ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଓଡିଶାରୁ ପ୍ରାର୍ଥୀ ହୋଇପାରନ୍ତି ନୀତିନ
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଆନୁଷ୍ଠାନିକ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ଏହି ନିର୍ବାଚନ ଅନୁଷ୍ଠିତ ହେବ। ଓଡ଼ିଶାର ୪ଟି ଆସନ ପାଇଁ ଏହି ଭୋଟ୍ ଗ୍ରହଣ କରାଯିବ। ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୫ ରହିଥିବା ବେଳେ, ମାର୍ଚ୍ଚ ୬ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ସେହିପରି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ମାର୍ଚ୍ଚ ୯ ତାରିଖ ଶେଷ ସମୟ ଧାର୍ଯ୍ୟ କରାଯାଇଛି। ମାର୍ଚ୍ଚ ୧୬ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ଚାଲିବ ଏବଂ ସେହିଦିନ ଅପରାହ୍ନରେ ହିଁ ଭୋଟ୍ ଗଣତି କରାଯିବ।
ଓଡ଼ିଶାରୁ ରାଜ୍ୟସଭା ନିର୍ବାଚନ ପାଇଁ ବିଜେପିର ରାଷ୍ଟ୍ରୀୟ ସଭାପତି ନିତିନ ନବୀନ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି। ପୂର୍ବରୁ କୌଣସି ଜଣେ ଜାତୀୟ ସ୍ତରର ନେତା ଓଡ଼ିଶାରୁ ନିର୍ବାଚନ ଲଢ଼ିବା ନେଇ ଆଲୋଚନା ହେଉଥିବା ବେଳେ ଏବେ ନିତିନ ନବୀନଙ୍କ ନାମ ସାମ୍ନାକୁ ଆସୁଛି। ୪୫ ବର୍ଷୀୟ ନିତିନ ନବୀନ ଗତ ଜାନୁଆରୀ ୨୦ ତାରିଖରେ ବିଜେପିର ରାଷ୍ଟ୍ରୀୟ ସଭାପତି ଭାବେ ଶପଥ ନେଇଥିଲେ ଏବଂ ସେ ବର୍ତ୍ତମାନ ବିହାରର ବାଙ୍କିପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଅଛନ୍ତି। ତେବେ ତାଙ୍କ ପ୍ରାର୍ଥିତ୍ୱ ନେଇ ଦଳ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବର୍ତ୍ତମାନ ଦିଲ୍ଲୀ ଗସ୍ତରେ ଅଛନ୍ତି ଏବଂ ସେଠାରେ ସେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ରାଜ୍ୟସଭା ଆସନ ବାବଦରେ ଆଲୋଚନା କରିବାର ସମ୍ଭାବନା ରହିଛି। ଗତ ସପ୍ତାହରେ ବିଜେପି କୋର କମିଟିର ବୈଠକ ବସିଥିଲା ଏବଂ ଦଳ ପକ୍ଷରୁ ୫ ଜଣ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା କେନ୍ଦ୍ରକୁ ପଠାଯାଇଥିବା ଜଣାପଡ଼ିଛି। ଦଳର ସଂସଦୀୟ ବୋର୍ଡ ଏହି ପ୍ରାର୍ଥୀ ଚୟନ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଏହି ସମ୍ଭାବ୍ୟ ତାଲିକାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସମୀର ମହାନ୍ତି, ବସନ୍ତ ପଣ୍ଡା ଏବଂ ଗୋଲକ ମହାପାତ୍ରଙ୍କ ନାମ ଥିବା କୁହାଯାଉଛି।

Comments are closed.