ବାଂଲାଦେଶରେ ନଦୀକୁ ଖସିଲା ଯାତ୍ରୀବାହୀ ବସ୍; ୪୦ରୁ ଅଧିକ ଯାତ୍ରୀ ନିଖୋଜ

Share It

ଢାକା: ବାଂଲାଦେଶର ରାଜବାରୀ ଜିଲ୍ଲାସ୍ଥିତ ଦୌଲତଦିଆ ଫେରି ଘାଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପ୍ରାୟ ୪୦ ରୁ ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ନିୟନ୍ତ୍ରଣ ହରାଇ ପଦ୍ମା ନଦୀକୁ ଖସିପଡ଼ିଛି। ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି।

ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ପ୍ରାୟ ୫ଟା ୧୫ ମିନିଟ ସମୟରେ ଢାକା ଅଭିମୁଖେ ଯାଉଥିବା ଏହି ବସ୍‌ଟି ଫେରିରେ ଚଢ଼ିବା ପାଇଁ ଅପେକ୍ଷା କରିଥିଲା। ସେହି ସମୟରେ ଏକ ଛୋଟ ଫେରି ଧକ୍କା ଦେବା ଫଳରେ ବସ୍‌ଟି ଭାରସାମ୍ୟ ହରାଇ ନଦୀ ଭିତରକୁ ଖସି ପଡ଼ିଥିଲା। ପ୍ରାୟ ୩୦ ଫୁଟ ଗଭୀର ପାଣି ଭିତରେ ବସ୍‌ଟି ବୁଡ଼ି ରହିଥିବା ଜଣାପଡ଼ିଛି।

ଦୁର୍ଘଟଣା ପରେ କିଛି ଯାତ୍ରୀ ପହଁରି କୂଳକୁ ଆସିବାରେ ସଫଳ ହୋଇଥିଲେ ମଧ୍ୟ, ଅନେକ ଯାତ୍ରୀ ବସ୍ ଭିତରେ ଫସି ରହିଥିବା ସନ୍ଦେହ କରାଯାଉଛି। ଖବର ପାଇ ଅଗ୍ନିଶମ ବାହିନୀ, ନଦୀ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଢାକାରୁ ସ୍ୱତନ୍ତ୍ର ବୁଡ଼ାଳି ଦଳ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି।

ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ସ୍ପଷ୍ଟ ହୋଇନଥିଲେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି। ଏହି ଘଟଣା ପରେ ଫେରି ଘାଟଗୁଡ଼ିକରେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Share It

Comments are closed.