଗଡାଲୋନା ଆଣ୍ଡରସନଙ୍କ ସହିତ କଥାବାର୍ତ୍ତା ସମୟରେ ସୋଲଝ କହିଛନ୍ତି ଯେ ପ୍ରଥମେ ରୁଷ୍ ଯୁଦ୍ଧ ବନ୍ଦ କରିବା ଦରକାର। ଦ୍ବିତୀୟରେ ୟୁରୋପୀୟ ୟୁନିୟନ ଓ ନାଟୋ ସଦସ୍ୟ ରାଷ୍ଟ୍ର ମଧ୍ୟରେ ଭବିଷ୍ୟତରେ ଯେପରି କୌଣସି ଆକ୍ରମଣ ନ ହୁଏ ସେଥିପ୍ରତି ଆମେ ସମସ୍ତେ ଦୃଷ୍ଟି ଦେବା।
ଜି-୭ ରାଷ୍ଟ୍ରଗୋଷ୍ଠୀ ରୁଷ୍ର ଦାବିକୁ ସୋମବାର ଅଗ୍ରାହ୍ୟ କରିଦେଇଛି। ଗ୍ୟାସ କ୍ରୟ କ୍ଷେତ୍ରରେ ରୁବେଲ (ରୁଷ୍ ମୁଦ୍ରା)ରେ ନେଣଦେଣ କରିବା ଲାଗି ରୁଷ୍ କରିଥିବା ଦାବିକୁ ଜି-୭ ରାଷ୍ଟ୍ରଗୋଷ୍ଠୀ ଅଗ୍ରାହ୍ୟ କରିଦେଇଛନ୍ତି ବୋଲି ଜର୍ମାନୀର ଶକ୍ତିମନ୍ତ୍ରୀ ରବର୍ଟ ହାବେକ କହିଛନ୍ତି। ଜି-୭ ରାଷ୍ଟ୍ରର ସମସ୍ତ ଶକ୍ତିମନ୍ତ୍ରୀ କହିଛନ୍ତି ଯେ ରୁଷ୍ର ଏହି ଦାବି ବର୍ତ୍ତମାନର ଚୁକ୍ତିକୁ ଉଲ୍ଲଙ୍ଘନ କରୁଛି।ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ରୁଷ୍ର ନୋଭାୟା ଗାଜେଟା ଖବରକାଗଜ ଏହାର ମୁଦ୍ରଣକୁ ସୋମବାର ଠାରୁ ବନ୍ଦ କରିଦେଇଛି। ନୋଭାୟା ଗାଜେଟା ଖବରକାଗଜର ସମ୍ପାଦକ ଡମିଟ୍ରି ମୁରାଟୋଭ ୨୦୨୧ ବର୍ଷ ଲାଗି ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ। ସମ୍ପାଦକ ମୁରାଟୋଭ କହିଛନ୍ତି ଯେ ଖବରକାଗଜର ଅନଲାଇନ ଓ ମୁଦ୍ରଣକୁ ବନ୍ଦ କରାଯାଇଛି। ଯୁଦ୍ଧ ଶେଷ ହେବା ପର୍ଯ୍ୟନ୍ତ ଖବରକାଗଜ ମୁଦ୍ରଣ ବନ୍ଦ ରହିବ। ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ରୁଷ୍ ଉପରେ କଟକଣା ଲାଗୁ କରିବାକୁ ସାଇବେରିଆ ମନା କରିଛି। ସାଇବେରିଆର ଏପରି ନିଷ୍ପତ୍ତିକୁ ରୁଷ୍ ପ୍ରଶଂସା କରିଛି।
Comments are closed.