ୟୁପିଏସ୍‌ସି ପ୍ରାଶାସନିକ ପରୀକ୍ଷାରେ ଦେଶର ସର୍ବକନିଷ୍ଠ ଟପର ହେଲେ ଓଡିଆ ଝିଅ ‘ସୀମି କରଣ’

Share It

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିର୍ବାଚନମଣ୍ଡଳୀ ସନ୍ତୋଷପୁରର ଝିଅ ସୀମି କରଣ ପ୍ରକାଶ ପାଇଥିବା ୟୁପିଏସ୍‌ସି ପ୍ରାଶାସନିକ ସେବା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୩୧ ର‌୍ୟାଙ୍କ୍‌ ହାସଲ କରିଛନ୍ତି । ସୀମି ଏହି ର‌୍ୟାଙ୍କ୍‌ ହାସଲ କରିବାରେ ସର୍ବକନିଷ୍ଠ । ସେହିପରି ସେ ଛତିଶଗଡ଼ ରାଜ୍ୟର ଟପର୍‌ ହୋଇ ନିଜ ରାଜ୍ୟ ତଥା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ।

୨୦୧୫ ମସିହା ସିବିଏସ୍‌ଇ ପରୀକ୍ଷାରେ ଛତିଶଗଡ଼ ଟପର୍‌ ହୋଇ ସେ ମୁମ୍ବାଇ ଆଇଆଇଟିରେ ଭର୍ତ୍ତି ହୋଇଥିଲେ । ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂରେ ୨୦୧୯ରେ ସେ ବିଟେକ୍‌ ଫାଇନାଲ୍‌ ପରୀକ୍ଷା ଦେବା ପରେ ମାତ୍ର ୩ ମାସ ମଧ୍ୟରେ ନିଜକୁ ପ୍ରସ୍ତୁତ କରି ପ୍ରଥମ ଥର ପରୀକ୍ଷା ଦେଇ ଏହି କୃତିତ୍ୱ ଲାଭ କରିଛନ୍ତି । ମାତ୍ର ୨୨ ବର୍ଷ ବୟସରେ ସେ ଏହି ବିରଳ ସଫଳତା ପାଇ ପାରିଛନ୍ତି । ସୀମି ଏବେ ଭିଲାଇରେ ରହୁଛନ୍ତି । ତାଙ୍କ ପିତା ଦେବେନ୍ଦ୍ରନାଥ କରଣ ଭିଲାଇ ଷ୍ଟିଲ୍‌ ପ୍ଲାଣ୍ଟ୍‌ (ବିଏସ୍‌ଏଲ୍‌)ର ସାଧାରଣ ପରିଚାଳକ (ବିତ୍ତ) ରୂପେ କାର୍ଯ୍ୟ କରୁଥିବାବେଳେ ମା’ ସୁଜାତା କରଣ ଦୁର୍ଗସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି । ତାଙ୍କର ଏହି କୃତିତ୍ୱ ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଦୁର୍ଗ ଜିଲ୍ଲାପାଳ ଡ. ସର୍ବେଶ୍ୱର ଭୁରେ, ଏସପି ପ୍ରଶାନ୍ତ ଠାକୁର ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି । ସେ ଛତିଶଗଡ଼ ରାଜ୍ୟର ଦୁର୍ଗ ଜିଲ୍ଲାରେ ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ମୁମ୍ବାଇରେ ରହୁଥିବା ବେଳେ ବସ୍ତିପିଲାଙ୍କୁ ସେ ପଢ଼ାଉଥିଲେ ।

ସେହି ସମୟରେ ଗରିବ ପିଲା ଓ ତାଙ୍କ ପରିବାରର ଦୁଃଖ ଦେଖିବା ପରେ ସେ ମନ ପରିବର୍ତ୍ତନ କରି ଇଞ୍ଜିନିୟରିଂରୁ ପ୍ରଶାସକ ହେବା ପାଇଁ ଯାତ୍ରା ଆରମ୍ଭ କରିଥିଲେ। ପ୍ରଶାସକ ହେବା ପରେ ସେ ମହିଳା ସଶକ୍ତିକରଣ ଓ ଝିଅମାନଙ୍କୁ ବିଦ୍ୟାଳୟରେ ପଢ଼ିବା ପାଇଁ ଉଦ୍ୟମ କରିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି । ତାଙ୍କ ଘର ଜଳେଶ୍ୱର ନିର୍ବାଚନମଣ୍ଡଳୀ ସନ୍ତୋଷପୁର ଗ୍ରାମରେ ହୋଇଥିବାବେଳେ ସେଠାରେ ତାଙ୍କ ବଡ଼ବାପା ସଚ୍ଚୀନ୍ଦ୍ର ନାଥ କରଣ ଏବଂ ଜେଜେମା ମନୋରମା କରଣ ରହୁଛନ୍ତି। ଅଜା ରାଉରକେଲାର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗର ଡାକ୍ତର ମଧୁସୂଦନ ସାହୁ। ସୀମିଙ୍କର ଏହି ସଫଳତା ପାଇଁ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଅଭିନନ୍ଦନ ଜଣାଇଛନ୍ତି।

ସୂଚନାଯୋଗ୍ୟ, ସୀମି, ବିଧାୟକ ଶ୍ରୀ ପାତ୍ରଙ୍କ ଭାଣିଜୀଙ୍କ କନ୍ୟା । ନାତୁଣୀର ଏହି କୃତିତ୍ୱ ପାଇଁ ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି । ଓଡ଼ିଆ ଝିଅର ଏହି ସଫଳତା ପାଇଁ ଜଳେଶ୍ୱରର ବହୁ ଶିକ୍ଷାବିତ୍‌ ଓ ବୁଦ୍ଧିଜୀବୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କର ଅନ୍ୟ ଜଣେ ଅଜା ଅବସରପ୍ରାପ୍ତ ଭାରତୀୟ ଜଙ୍ଗଲ ସେବା ଅଧିକାରୀ ହୋଇଥିବା ବେଳେ ସୀମିଙ୍କୁ ଭାରତୀୟ ପ୍ରାଶାସନିକ ସେବା ପାଇଁ ପ୍ରସ୍ତୁତ ହେବାକୁ ପ୍ରେରଣା ଦେଇଥିଲେ ।


Share It

Comments are closed.