ଓଡ଼ିଶାରେ ୮ଟି ନୂତନ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ହେବ: ଡଃ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର : ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଭୁବନେଶ୍ୱରରେ ଏହାର ସିଆଇଆଇ ସ୍ୱାସ୍ଥ୍ୟସେବା ସମ୍ମିଳନୀ ୨୦୨୫ର ପ୍ରଥମ ସଂସ୍କରଣର ସଫଳତାର ସହ ଆୟୋଜନ କରିଛି । ଏହି ସମ୍ମିଳନୀ ଏକ ସୁସ୍ଥ ଭବିଷ୍ୟତ ପାଇଁ ଉଦ୍ଭାବନ, ସୁସ୍ଥତା ଓ ଚିକିତ୍ସାକୁ ଏକୀକୃତ କରିବା’ ବିଷୟବସ୍ତୁ ଉପରେ ପର୍ଯ୍ୟବେସିତ ଥିଲା । ଏହି ସମ୍ମିଳନୀକୁ ଓଡିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଉଦ୍ଘାଟନ କରିଥିଲେ । ନିଜ ସମ୍ବୋଧନରେ ଡଃ ମହାଲିଙ୍ଗ ସ୍ୱାସ୍ଥ୍ୟସେବା ଭିତିଭୂମି ଏବଂ ଡାକ୍ତରୀ ଶିକ୍ଷାକୁ ଉନ୍ନତ କରିବା ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ସେ ରାଜ୍ୟରେ ୮ଟି ନୂଆ ମେଡିକାଲ କଲେଜ, ଗୋଟିଏ ଆୟୁର୍ବେଦିକ କଲେଜ ଓ ୪ଟି ସରକାରୀ ଡେଂଟାଲ କଲେଜ ସ୍ଥାପନ କରାଯିବା ସମ୍ପର୍କରେ ଘୋଷଣା କରିଛନ୍ତି । ଏହାବ୍ୟତୀତ ସେ ଉଲ୍ଲେଖ କରିଛନ୍ତି ଯେ, ଗତବର୍ଷ ରାଜ୍ୟରେ ୪୦୦୦ରୁ ଅଧିକ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କ ନିଯୁକ୍ତି କରାଯାଇଥିବା ବେଳେ ଚଳିତ ବର୍ଷ ୫୦୦୦ରୁ ଅଧିକ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କୁ ନିଯୁକ୍ତ କରିବା ପାଇଁ ସରକାର ଯୋଜନା ରଖିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ଆସନ୍ତା ୫ ବର୍ଷ ମଧ୍ୟରେ ଖାଲି ପଡିଥିବା ୧.୫ ଲକ୍ଷ ସରକାରୀ ପଦବୀକୁ ପୂରଣ କରିବା ପାଇଁ ପ୍ରୟାସ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି ।
