ମଦ ବନ୍ଦ ପାଇଁ ଅନଲାଇନରେ ଆରମ୍ଭ ହେଲା ବିରାଟ ଦସ୍ତଖତ ଅଭିଯାନ
ଭୁବନେଶ୍ୱର : ବିଗତ ଅନେକ ବର୍ଷ ଧରି ଓଡିଶାରେ ମଦ ସମସ୍ୟା ଲାଗି ରହିଛି । ଏହା ବିରୋଧରେ ଓଡିଶାର ପ୍ରତ୍ୟେକ ଜିଲ୍ଲା ପ୍ରତ୍ୟେକ ଗାଁରୁ ବିରୋଧର ସ୍ୱର ଶୁଣିବାକୁ ମିଳୁଛି । ତେବେ ଏହା ବିରୋଧରେ ଓଡିଶାସ୍ଥିତ ଏକ ସଂଗଠନ ‘ସମ୍ଭବ’ ପକ୍ଷରୁ ଓଡିଶାରେ ସଂପୂର୍ଣ୍ଣ ମଦ ବନ୍ଦ ପାଇଁ ଏକ ଦସ୍ତଖତ ଅଭିଯାନର ଶୁଭାରମ୍ଭ କରାଯାଇଛି । ଚେଞ୍ଜ ଡଟ ଅର୍ଗରେ ଆରମ୍ଭ ହୋଇଥିବା ଏହି ଦସ୍ତଖତ ଅଭିଯାନରେ ସାମିଲ ହେବା ପାଇଁ ଏହି http://chng.it/t2SSw2YHGH ଲିଙ୍କକୁ କ୍ଲିକ କରିବା ପାଇଁ ସର୍ବସାଧାରଣରେ ଅପିଲ କରାଯାଇଛି ।
ଏହି ଅଭିଯାନ ସଂପର୍କରେ ସୂଚନା ଦେଇ ସଂଗଠନ ସଦସ୍ୟ ଶ୍ରୀ ପ୍ରୀତିରଞ୍ଜନ ନାୟକ କହିଛନ୍ତି ଯେ, “ଓଡିଶାରେ ମଦ ସମସ୍ୟା ଅତି ଗମ୍ଭୀର ସ୍ତରକୁ ଚାଲିଯାଇଛି । ମଦ ଯୋଗୁଁ ସାରା ଓଡିଶାରେ ହଜାର ହଜାର ପରିବାର ଉଜୁଡି ଯାଉଛି । ଏହା ବାଦ ରାସ୍ତା ଦୁର୍ଘଟଣା , ଚୋରି, ଡକାୟତି, ବଳାତ୍କାର ଏବଂ ଅସଦାଚରଣ ଆଦି ପଛରେ ଅନେକାଂଶରେ ମଦ ଏକ କାରଣ ଭାବେ ରହିଥାଏ । ଓଡିଶାରେ ଗତ ୨ ମାସ ଧରି ଲକ୍ଡାଉନରେ ମଦ ଦୋକାନ ଗୁଡିକ ବନ୍ଦ ଥିବା ହେତୁ ମଦ ସମସ୍ୟା ସଂପୂର୍ଣ୍ଣ ଋପେ କମିଯାଇଥିଲା । କିନ୍ତୁ ସରକାର ପୁଣି ଥରେ ମଦର ଅନଲାଇନ ଡେଲିଭରି ଆରମ୍ଭ କରିବା ପରେ ସମସ୍ୟା ପୁନଃଶ୍ଚ ପୂର୍ବ ସ୍ତରକୁ ପହଞ୍ଚି ଯାଇଛି ।”
ସେ ଆହୁର ମଧ୍ୟ କହିଛନ୍ତି ଯେ, “ସମ୍ଭବ ଆଜି ଚେଞ୍ଜ ଡଟ ଅର୍ଗରେ ଓଡିଶାରୁ ସଂପୂର୍ଣ୍ଣ ମଦ ବନ୍ଦ ପାଇଁ ଏକ ଦସ୍ତଖତ ଅଭିଯାନର ଶୁଭାରମ୍ଭ କରିଛି । ଆମେ ଓଡିଶା ସମେତ ସଂପୂର୍ଣ୍ଣ ବିଶ୍ୱରେ ବସବାସ କରୁଥିବା ଓଡିଆମାନଙ୍କୁ ଏହି ଅଭିଯାନରେ ସାମିଲ ହୋଇ ଓଡିଶାରୁ ସଂପୂର୍ଣ୍ଣ ମଦ ବନ୍ଦ ପାଇଁ ଅନୁରୋଧ କରୁଛୁ । ସମ୍ଭବର ଏହି ଅଭିଯାନ ସଂଗଠନ ପକ୍ଷରୁ କରାଯାଉଥିବା ମାସେ ବ୍ୟାପୀ ଅନଲାଇନ ଆନ୍ଦୋଳନ #OdishaAgainstLiquor ର ଏକ ଅଂଶ ।”
‘ସମ୍ଭବ’ ଏକ ସାମାଜିକ ସଂଗଠନ ଭାବେ ମଦ ସମେତ ବିଭିନ୍ନ ସାମାଜିକ ସମସ୍ୟା ଉପରେ ସର୍ବଦା ସ୍ୱର ଉତ୍ତୋଳନ କରି ଆସୁଛି । ଏହ ମର୍ମରେ ଓଡିଶାରେ ମଦର କରାଳ ଋପକୁ ହୃଦଙ୍ଗମ କରି ସଂଗଠନ ମଦ ବିରୋଧରେ ଅଣ୍ଟା ଭିଡିଛି । ସଂଗଠନରେ ଏହାର ୧୦୦ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତାଙ୍କ ଜରିଆରେ ସାରା ଓଡିଶାରେ ନିଜ କାର୍ଯ୍ୟକ୍ରମ ମାନ ଆୟୋଜନ କରିଆସୁଛି ।
Comments are closed.