ଓମାନରେ ଓଡିଶା ଦିବସ ପାଳିତ

Share It

ଓମାନସ୍ଥିତ ଇଣ୍ଡିଆନ ସୋସିଆଲ କ୍ଲବ, ଓଡିଶା ପକ୍ଷରୁ ଭର୍ଚୁଆଲ ମାଧ୍ୟମରେ ଓଡିଶା ଦିବସ ପାଳିତ ହୋଇଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉତ୍ସବରେ ଯୋଗଦେଇ ପ୍ରବାସୀ ଓଡିଆ ଭାଇ ଓ ଭଉଣୀମାନଙ୍କୁ ଓଡିଶା ଦିବସର ଶୁଭେଚ୍ଛା ଜଣାଇଥିଲେ । ଓମାନରେ ରହୁଥିବା ପ୍ରବାସୀ ଓଡିଆମାନେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବାବେଳେ ଓଡିଶା ଦିବସ ପାଳନ ଦ୍ୱାରା ଓଡିଶା ଏବଂ ଓମାନ ମାଧ୍ୟମରେ ସାଂସ୍କୃତିକ ଓ ଅର୍ଥନୈତିକ ସଂପର୍କ ବୃଦ୍ଧି ପାଇବ ବୋଲି ସେ କହିଥିଲେ ।
ସ୍ୱାଧୀନତା ପୂର୍ବରୁ ଭାରତବର୍ଷରେ ପ୍ରଥମ ଭାଷା ଭିତ୍ତିରେ ଗଠିତ ରାଜ୍ୟ ଓଡିଶା ଆଜି ଦ୍ରୁତ ପ୍ରଗତି ପଥରେ ଅଗ୍ରସର ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ବିଗତବର୍ଷମାନଙ୍କରେ କୃଷି ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବାବେଳେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ନିବେଶକଙ୍କ ନିମନ୍ତେ ଓଡିଶା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ସାରା ବିଶ୍ୱ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ୱ କାଳ ଧରି କୋଭିଡ ମହାମାରୀର ସମ୍ମୁଖୀନ ହେଉଥିବାବେଳେ ସମସ୍ତେ ଏହାର ମୁକାବିଲା ନିମନ୍ତେ ସହଯୋଗ ହାତ ବଢାଇବା ଆବଶ୍ୟକ । ଓଡିଶା ସଂପ୍ରତି ବିଭିନ୍ନ ରାଜ୍ୟକୁ ମେଡିକାଲ ଅକ୍ସିଜେନ ଯୋଗାଣ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଏଥି ସହିତ ଓମାନର ପଞ୍ଜିନିବେଶକଙ୍କ ନିମନ୍ତେ ଓଡିଶାରେ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉତ୍କଲଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ, ବ୍ୟାସକବି ଫକୀରମୋହନ, କର୍ମବୀର ଗୌରୀଶଙ୍କର ରାୟ, ସ୍ୱାଭବକବି ଗଙ୍ଗାଧର ମେହେର ଓ ଅନ୍ୟ ପ୍ରାତଃସ୍ମରଣୀୟ ବରପୁତ୍ରମାନଙ୍କୁ ସେମାନଙ୍କ ତ୍ୟାଗ ଏବଂ ତିତିକ୍ଷା ନିମନ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଉତ୍ସବରେ ଓମାନ ଚେମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଇଞ୍ଜନିୟିର ରିଧା ବିନ ଜୁମା ଆଲ ସାଲେ ଓମାନର ପ୍ରଗତିରେ ଓଡିଆମାନଙ୍କର ଉଲ୍ଲେଖନୀୟ ଅବଦାନ କହିଥିବା କହିଥିଲେ ।
ଏହି ଅବସରରେ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ କହିଲେ ଯେ, ଓଡିଶାର ଭରପୂର ପ୍ରାକୃତିକ ସଂପଦ, ଖଣିଜ ପଦାର୍ଥ, ସୁଦୀର୍ଘ ଉପକୂଳ, ହେନ୍ତାଳ ବଣ, ସମୃଦ୍ଧି ସାଂସ୍କୃତିକ ପରମ୍ପରା, ଓଡିଶା ନୃତ୍ୟ ଓ ସଂଗୀତ ଏବଂ ଅଧ୍ୟାତ୍ମିକ ଐତିହ୍ୟର ସମ୍ଭାର ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇ ପାରିଛି । କୋଭିଡ ମହାମାରୀ ଯୋଗୁଁ ସାଧାରଣ ଜନଜୀବନ ବିଶେଷ ପ୍ରଭାବିତ ହୋଇ ପଡିଥିବାବେଳେ ସମସ୍ତଙ୍କ ସମ୍ମିଳିତ ପ୍ରଚେଷ୍ଟାରେ ହିଁ ଏହାର ମୁକାବିଲା ସମ୍ଭବ ବୋଲି କହିଥିଲେ । ଏଥି ସହିତ ସାମଗ୍ରିକ ବିକାଶ ପ୍ରତ୍ୟେକଙ୍କର ବିକାଶ ଦ୍ୱାରା ହିଁ ସାଧିତ ହୋଇଥାଏ ବୋଲି ଡ. ଶତପଥୀ କହିଥିଲେ ।
ଓମାନରେ ଭାରତର ରାଷ୍ଟ୍ରଦୂତ ଶ୍ରୀ ମନୁ ମହାପାୱାର ଭାରତ ଓ ଓମାନ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ବୃଦ୍ଧିର ବିଭିନ୍ନ ଦିଗ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ଶ୍ରୀ ପ୍ରସନ୍ନ କୁମାର ଦାସ ଓଡିଶାର ଅତୀତ ନୌବାଣିଜ୍ୟ ପରମ୍ପରା, କଳା ଭାସ୍କର୍ଯ୍ୟ ସଂସ୍କୃତି, ଐତିହ୍ୟ ଏବଂ ସମୁଜ୍ଜଳ ଉତିହାସ ସଂପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ ।
ଇଣ୍ଡିଆନ ସୋସିଆଲ କ୍ଲବ, ଓମାନର ସଭାପତି ଶ୍ରୀ ସତୀଶ ନାମ୍ବିଆର ଏବଂ ଓଡିଶା ଶାଖାର ଆବାହକ ଶ୍ରୀ ମନୋଜ ମହାପାତ୍ର ପ୍ରତିବର୍ଷ ଓମାନର ଓଡିଶା ଶାଖା ଅନୁକୂଲ୍ୟରେ ଓଡିଶା ଦିବସ ପାଳନ ଦ୍ୱାରା ଓଡିଶାର କଳା ଓ ସଂସ୍କୃତିର ପ୍ରଚାରପ୍ରସାର ହୋଇପାରିବ ଏବଂ ବିଦେଶରେ ରହୁଥିବା ଓଡିଶାଙ୍କ ମଧ୍ୟରେ ଐକ୍ୟ ପ୍ରତିଷ୍ଠା ହେବ ବୋଲି କହିଥିଲେ ।


Share It

Comments are closed.