ଏହି ସମ୍ମିଳନୀରେ ସିଆଇଆଇ ଓଡିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଏବଂ ବେଦାନ୍ତ ଲିମିଟେଡ, ଝାରସୁଗୁଡାର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀଯୁକ୍ତ ସୁନୀଲ ଗୁପ୍ତା ଜାତୀୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡିଶାର ବର୍ଦ୍ଧିତ ଭୂମିକା ଏବଂ ଭବିଷ୍ୟତର ଅଭିବୃଦ୍ଧିକୁ ପରିଚାଳନା କରିବାରେ ସରକାରୀ-ଘରୋଇ ସହଭାଗିତାର ମହତ୍ୱ ଉପରେ ଆଲୋକପାତ କରିଥିଲେ । ସିଆଇଆଇ ଓଡିଶା ସ୍ୱାସ୍ଥ୍ୟସେବା ସମିତିର କନ୍ଭେନର ଏବଂ ଆପୋଲୋ ହସ୍ପିଟାଲ୍ସ-ଭୁବନେଶ୍ୱରର ମୁଖ୍ୟ ପରିଚାଳନା ଅଧିକାରୀ ଓ ଡିଏମ୍ଏସ ଡଃ ଆଲୋକ ଶ୍ରୀବାସ୍ତବ ମେଡିକାଲ ଡିଭାଇସ ନିର୍ମାଣ କ୍ଷେତ୍ରରେ ଓଡିଶାର ଶକ୍ତିଶାଳୀ ଆଭିମୁଖ୍ୟ, ଉଦ୍ଭାବନର ମହତ୍ୱ ଏବଂ ମେଡିକାଲ ଟୁରିଜିମ ପାଇଁ ରହିଥିବା ସମ୍ଭାବନା ସମ୍ପର୍କରେ କହିଥିଲେ । ସେ ଉଲ୍ଲେଖ କରିଥିଲେ, “ସୁଲଭ ସ୍ୱାସ୍ଥ୍ୟସେବା, ସ୍ଥାନୀୟ ଉଦ୍ଭାବନ ଓ ଉଦ୍ୟୋଗିକତା ଓଡିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ରୂପାନ୍ତର କରିବା ପାଇଁ ପ୍ରମୁଖ ଅଟେ । ମେଡିକାଲ ଟୁରିଜିମ ଉଲ୍ଲେଖନୀୟ ଅଭିବୃଦ୍ଧି ପାଇଁ ପ୍ରସ୍ତୁତ ରହିଛି ଏବଂ ଓଡିଶା ଏହାଦ୍ୱାରା ଅନେକ ମାତ୍ରାରେ ଉପକୃତ ହୋଇପାରିବ ।”
ସିଆଇଆଇ ଓଡିଶା ରାଜ୍ୟ ପରିଷଦର ଉପାଧ୍ୟକ୍ଷ ଏବଂ ଏଏମ୍/ଏନଏସ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜି.ସୁରେଶ ଓଡିଶାର ସ୍ୱାସ୍ଥ୍ୟସେବାର ଭବିଷ୍ୟତକୁ ନୂଆ ରୂପ ଦେବା କ୍ଷେତ୍ରରେ ସେମାନଙ୍କର ଯୋଗଦାନ ପାଇଁ ଉପସ୍ଥିତି ବିଶିଷ୍ଟ ବ୍ୟକ୍ତି ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ସମ୍ମିଳନୀରେ ଓଡିଶାର ବିକଶିତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସହଭାଗିତା, ଉଦ୍ଭାବିତ ଓ ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ୪ଟି ବୈଷୟିକ ଅଧିବେଶନ ଅନ୍ତର୍ଭୁକ୍ତ ଥିଲା । “ହିଲିଙ୍ଗ ମିଟ୍ସ ହେରିଟେଜ: ଅନ୍ଲକିଂ ଓଡିଶାସ୍ ପୋଟେନ୍ସିଆଲ ଆଜ ଏ ମେଡିକାଲ ଟୁରିଜିମ ହବ୍” ଶୀର୍ଷକ ଅଧିବେଶନ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଓ ପ୍ରାକୃତିକ ସମ୍ପତିକୁ କିଭଳି