ଶିଳ୍ପ, କୃଷି, ପର୍ଯ୍ୟଟନ କ୍ଷେତ୍ରରେ ଏକ ନମ୍ବର ହେବ ଓଡ଼ିଶା: ମନମୋହନ ସାମଲ
ଭୁବନେଶ୍ବର : ଉତ୍କଳ ଗୌରବ ମଧୁସୂଦନ ଦାସ ବହୁ ବାଧାବିଘ୍ନ ପରେ ବି ଭାଷାଭିତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ନିରନ୍ତର ପ୍ରୟାସ କରିଥିଲେ । ଇଂଗ୍ରେଜ ସରକାରଙ୍କ ଦମନଳୀଳା ସତ୍ୱେ ଓଡ଼ିଶାର କୋଣ ଅନୁକୋଣରେ ରହୁଥିବା ଓଡ଼ିଆଙ୍କୁ ଏକଜୁଟ୍ କରି ସେମାନଙ୍କ ସ୍ୱାଭିମାନକୁ ଜାଗ୍ରତ କରିଥିଲେ । ସମସ୍ତଙ୍କୁ ଯୋଡ଼ି ରଖିବାରେ ତାଙ୍କର ସାଙ୍ଗଠନିକ ଦକ୍ଷତା ଅତୁଳନୀୟ ଥିଲା । ପ୍ରତିକୂଳ ପରିସ୍ଥିତି ସତ୍ୱେ ମଧୁବାବୁ ଓଡ଼ିଆ ଅସ୍ମିତାକୁ ଉଜ୍ଜୀବିତ କରିବାରେ ସଫଳ ହୋଇଥିଲେ । ରାଜ୍ୟ କାର୍ଯ୍ୟାଳୟରେ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ ଅବସରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।
ଓଡ଼ିଶାରେ ତାରକସି କାମକୁ ସାରା ଦେଶରେ ପରିଚିତ କରିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ବହୁ କ୍ଷତି ସହିବା ପରେ ବି ଓଡ଼ିଆଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଜୋତା କାରଖାନା ତିଆରି କରିଥିଲେ । ଓଡ଼ିଶା ଗଠନ ପାଇଁ ତାଙ୍କର ସଂଘର୍ଷମୟ ଜୀବନ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । କେବଳ ଓଡ଼ିଶା ନୁହେଁ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ଝାଡ଼ଖଣ୍ଡ ଭଳି ରାଜ୍ୟର ଲୋକମାନେ ମଧ୍ୟ ଆଜି ମଧୁବାବୁଙ୍କୁ ମନେ ପକାଉଛନ୍ତି । ତାଙ୍କ ନୀତି ଓ ଆଦର୍ଶରୁ ଆଗାମୀ ପିଢ଼ି ଅନେକ କିଛି ଶିକ୍ଷା ଲାଭ କରିପାରିବ । ମଧୁବାବୁଙ୍କ ସ୍ୱପର ଓଡ଼ିଶା ଗଠନ କରିବାକୁ ବିଜେପି ସରକାର ପ୍ରୟାସ ଜାରି ରଖିଛି । ଶିଳ୍ପ, କୃଷି, ପର୍ଯ୍ୟଟନ ଆଦି କ୍ଷେତ୍ରରେ ଓଡ଼ିଶାକୁ ଏକ ନମ୍ବର କରି ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରିବା ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସାମଲ କହିଛନ୍ତି ।
ଏହି ଅବସରରେ ପଂଚାୟତିରାଜ ମନ୍ତ୍ରୀ ତଥା ବରିଷ୍ଠ ନେତା ରବି ନାରାୟଣ ନାୟକ କହିଥିଲେ, ଯେଉଁ ମହାପୁରଷମାନେ ଦେଶ ଓ ମାତୃକାର ସେବା ପାଇଁ ନିଜ ଜୀବନକୁ ଜଳାଞ୍ଜଳି ଦେଇଛନ୍ତି ସେମାନଙ୍କୁ ସର୍ବଦା ମନେ ପକାଇବା ଦରକାର । ମଧୁବାବୁ ଆମ ସମସ୍ତଙ୍କ ପାଇଁ ସବୁବେଳେ ସ୍ମରଣୀୟ । ପିଲାମାନଙ୍କୁ ପାଠ ପଢ଼ା ପ୍ରତି ଆକୃଷ୍ଟ କରିବା ପାଇଁ “ମନ ଦେଇ ପାଠ ପଢ଼ିବି, କାଳିଆ ଘୋଡ଼ା ଚଢ଼ିବି, ମଧୁବାବୁ ସଙ୍ଗେ ସହ ଲଢ଼ିବି” ଏହି ଉକ୍ତିଟି ଓଡ଼ିଆଙ୍କ ଘରେ ଘରେ କୁହାଯାଏ । ମଧୁବାବୁଙ୍କ ଦ୍ୱାରା ଲିଖିତ କବିତା ଓଡ଼ିଆଙ୍କ ଜନମାନସରେ ଆନ୍ଦୋଳନ ସୃଷ୍ଟି କରିଥିଲା ।
ଆମେ ଓଡ଼ିଆ ବୋଲି ଲୋକଙ୍କ ମନରେ ଭାବନା ସୃଷ୍ଟି କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏବେ ରାଜ୍ୟରେ ବିଜେପିର ଡବଲଇଞ୍ଜିଲ ସରକାର ଚାଲିଛି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ଚରଣ ମାଝୀ ଏହି ଇଞ୍ଜିନର ପ୍ରଥମ ଡବା ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହି ଗୁରୁଦାୟିତ୍ୱ ପୂରଣ କରିବା ପାଇଁ ଆମ ସମସ୍ତଙ୍କୁ ଗୁଣ୍ଡୁଚି ମୂଷା ପରି ପ୍ରୟାସ କରିବାକୁ ପଡ଼ିବ । ତାହାଲେ ବିକଶିତ ଓଡ଼ିଶା ଗଠନ କରିବାର ଆମେ ସଫଳ ହୋଇପାରିବା ବୋଲି ନାୟକ କହିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ମୁଖପାତ୍ର ସୁଦିପ୍ତ ରାଏ, ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଉପସ୍ଥିତ ଥିଲେ। ଭୁବନେଶ୍ୱର ଜିଲା ସଭାପତି ନିରଞ୍ଜନ ମିଶ୍ର ସଭା ସଂଚାଳନ କରିଥିବାବେଳେ ରାଜ୍ୟ ସାମାଜିକ ଗଣମାଧ୍ୟମ ସହ ସଂଯୋଜକ ମାନସି ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.