ମିସାଇଲ ପଶିବା ପରେ ପାକିସ୍ତାନ ଛାନିଆ, ୩ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
ଭାରତ ପଟୁ ଭୁଲରେ ଏକ ମିସାଇଲ ଯାଇ ପାକିସ୍ତାନ ମାଟିରେ ପଡ଼ିବା ପରେ ହଇଚଇ ସୃଷ୍ଟି ହୋଇଛି । ଏହାକୁ ନେଇ ପାକ୍ ବାୟୁସେନା ଉପମୁଖ୍ୟ ଏବଂ ଦୁଇଜଣ ଏୟାର ମାର୍ଶଲଙ୍କୁ ବହିଷ୍କାର କରାଯାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି । ଭାରତ ପାଇଁ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ଡା. ଅବ୍ଦୁଲ ବାସିତ୍ କହିଛନ୍ତି, ଭାରତ କିଛି ଅନିଷ୍ଟକାରୀ ଯୋଜନା ତିଆରି କରୁଥାଇପାରେ । ଏହାକୁ ଦୃଷ୍ଟିରେ ରଖି ପାକ୍ ସତର୍କ ରହିବା ଆବଶ୍ୟକ ।
ପାକିସ୍ତାନରେ ଏବେ ପ୍ରଶ୍ନ ଉଠୁଛି ଯେ ଭାରତରୁ ପଡ଼ିଥିବା ମିସାଇଲ୍କୁ ନେଇ ଦୁଇଦିନ ପରେ କାହିଁକି ପଦକ୍ଷେପ ନିଆଗଲା । ଏହାକୁ ଠିକ୍ ସମୟରେ କାହିଁକି ଚିହ୍ନଟ କରାଗଲା ନାହିଁ । ଏହା ଛୋଟ ନ ହୋଇ ବଡ଼ ମିସାଇଲ ହୋଇଥିଲେ କ’ଣ ହୋଇଥାନ୍ତା ବୋଲି ସେମାନେ କହିଛନ୍ତି । ଏହାକୁ ନେଇ ପାକ୍ ସରକାରଙ୍କ ଉପରେ ବି ପ୍ରଶ୍ନ ଉଠିଛି । କିଛି ଗଣମାଧ୍ୟମ ରିପୋର୍ଟ ମୁତାବକ ଭାରତର ମିସାଇଲ ପାକିସ୍ତାନର ୧୨୪ କିଲୋମିଟର ଭିତରେ ମିୟାଁ ଚନ୍ନୁ ଅଞ୍ଚଳରେ ପଡ଼ିବା ପରେ ପାକ୍ ସେନାରେ ହଇଚଇ ଜାରି ରହିଛି । କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୩ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଭାରତରୁ ଯାଇଥିବା ବ୍ରହ୍ମୋସ ମିସାଇଲର ରେଞ୍ଜ ୨୯୦ କିଲୋମିଟର । ଏହାର ଷ୍ଟକ୍ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ରହିଛି । କିନ୍ତୁ ହରିଆଣାର ସିରିସାରୁ ଏହା ଆସିଥିବା ପାକ୍ ଦାବି କରିଛି ।
Comments are closed.