ସ୍ୱାସ୍ଥ୍ୟସେବା କ୍ଷେତ୍ର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଉପଯୋଗ କରାଯାଇପାରିବ ତାହାକୁ ଆବିଷ୍କାର କରିଥିଲା । “ୱେଲନେସ୍ ବିୟଣ୍ଡ ୱେଜେସ୍: ହୋଲିଷ୍ଟିକ ୱର୍କର ହେଲ୍ଥ ଇନ ମାନୁଫ୍ୟାକ୍ଚରିଂ ହବ୍ସ” ଶୀର୍ଷକ ଅଧିବେଶନ ଶିଳ୍ପର କର୍ମଚାରୀଙ୍କ ପାଇଁ ବିସ୍ତୃତ ସୁସ୍ଥତାକୁ ସମର୍ଥନ କରିବା ଲାଗି ରଣନୀତିଗୁଡିକୁ ସମ୍ବୋଧିତ କରିଥିଲା । “ସ୍ମାର୍ଟ ହେଲ୍ଥ: ଏଆଇ ଆଣ୍ଡ ଆଇଓଟି ଇଂଟିଗ୍ରେଶନ ଇନ ଏମ୍ପାୱାରିଂ ହେଲ୍ଥକେୟାର ଇନୋଭେଶନ ଆଣ୍ଡ ଏଂଟ୍ରପ୍ରେନ୍ୟୋରସିପ” ଶୀର୍ଷକ ଅଧିବେଶନ ସ୍ୱାସ୍ଥ୍ୟସେବା କ୍ଷେତ୍ରର ଉଦ୍ଭାବନ ଓ ଉଦ୍ୟୋଗିକତାକୁ ସଶକ୍ତ କରିବା ପାଇଁ ଉଦୀୟମାନ ଟେକ୍ନୋଲୋଜିଗୁଡିକର ଭୂମିକାକୁ ବିଶେଷଜ୍ଞ କରିଥିଲା । “ହେଲ୍ଥ ଆଣ୍ଡ ଇନ୍ସୁରାନ୍ସ ଆଣ୍ଡ ଫାଇନାନ୍ସିଙ୍ଗ: ରିଚିଙ୍ଗ ଦ ଲାଷ୍ଟ ମାଇଲ” ଅବହେଳିତ ସମୁଦାୟଗୁଡିକ ପାଇଁ ଆର୍ଥିକ ସୁରକ୍ଷା ଓ ଚିକିତ୍ସା ପ୍ରତି ପହଂଚକୁ ବିସ୍ତାର କରିବା ଉପରେ ଗୁରୁତ୍ୱ ଦେଇଥିଲା । ଏହି ସମ୍ମିଳନୀରେ ଏକ ପ୍ରଦର୍ଶନୀ, ଏକ ବି୨ବି ଓ ବି୨ଜି ବୈଠକ ମଧ୍ୟ ଆୟୋଜିତ ହୋଇଥିଲା ଯାହା ବିଭିନ୍ନ କ୍ଷେତ୍ରରେ ରଣନୈତିକ ସହଭାଗିତା ଓ ନିବେଶ ସୁଯୋଗଗୁଡିକୁ ସୁଗମ କରିଥିଲା ।
ପୂର୍ବ ଭାରତରେ ଏକ ପ୍ରିମିୟମ ସ୍ୱାସ୍ଥ୍ୟସେବା ଓ ୱେଲନେସ୍ ହବ୍ରେ ପରିଣତ ହେବା ଦିଗରେ ଓଡିଶାର ଯାତ୍ରାକୁ ନୂଆ ରୂପ ଦେବା ପାଇଁ ଏହି ସମ୍ମିଳନୀ ସ୍ୱାସ୍ଥ୍ୟସେବା କ୍ଷେତ୍ରର ଲିଡର, ନୀତିନିର୍ମାତା, ବୈଷୟିକ ଉଦ୍ଭାବକ, ନିବେଶକ ଓ ୱେଲନେସ୍ ଏକ୍ସପର୍ଟଙ୍କୁ ଏକତ୍ରିତ କରିଥିଲା । ସମ୍ମିଳନୀରେ ମେଡିକାଲ ଉପକରଣ ନିର୍ମାଣ, ଡିଜିଟାଲ ସ୍ୱାସ୍ଥ୍ୟ, ହସ୍ପିଟାଲ ଭିତିଭୂମି, ମେଡିକାଲ ଟୁରିଜିମ, ସ୍ୱାସ୍ଥ୍ୟ ବୀମା, ୱେଲନେସ୍ ଓ ନିବେଶ ପ୍ରୋତ୍ସାହନ ଭଳି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଥିଲା, ଯାହା ସହଭାଗିତା ଓ ଅଭିବୃଦ୍ଧି ପାଇଁ ଏକ ଉଲ୍ଲେଖନୀୟ ମଂଚ ଭାବେ କାର୍ଯ୍ୟ କରିଛି ।
Comments are closed.