ମନାଲିର ଶୀତକାଳୀନ ଦୁଃସାହାସିକ ଶିବିରରେ ଯୋଗଦେବେ ଓଡ଼ିଶାର 100ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ

Share It

ଭୁବନେଶ୍ୱର, (୨୪/୨): ହିମାଚଳ ପ୍ରଦେଶ ମନାଲି ଠାରେ ଆସନ୍ତା ଫେବୃଆରୀ ୨୭ ତାରିଖରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଶୀତକାଳୀନ ଦୁଃସାହାସିକ ଶିବିର (ୱ୍ୱିଣ୍ଟର ଆଡ଼ଭେଞ୍ଚର କ୍ୟାମ୍ପ) ଆୟୋଜିତ ହେବାକୁ ଯାଉଛି। ଏହି ଶୀତକାଳୀନ ଦୁଃସାହାସିକ ଶିବିରରେ ଓଡ଼ିଶାରୁ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେବେ।

ଏଥିପାଇଁ ଛାତ୍ରଛାତ୍ରୀମାନେ ଆଜି ମନାଲି ଅଭିମୁଖେ ନିଜର ଯାତ୍ରା ଆରମ୍ଭ କରିବେ। ଏହି ଅବସରରେ କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସଫଳ ଯାତ୍ରା ନିମନ୍ତେ ଶୁଭେଚ୍ଛା ଜଣାଇଛନ୍ତି।

ଛାତ୍ରଛାତ୍ରୀମାନେ ନୂତନ ଅଭିଜ୍ଞତା ଓ ଅନୁଭୂତି ସାଉଁଟିବା ସହ ଜଣେ ଯୁବ ପ୍ରତିନିଧି ଭାବେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ ବୋଲି ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି। ଏଥିସହ ଏହି ଶିବିର ଛାତ୍ରଛାତ୍ରୀମାନଙ୍କର ବ୍ୟକ୍ତିତ୍ବର ବିକାଶ କରିବାରେ ସହାୟକ ହେବା ସହ ସମସ୍ତଙ୍କ ପାଇଁ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବବୋଲି ମନ୍ତ୍ରୀ ମତପ୍ରକାଶ କରିଛନ୍ତି।

“ଛାତ୍ରଛାତ୍ରୀମାନେ ଶିବିରରୁ ଫେରି ସେମାନଙ୍କର ଅନୁଭୂତି ଓ ଅଭିଜ୍ଞତାକୁ ନିଜର ସହପାଠୀ, ଅଧ୍ୟାପକ, ଅଧ୍ୟାପିକା ଏବଂ ମୋ ସହ ବାଣ୍ଟିବେ ଏବଂ ଶିବିରରୁ କଣ ନୂଆ ଜାଣିବାକୁ ପାଇଲେ ତାହା ମୋତେ ଜଣାଇବେ”, ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ।

ଆଜିର କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, କ୍ରୀଡ଼ା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର, ଅତିରିକ୍ତ ସଚିବ ଶ୍ରୀ ବିଜୟ କୁମାର ସ୍ୱାଇଁ, ଅତିରିକ୍ତ ସଚିବ ଶ୍ରୀ ଅଶୋକ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରକାଶଯୋଗ୍ୟ ଯେ, ମନାଲିରେ ଆୟୋଜିତ ହେବାକୁ ଥିବା ଏହି ଦୁଃସାହାସିକ ଶୀତକାଳୀନ ଶିବିରରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଦୁଃସାହାସିକ କାର୍ଯ୍ୟାବଳୀ ଯଥା ଟ୍ରେକିଙ୍ଗ, ରକ୍ କ୍ଲାଇବିଙ୍ଗ, ରିଭର କ୍ରସିଂ, ରିଭର ରାଫଟିଙ୍ଗ, ଜିପ୍-ଲାଇନିଙ୍ଗ ଆଦି ବିଭିନ୍ନ କାର୍ଯ୍ୟାବଳୀରେ ଯୋଗଦେବେ। ଛାତ୍ରଛାତ୍ରୀମାନଙ୍କୁ ଏକ ନିଆରା ଅନୁଭୂତି ପ୍ରଦାନ କରିବା ସହ ଏହି ଶିବିର ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶରେ ସହାୟକ ହେବ ବୋଲି ମତପ୍ରକାଶିତ ହୋଇଛି।


Share It

Comments are closed.