ରାଜ୍ୟ ସ୍ତରୀୟ ନବ ସୃଜନ ଓ ନୂତନ ଉଦ୍ୟମ ପ୍ରତିଯୋଗିତା ଉଦ୍ଘାଟିତ
ଭାଗନେଲେ ୧୪ ବିଶ୍ୱ ବିଦ୍ୟାଳୟର ୭୨ଜଣ ଛାତ୍ରଛାତ୍ରୀ
ଶ୍ରେଷ୍ଠ ୧୦ଟି ଷ୍ଟାର୍ଟଅପ୍ ପ୍ରକଳ୍ପକୁ ଚୟନ କରାଯିବ ସହ ପ୍ରତ୍ୟେକ ପ୍ରକଳ୍ପକୁ ପ୍ରଦାନ କରାଯିବ ୫ଲକ୍ଷ ଟଙ୍କା ଆର୍ଥିକ ସହାୟତା
ଭୁବନେଶ୍ୱର, ୧୬ ଜାନୁଆରୀ, ୨୦୨୬ : ଓଡ଼ିଶାର ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ମିଳିତ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ରାଜ୍ୟ ସ୍ତରୀୟ ନବ ସୃଜନ ଏବଂ ନୂଆ ଉଦ୍ୟମ ପ୍ରତିଯୋଗିତାର ଆୟୋଜନ କରାଯାଇଛି। ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାରେ ୧୪ଟି ବିଶ୍ୱ ବିଦ୍ୟାଳୟର ୭୨ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ଜାନୁଆରୀ ୧୬ ଏବଂ ୧୭ ତାରିଖ ଦୁଇ ଦିନ ଧରି ଏହି ପ୍ରତିଯୋଗିତା ଆୟୋଜିତ ହେବ।
ଆଜିର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଆଜିର କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବରେ ଉଦ୍ଘାଟନ କରିବା ସହିତ ମନ୍ତ୍ରୀ ଡ଼. ମହାଲିଙ୍ଗ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଷ୍ଟାର୍ଟଅପ୍ ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିବା ସହ ଛାତ୍ରଛାତ୍ରୀଙ୍କ ସହ ଷ୍ଟାର୍ଟଅପ୍ ପ୍ରକଳ୍ପ ସମ୍ବନ୍ଧରେ ସବିସ୍ତୃତ ଆଲୋଚନା କରିଥିଲେ।

ନିଜର ଅଭିଭାଷଣରେ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ କହିଥିଲେ ଯେ, “ଉଚ୍ଚଶିକ୍ଷା ବିଭାଗ ତରଫରୁ ଆୟୋଜିତ ହେଉଥିବା ରାଜ୍ୟ ସ୍ତରୀୟ ନବ ସୃଜନ ଓ ନୂଆ ଉଦ୍ୟମ ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତାର ବିକାଶ କରିବା ସହ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସୁଦୃଢ଼ କରୁଛି। ଏହିଭଳି ପ୍ରତିଯୋଗିତାର ଆୟୋଜନ ମାଧ୍ୟମରେ ଛାତ୍ରଛାତ୍ରୀମାନେ କେବଳ ପୁସ୍ତକ ଜ୍ଞାନ ମଧ୍ୟରେ ସୀମିତ ନରହି ଉଚ୍ଚକୋଟୀର ଗବେଷଣାରେ ମନୋନିବେଶ କରିବା ସହ ନୂତନ ଉଦ୍ୟୋଗ ସୃଷ୍ଟି କରି ଲୋକଙ୍କ ବିକାଶ ଦିଗରେ ମଧ୍ୟ ନିଜର ଯୋଗଦାନ ଦେଇପାରିବେ। ଜାତୀୟ ଶିକ୍ଷା ନୀତି-୨୦୨୦ ପ୍ରଣୟନ ହେବା ପରେ ଉଚ୍ଚଶିକ୍ଷାରେ ପ୍ରୟୋଗାତ୍ମକ ଶିକ୍ଷା ପଦ୍ଧତି ଓ ଗବେଷଣା ଉପରେ ପ୍ରାଧାନ୍ୟ ଦିଆଯାଉଛି। ରାଜ୍ୟ ସ୍ତରୀୟ ନବ ସୃଜନ ଓ ନୂଆ ଉଦ୍ୟମ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ଆତ୍ମ ନିର୍ଭର ହେବା ପାଇଁ ସୁଯୋଗ ପ୍ରଦାନ କରିବା ସହ କେନ୍ଦ୍ର ସରକାରଙ୍କ ଷ୍ଟାର୍ଟଅପ୍ ଇଣ୍ଡିଆର ଲକ୍ଷ୍ୟକୁ ପୂରଣ କରିବାରେ ସହାୟକ ହୋଇପାରିଛି ବୋଲି ମନ୍ତ୍ରୀ ଡ଼. ମହାଲିଙ୍ଗ ମତପ୍ରକାଶ କରିଛନ୍ତି।
