ରାଜ୍ୟସଭା ଭୋଟ୍‌କୁ ନେଇ ସରଗରମ ଓଡ଼ିଶା ରାଜନୀତି, ରାଜ୍ୟସଭା ନିର୍ବାଚନରେ କିଏ ମାରିବ ବାଜି ?

Share It

ଭୁବନେଶ୍ଵର,୧୬/୦୩:ରାଜ୍ୟସଭା ନିର୍ବାଚନକୁ ନେଇ ଓଡ଼ିଶା ରାଜନୀତିରେ ଲଢେଇ ଚାଲିଛି । ଆଜି ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ସକାଳୁ ହିଁ ବିଧାୟକମାନେ ଜଣଙ୍କ ପରେ ଜଣେ ଭୋଟ୍‌ ଦେବା ପାଇଁ ପହଞ୍ଚୁଥିବା ଦେଖିବାକୁ ମିଳିଛି । ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ଏହି ମତଦାନ ପ୍ରକ୍ରିୟା ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ମତଦାନ ସରିବା ପରେ ସନ୍ଧ୍ୟା ୫ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବ ବୋଲି କୁହାଯାଉଛି । ଏହାକୁ ନେଇ ବିଧାନସଭା ପରିସରରେ କଟକଣାମୂଳକ ସୁରକ୍ଷା ବ୍ୟବସ୍ଥା ହୋଇଛି ।

ସକାଳେ ପ୍ରଥମେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଭୋଟ୍‌ ଦେଇଥିଲେ ।ପରେ ପାରାଦୀପରେ ରହୁଥିବା ବିଜେପି ବିଧାୟକମାନେ ବିଧାନସଭାକୁ ପହଞ୍ଚି ମତଦାନ ପ୍ରକୋଷ୍ଠକୁ ଯାଇଥିଲେ । ଅନ୍ୟପଟେ ବିଜେଡି ବିଧାୟକମାନେ ପ୍ରଥମେ ନବୀନ ନିବାସରେ ଏକତ୍ରିତ ହେଉଥିବା ଖବର ମିଳିଛି । ସେଠାରୁ ସମୂହଭାବେ ବିଧାନସଭାକୁ ଯାଇ ଭୋଟ୍‌ ଦେବେ ବୋଲି ସୂଚନା ମିଳିଛି ।

ଏହି ମଧ୍ୟରେ ନିର୍ବାଚନକୁ ଆହୁରି ରୋଚକ କରିଛନ୍ତି ବିଜେଡିରୁ ନିଲମ୍ବିତ ବିଧାୟକ ସନାତନ ମହାକୁଡ଼ । ସେ ମଧ୍ୟ ଆଜି ଭୋଟ୍‌ ଦେଇଥିବା କହିଛନ୍ତି । ମତଦାନ ପରେ ସେ କହିଛନ୍ତି ଯେ — “ରାଜ୍ୟର ସ୍ୱାର୍ଥ ପାଇଁ ଯିଏ କାମ କରିବେ, ମୁଁ ସେହି ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି।”ସେ ଆଉ କହିଛନ୍ତି ଯେ, ନିଲମ୍ବିତ ଥିବା ବିଧାୟକଙ୍କୁ ହ୍ୱିପ୍‌ ଜାରି କରିବାର କୌଣସି ନିୟମ ନାହିଁ । ବିଜେଡି ତାଙ୍କୁ ନିଲମ୍ବିତ କରିବା ସହ ବିଧାନସଭାରେ ତାଙ୍କ ଆସନ ମଧ୍ୟ ବଦଳାଇ ଦେଇଥିବା ଅଭିଯୋଗ କରିଛନ୍ତି । ତାଙ୍କ କହିବାନୁସାରେ, ଗତକାଲି ପର୍ଯ୍ୟନ୍ତ ବିଜେଡିର କୌଣସି ନେତା ତାଙ୍କ ସହ ଯୋଗାଯୋଗ କରିନଥିଲେ ଓ କାହାକୁ ଭୋଟ୍‌ ଦେବାକୁ ହେବ ସେଥିପାଇଁ ସୂଚନା ମଧ୍ୟ ଦିଆଯାଇନଥିଲା ।

ଏପରି ପରିସ୍ଥିତିରେ ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ନେଇ ଚର୍ଚ୍ଚା ଜୋର ଧରିଛି । ଭୋଟ୍‌ ଗଣତି ପରେ ରାଜନୀତିକ ପରିସ୍ଥିତି କେମିତି ହେବ ତାହା ନେଇ ସମସ୍ତଙ୍କ ଦୃଷ୍ଟି ରହିଛି ।


Share It

Comments are closed.