ପ୍ରକାଶଯୋଗ୍ୟ ଯେ, ଉଚ୍ଚଶିକ୍ଷା ବିଭାଗ ଏବଂ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ତରଫରୁ ପ୍ରଥମ ଥର ପାଇଁ ରାଜ୍ୟ ସ୍ତରୀୟ ନବ ସୃଜନ ଏବଂ ନୂଆ ଉଦ୍ୟମ ପ୍ରତିଯୋଗିତାର ଆୟୋଜନ କରାଯାଉଛି। ପ୍ରଥମେ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଆୟୋଜନ ହେବା ପରେ କୃତୀ ପ୍ରତିଯୋଗୀମାନେ ବିଶ୍ୱ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ବିଶ୍ୱବିଦ୍ୟାଳୟ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନେ ରାଜ୍ୟ ସ୍ତରୀୟ ନବ ସୃଜନ ଓ ନୂଆ ଉଦ୍ୟମ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଯେଉଁ ପ୍ରକଳ୍ପ ଗୁଡ଼ିକ କୃତିତ୍ୱ ହାସଲ କରିବ, ସେହି ଷ୍ଟାର୍ଟଅପ୍ ପ୍ରକଳ୍ପ ଗୁଡ଼ିକୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ତରଫରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ। ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସର୍ବମୋଟ ୧୦ଟି ଷ୍ଟାର୍ଟଅପ୍ ପ୍ରକଳ୍ପକୁ ଚୟନ କରାଯିବ ଏବଂ ପ୍ରତ୍ୟେକ ପ୍ରକଳ୍ପକୁ ୫ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ଏଥିସହ କୃତୀ ଛାତ୍ରଛାତ୍ରୀମାନଙ୍କୁ ମେଣ୍ଟରସିପ୍ ପ୍ରଦାନ କରାଯିବା ସହ ଉଚ୍ଚ ସ୍ତରୀୟ ଗବେଷଣା ପାଇଁ ସମସ୍ତ ସୁବିଧା ଓ ସୁଯୋଗ ଉଚ୍ଚଶିକ୍ଷା ବିଭାଗ ତରଫରୁ ପ୍ରଦାନ କରାଯିବ।

ରାଜ୍ୟ ସ୍ତରୀୟ ନବ ସୃଜନ ଓ ନୂଆ ଉଦ୍ୟମ ପ୍ରତିଯୋଗିତାର ଆୟୋଜନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଜି ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା। କୃଷି ଓ ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ, ଖାଦ୍ୟ ଓ ପୋଷଣ, ହସ୍ତତନ୍ତ, କୃତ୍ରିମ ବୁଦ୍ଧିମତା ଓ ପ୍ରଯୁକ୍ତିବିଦ୍ୟା, ମାନସିକ ସ୍ୱାସ୍ଥ୍ୟ, ବିତ୍ତୀୟ ପରିଚାଳନା, ଶିକ୍ଷା, ପରିବେଶ ସୁରକ୍ଷା ଓ ସତତ ବିକାଶ ଆଦି ୯ଟି କ୍ୟାଟାଗୋରୀରେ ଛାତ୍ରଛାତ୍ରୀମାନେ ନିଜର ଷ୍ଟାର୍ଟଅପ୍ ପ୍ରକଳ୍ପକୁ ପ୍ରଦର୍ଶିତ କରିଥିଲେ। “ରାଜ୍ୟ ସ୍ତରୀୟ ନବ ସୃଜନ ଓ ନୂତନ ଉଦ୍ୟମ ପ୍ରତିଯୋଗିତା ଆମ୍ଭମାନଙ୍କୁ ଆମର ଉଦ୍ୟମ ଓ ଦକ୍ଷତାକୁ ପ୍ରଦର୍ଶିତ କରିବା ପାଇଁ ଏକ ଉପଯୁକ୍ତ ପ୍ଲାଟଫର୍ମ ପ୍ରଦାନ କରିପାରିଛି”, ବୋଲି ଛାତ୍ରଛାତ୍ରୀମାନେ ମତପ୍ରକାଶ କରିଥିଲେ।
ଆଜିର କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଧରଣୀ ଧର ନନ୍ଦ, ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ପ୍ରତିଭା ସାହୁ, ଯୁଗ୍ମ ଶାସନ ସଚିବ ଶ୍ରୀମତୀ ମୌସୁମୀ ନାୟକ, ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ଚରଣ ରଥ, ଉତ୍କଳ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ, ପଦ୍ମଶ୍ରୀ ପ୍ରଫେସର ଆଦିତ୍ୟ ପ୍ରସାଦ ଦାଶ, ପ୍ରଫେସର ବେଦାଙ୍ଗ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.